ମହାନଗର ନିଗମ ଗଠନ ପ୍ରକ୍ରିୟାରେ ମନ୍ଥରତା
ପୁରୀ : ପୁରୀକୁ ମହାନଗର ନିଗମରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଥିଲେ । ପୁରୀ ସହର ଓ ପାଶ୍ୱର୍ବର୍ତ୍ତୀ ଅଞ୍ଚଳର ବିଭିନ୍ନ ଗ୍ରାମପଞ୍ଚାୟତକୁ ନେଇ ମହାନଗର ନିଗମ ଗଠନ ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ପ୍ରକାଶ କରାଯାଇଥିଲା । ପୁରୀ ଜିଲ୍ଲାର ୧୦ଟି ପଞ୍ଚାୟତ ଏହି ମହାନଗର ନିଗମରେ ସାମିଲ ହୋଇଥାନ୍ତେ । କିନ୍ତୁ ଘୋଷଣା ପରେ ସେ ଦିଗରେ କୌଣସି ପଦକ୍ଷେପ ନିଆଯାଉନାହିଁ । ଅଦ୍ୟାବଧି କେଉଁ ପଞ୍ଚାୟତ ମହାନଗର ନିଗମରେ ସାମିଲ ହେବେ ତାହା ନିର୍ଦ୍ଧିଷ୍ଟ ହୋଇନାହିଁ । ତେବେ ପ୍ରାପ୍ତ ସୂଚନା ଅନୁଯାୟୀ ବ୍ରହ୍ମଗିରି ସ୍ଥିତ ଗୋରୁଆଳ ପଞ୍ଚାୟତର ଗୋଟିଏ ଗାଁ ନିଗମରେ ଅନ୍ତର୍ଭୁକ୍ତ ହେବ । ସେହିଭଳି ସିପସରୁବାଲି ମଧ୍ୟ ଏଥିରେ ସାମିଲ ହେବ । ସୁପସରୁବାଲି ମୌଜାରେ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ଯୋଜନା ରହିଥିବାରୁ ଏହାକୁ ନିଗମରେ ଅନ୍ତର୍ଭୁକ୍ତ କରିବାକୁ ସ୍ଥିରିକୃତ ହୋଇଥିବା ବେଳେ ବୀରହରେକୃଷ୍ଣପୁର, ଶାସନ ଦାମଦୋରପୁର, ଗୋପୀନାଥ ପୁର, ଗୋପାଳପୁର, ବାଲିଗୁହାଳି, ବାଲୁଖଣ୍ଡ ଓ କାଶୀହରିପୁର ଆଦି ପଞ୍ଚାୟତକୁ ମିଶାଇ ମହାନଗର ନିଗମ ଗଠନ ପାଇଁ ପ୍ରସ୍ତାବ ରହିଛି । ପଞ୍ଚାୟତମାନେ ଏ ସଂପର୍କିତ ପ୍ରସ୍ତାବ ଗ୍ରହଣ କରି ପୌରସଂସ୍ଥାକୁ ଦେବେ ଓ ପୌର ସଂସ୍ଥା ତାହା ସରକାରଙ୍କ ନିକଟକୁ ପଠାଇବ । ଇତି ମଧ୍ୟରେ ଏଥିପାଇଁ ପୌରସଂସ୍ଥା ପକ୍ଷରୁ ଚିଠି ଲେଖାଯାଇ ବିଡ଼ିଓମାନେ ରିଜେଲୁସନ ପଠାଇବା ପାଇଁ କୁହାଯାଇଛି । ପୁରୀ ମହାନଗର ନିଗମରେ ସାମିଲ ହେବାକୁ ଯାଉଥିବା ପଞ୍ଚାୟତମାନେ ଅତ୍ୟନ୍ତ ଆନନ୍ଦିତ ଥିବା ବେଳେ ଯଥାଶୀଘ୍ର ମହାନଗର ଗଠନ କରାଯିବା ପ୍ରତିକ୍ଷାରେ ସେମାନେ ରହିଛନ୍ତି । ପୁରୀ ସହରକୁ ଲାଗି ରହିଥିବା ପଞ୍ଚାୟତ ଗୁଡ଼ିକ ମେଗା ୱାଟର ସପ୍ଲାଇ ଯୋଜନାରେ ସାମିଲ ଅଛନ୍ତି କିନ୍ତୁ ମହାନଗର ନିଗମ ହେଲେ ସେମାନେ ୱାଟ୍କୋର ଡ଼୍ରିଙ୍କ ଫ୍ରମ ଟ୍ୟାପ୍ ପ୍ରକଳ୍ପରେ ସାମିଲ ହେବେ । ଏହାଛଡ଼ା ସେମାନଙ୍କୁ ଅଧିକ ସୁବିଧା ମିଳିବ । ଏ ସଂପର୍କରେ ପୁରୀର ବିଧାୟକ ସୁନୀଲ ମହାନ୍ତି ପ୍ରକାଶ କରିଛନ୍ତି ଯେ ମହାନଗର ନିଗମ ହେଲେ ଅଧୀବାସୀମାନେ ଅନେକ ସୁବିଧା ସୁଯୋଗ ପାଇବେ । ତେଣୁ ପଞ୍ଚାୟତମାନେ ସେମାନଙ୍କ ରିଜଲୁ୍ୟସନ ଯଥାଶୀଘ୍ର ପଠାଇବା ଉଚିତ୍ । ସଂପ୍ରତି ଅନୁଷ୍ଠିତ ପୁରୀ ବିଧାନସଭା ନିର୍ବାଚନ ମଣ୍ଡଳୀସ୍ତରୀୟ ଉନ୍ନୟନ କମିଟୀ ବୈଠକରେ ମହାନଗର ନିଗମ ଗଠନରେ କର୍ତ୍ତୃପକ୍ଷଙ୍କ ଅବହେଳାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା । ପଞ୍ଚାୟତମାନେ ଯେପରି ଯଥାଶୀଘ୍ର ସେମାନଙ୍କ ରିଜଲୁ୍ୟସନ ପଠାଇବେ ସେ ଦିଗରେ ତତ୍ପରତା ପ୍ରକାଶ କରିବାକୁ ବିଧାୟକ ଶ୍ରୀ ମହାନ୍ତି ପରାମର୍ଶ ଦେଇଛନ୍ତି ।