ଉପରାଷ୍ଟ୍ରପତି ନିର୍ବାଚନରେ ଆଜି ବିଜେଡି ପିଏସି ବୈଠକ

ଉପରାଷ୍ଟ୍ରପତି ନିର୍ବାଚନରେ ଆଜି ବିଜେଡି ପିଏସି ବୈଠକ

ଉପରାଷ୍ଟ୍ରପତି ନିର୍ବାଚନକୁ ଆଉ ମାତ୍ର ୩ଦିନ ବାକିଥିବାବେଳେ ବିଜେଡି ଆଜି ଦଳର ସମନ୍ୱୟ କମିଟି ଓ ରାଜନୀତିକ ବ୍ୟାପାର କମିଟି(ପିଏସି)ର ବୈଠକ ଡାକିଛି । ଉପରାଷ୍ଟ୍ରପତି ନିର୍ବାଚନରେ ଦଳର ଆଭିମୁଖ୍ୟ ଓ ନିଷ୍ପତ୍ତିକୁ ଏହି ବୈଠକରେ ଆନୁଷ୍ଠାନିକ ମୋହର ବାଜିବାର ସମ୍ଭାବନା ରହିଛି । ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନ ୩ଦିନ ଧରି ଦିଲ୍ଲୀରେ ଡେରା ପକାଇ ଭୁବନେଶ୍ୱର ଫେରିବା ପରେ ଏହି ବୈଠକ ଡକାଯାଇଥିବାରୁ ପିଏସି କାନ୍ଧରେ ବନ୍ଧୁକ ରଖି ଦଳୀୟ ନିଷ୍ପତ୍ତିକୁ ସାର୍ବଜନୀନ କରାଯିବ ବୋଲି ଚର୍ଚ୍ଚା ହେଉଛି । ଅବଶ୍ୟ ଉପରାଷ୍ଟ୍ରପତି ନିର୍ବାଚନରେ ଦଳ କାହାକୁ ସମର୍ଥନ ଦେବ,ସେନେଇ ଏପର୍ଯ୍ୟନ୍ତ ନିଜର କାର୍ଡ ଖୋଲିନାହିଁ ।

ବିଜେଡି ସୂତ୍ର ଅନୁସାରେ, ଉପରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ ଆଲୋଚନା ନିମନ୍ତେ ଆଜି ଅପରାହ୍ନ ସାଢ଼େ ୪ଟାରେ ଦଳର ସମନ୍ୱୟ କମିଟି ବୈଠକ ଓ ସାଢ଼େ ୫ଟାରେ ନବୀନ ନିବାସରେ ରାଜନୀତିକ ବ୍ୟାପାର କମିଟି(ପିଏସି) ବୈଠକ ଅନୁଷ୍ଠିତ ହେବ । ତେବେ ପିଏସି ବୈଠକ ନବୀନ ନିବାସରେ ଅନୁଷ୍ଠିତ ହେଉଥିଲେ ମଧ୍ୟ ପାଣ୍ଡିଆନ ଉପସ୍ଥିତ ରହିବେ ନାହିଁ । ପିଏସି ବୈଠକରେ ପ୍ରମିଳା ମଲ୍ଲିକ, ସଞ୍ଜୟ ଦାସବର୍ମା, ସୁଦାମ ମାର୍ଣ୍ଡି, ନିରଞ୍ଜନ ପୂଜାରୀ, ବିକ୍ରମ କେଶରୀ ଆରୁଖ, ପ୍ରଣବପ୍ରକାଶ ଦାସ, ଟୁକୁନି ସାହୁ, ସସ୍ମିତ ପାତ୍ର ଓ ସନ୍ତୃପ୍ତ ମିଶ୍ର ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହା ପୂର୍ବରୁ ଅପରାହ୍ନ ସାଢ଼େ ୪ଟାରେ ଦଳର ସମନ୍ୱୟ କମିଟି ବୈଠକ ବସିବ, ଯେଉଁଥିରେ ଦେବୀପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଉପରାଷ୍ଟ୍ରପତି ନିର୍ବାଚନ ସଂପର୍କରେ ଆଲୋଚନା ହେବ ବୋଲି ଜଣାପଡ଼ିଛି ।

ବିଜେଡି ସୂତ୍ର ଅନୁସାରେ, ଉପରାଷ୍ଟ୍ରପତି ନିର୍ବାଚନରେ ଦଳର ଆଭିମୁଖ୍ୟ କ’ଣ ରହିବ ତାକୁ ନେଇ ନିଷ୍ପତ୍ତି ସରିଛି । ଦିଲ୍ଲୀ ରହଣୀବେଳେ ଉପରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ ପାଣ୍ଡିଆନ ଯେଉଁ ବୁଝାମଣା କରିଛନ୍ତି ତାକୁ ପିଏସି ବୈଠକରେ କେବଳ ଆନୁଷ୍ଠାନିକ ମୋହର ଦିଆଯିବ । ଏନଡିଏ ପ୍ରାର୍ଥୀଙ୍କୁ ପରୋକ୍ଷ ଅବା ପ୍ରତ୍ୟକ୍ଷ ସମର୍ଥନ କରିବା ଭଳି ରଣନୀତି ବିଜେଡି ପ୍ରସ୍ତୁତ କରିସାରିଥିବା ଚର୍ଚ୍ଚା ହେଉଛି। ଯଦିଓ ରାଜ୍ୟର ସାମ୍ପ୍ରତିକ ରାଜନୀତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏନଡିଏ ପ୍ରାର୍ଥୀଙ୍କୁ ସିଧାସଳଖ ବିରୋଧ କରିବାକୁ ଜୁଲାଇ ୨୪ତାରିଖରେ ଦଳର ସମନ୍ୱୟ କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ବୋଲି ଜଣାପଡ଼ିଛି । ଲୋକସଭାରେ ବିଜେଡି ମୂଳପୋଛ ହୋଇସାରିଥିବାବେଳେ ରାଜ୍ୟସଭାରେ ବିଜେଡିର ୭ଜଣ ସଦସ୍ୟ ଅଛନ୍ତି । ବିଜେଡିର ସମର୍ଥନ ପାଇଁ ଉଭୟ ଏନଡିଏ ଓ ଇଣ୍ଡିଆ ମେଂଟ ପକ୍ଷରୁ ପ୍ରୟାସ ହୋଇସାରିଛି । ବିଜେପିର ବରିଷ୍ଠ ନେତା ତଥା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏନଡିଏ ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନଙ୍କୁ ସମର୍ଥନ ଦେବାକୁ ଫୋନ୍ ମାଧ୍ୟମରେ ନବୀନଙ୍କୁ ଅନୁରୋଧ କରିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଗତ ମାସରେ ନବୀନଙ୍କ ସ୍ୱାସ୍ଥ୍ୟବସ୍ଥା ସଂପର୍କରେ ଜାଣିବା ପାଇଁ ଫୋନ୍ କରିଥିଲେ । ଅନ୍ୟପକ୍ଷରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡଗେ ମଧ୍ୟ ‘ଇଣ୍ଡିଆ’ ମେଂଟର ପ୍ରାର୍ଥୀ ଜଷ୍ଟିସ ବି.ସୁଦର୍ଶନ ରେଡ୍ଡୀଙ୍କୁ ସମର୍ଥନ ଦେବାକୁ ନବୀନଙ୍କୁ ଅନୁରୋଧ କରିସାରିଛନ୍ତି ।

ପାଣ୍ଡିଆନଙ୍କ ଦିଲ୍ଲୀ ଗସ୍ତ ଓ ରଣନୀତି :  ପାଣ୍ଡିଆନ ୩ ଦିନ ଧରି ଦିଲ୍ଲୀରେ ଡେରା ପକାଇ ଭୁବନେଶ୍ୱର ଫେରିଛନ୍ତି । ପାଣ୍ଡିଆନ ନିଜର ଅଘୋଷିତ ରଣନୀତିକୁ କାର୍ଯ୍ୟକାରୀ କରିବା ନିମନ୍ତେ ବିଜେପି କେନ୍ଦ୍ରୀୟ ନେତୃତ୍ୱଙ୍କୁ ଅସନ୍ତୁଷ୍ଟ କରିବାକୁ ଚାହୁଁନଥିବାରୁ ଦିଲ୍ଲୀ ଗସ୍ତରେ ଯାଇ ଏ ସଂକ୍ରାନ୍ତରେ ବୁଝାମଣା କରିଥିବା ଚର୍ଚ୍ଚା ହେଉଛି । ବିଜେଡି ପ୍ରତ୍ୟକ୍ଷ ଅବା ପରୋକ୍ଷ ଭାବେ ଏନଡିଏକୁ ପରୋକ୍ଷ ସମର୍ଥନ ଦେଇପାରେ । ଉପରାଷ୍ଟ୍ରପତି ନିର୍ବାଚନରେ ଦଳୀୟ ହୁଇପର ବ୍ୟବସ୍ଥା ନଥିବାରୁ ଦଳ ଅନୁପସ୍ଥିତ ରହି ପରୋକ୍ଷରେ ଏନଡିଏ ପ୍ରାର୍ଥୀଙ୍କ ବିଜୟରେ ସହାୟକ ହୋଇପାରେ । ଅବଶ୍ୟ ବିଜେଡି ସମର୍ଥନ ନକଲେ ବି ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ସୁବିଧାଜନକ ସ୍ଥିତିରେ ବିଜୟ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ତଥାପି ବିଜେଡି ରାଜ୍ୟରେ ସାମ୍ପ୍ରତିକ ରାଜନୀତିକ ପରିସ୍ଥିତି ଓ ଆଭ୍ୟନ୍ତରୀଣ କନ୍ଦଳକୁ ଏଡ଼ାଇବା ନିମନ୍ତେ ଚତୁରତାର ସହ ସମଦୂରତ୍ୱ ନୀତି ଭଳି କାର୍ଡ ମଧ୍ୟ ଖେଳିପାରେ ବୋଲି କୁହାଯାଉଛି । ମାତ୍ର ଏହା ସତ୍ୟ ଯେ, ବିଜେଡି ନେତୃତ୍ୱ କୌଣସି ପରିସ୍ଥିତିରେ ବି ବିଜେପି କେନ୍ଦ୍ରୀୟ ନେତୃତ୍ୱଙ୍କୁ ଅସନ୍ତୁଷ୍ଟ କରିବା ମୁଡରେ ନାହାନ୍ତି ।

ଅବିଶ୍ୱାସ ଓ ମାମଲାତି ପାଇଁ ‘ପିଏସି’ ଅକାମୀ : ସାଧାରଣ ନିର୍ବାଚନରେ ପରାଜୟ ପରେ ପ୍ରାୟ ଅଢ଼େଇ ଦଶନ୍ଧି ବ୍ୟବଧାନରେ ବିଜେଡି ନିଜର ରାଜନୀତିକ ବ୍ୟାପାର କମିଟି(ପିଏସି) ପୁନର୍ଗଠନ କରିଛି । ଏହା ଦଳର ସର୍ବୋଚ୍ଚ ନୀତି ନିର୍ଦ୍ଧାରକ କମିଟି ହୋଇଥିଲେ ମଧ୍ୟ ଏହା କେବଳ ନାମକୁ ମାତ୍ର ଚାଲିଛି । ପିଏସିରେ ସାମିଲ ନେତାମାନଙ୍କ ମଧ୍ୟରେ ସମନ୍ୱୟ ଓ ବିଶ୍ୱାସର ଅଭାବ ରହିଥିବାବେଳେ ପାଣ୍ଡିଆନଙ୍କ ଖାସ୍ ଅନୁଗତ ପ୍ରଣବପ୍ରକାଶ ଦାସଙ୍କ ମାତ୍ରାଧିକ ମାମଲାତି ଯୋଗୁ ପିଏସି ଠିକ୍ ଭାବେ କାର୍ଯ୍ୟ କରିପାରୁନଥିବାକାର୍ଯ୍ୟକଳାପ ଯୋଗୁଁ କମିଟି ସଠିକ୍ ଭାବେ କାର୍ଯ୍ୟକ୍ଷମ ହୋଇପାରୁନଥିବା ଚର୍ଚ୍ଚା ହେଉଛି । ନିଜର ଗୁରୁତ୍ୱ ବୃଦ୍ଧି କରିବା ପାଇଁ ସଂଗଠନ ଭିତରେ ଫାଟ ସୃଷ୍ଟି କରି ପ୍ରଣବପ୍ରକାଶ ରାଜନୀତିକ ଅସ୍ଥିରତା ବଢ଼ାଇଥିବା ଦଳୀୟ ମହଲରେ ଚର୍ଚ୍ଚା । ୱାକଫ୍ ବିଲ୍ ଓ ସଂସଦରେ ‘ଅପରେସନ୍ ସିନ୍ଦୂର’ ଆଲୋଚନାରେ ଦଳର ସାଂସଦମାନେ ଏନଡିଏକୁ ସମର୍ଥନର ଆଭିମୁଖ୍ୟ ପୋଷଣ କରିବାକୁ ନେଇ ରାଜ୍ୟରେ ଦଳୀୟ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି । ତେଣୁ ପିଏସିକୁ ମୋହରା କରି ଦଳ ଏବେ ଉପରାଷ୍ଟ୍ରପତି ନିର୍ବାଚନ ନିଷ୍ପତ୍ତି ନେଉଥିବା ଜଣାପଡ଼ିଛି । ଯଦିଓ ଉପରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ ଦଳର ଆଭିମୁଖ୍ୟ କ’ଣ ରହିବ ତାହା ଚୂଡ଼ାନ୍ତ କରିବାକୁ ପିଏସିକୁ ଦୀର୍ଘ ଦୁଇ ସପ୍ତାହ ପୂର୍ବରୁ କୁହାଯାଇଥିଲା ବୋଲି ସୂଚନା ମିଳିଛି ।

ଦଳରେ ଚାଲିଥିବା କନ୍ଦଳ ଓ ଛକାପଞ୍ଝା ଏଡ଼ାଇବା ପାଇଁ ନବୀନ-ପାଣ୍ଡିଆନ ଯୋଡ଼ି ଅତ୍ୟନ୍ତ ଚତୁରତାର ସହ ପିଏସିକୁ ଆଗକୁ ଆଣି ଉପରାଷ୍ଟ୍ରପତି ନିର୍ବାଚନରେ ଦଳର କାର୍ଡକୁ ଖୋଲିବାକୁ ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି । ଚଳିତବର୍ଷ ମେ’ ୫ତାରିଖରେ ବିଜେଡି ନିଜର ପିଏସି ପୁନର୍ଗଠନ କରିଥିଲା । ପିଏସିର ପ୍ରଥମ ବୈଠକ ମେ’ ୧୭ତାରିଖ ଓ ଦ୍ୱିତୀୟ ବୈଠକ ନବୀନ ଚିକିତ୍ସା ପାଇଁ ମୁମ୍ବାଇ ଗସ୍ତରେ ଯିବାର ଦିନକ ପୂର୍ବରୁ ଜୁନ୍ ୧୯ତାରିଖରେ ବସିଥିଲା ବୋଲି ଜଣାପଡ଼ିଛି ।

ସାଂସଦମାନଙ୍କୁ ଦିଲ୍ଲୀ ଡାକିଲା ଏନଡିଏ : ଉପରାଷ୍ଟ୍ରପତି ନିର୍ବାଚନରେ ଶତପ୍ରତିଶତ ମତଦାନକୁ ସୁନିଶ୍ଚିତ କରିବା ପାଇଁ ଏନଡିଏ ଜୋରଦାର ପ୍ରସ୍ତୁତି କରିଛି । ଏନଡିଏର ସମସ୍ତ ୪୨୫ ଜଣ ସାଂସଦଙ୍କୁ ସେପ୍ଟେମ୍ବର ୯ତାରିଖରେ ଦିଲ୍ଲୀରେ ଉପସ୍ଥିତ ରହି ଉପରାଷ୍ଟ୍ରପତି ନିର୍ବାଚନରେ ମତଦାନ କରିବାକୁ କୁହାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସାଂସଦମାନଙ୍କୁ ସେପ୍ଟେମ୍ବର ୮ତାରିଖ ରାତିରେ ‘ରାତ୍ରିଭୋଜନ’ରେ ଆପ୍ୟାୟିତ କରିବେ ବୋଲି ସୂଚନା ମିଳିଛି । ଏହାସହିତ ସେପ୍ଟେମ୍ବର ୬ରୁ ୮ ତାରିଖ ପର୍ଯ୍ୟନ୍ତ ସାଂସଦମାଙ୍କ ନିମନ୍ତେ କର୍ମଶାଳା ଓ ତାଲିମ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏହାସହିତ ସାଂସଦମାନେ ଯେଭଳି ଦିଲ୍ଲୀରେ ରହିବେ ସେଥିପାଇଁ ସଂସଦୀୟ କମିଟିର ବୈଠକମାନ ମଧ୍ୟ ଆୟୋଜନ ହୋଇଛି । ଯାହା ସାଂସଦମାନଙ୍କୁ ଦିଲ୍ଲୀରେ ରହିବା ପାଇଁ ପ୍ରେରିତ କରିବ । ଉପରାଷ୍ଟ୍ରପତି ନିର୍ବାଚନ ଗୁପ୍ତ ବାଲାଟରେ ହେବାର ଥିବାରୁ ଓ ଦଳୀୟ ହୁଇପ୍ ବ୍ୟବସ୍ଥା ନଥିବାରୁ ଏନଡିଏ ବେଶ୍ ସତର୍କତାର ସହ ନିଜର ସାଂସଦମାନଙ୍କ ଉପରେ ନଜର ରଖିଥିବା କୁହାଯାଉଛି । ଅବଶ୍ୟ ବିଜୟ ପାଇଁ ଆବଶ୍ୟକ ସଂଖ୍ୟା ୩୯୧ ଭୋଟ୍ ତୁଳନାରେ ଏନଡିଏ ପାଖରେ ଅଧିକ ୩୪ଟି ଭୋଟ ରହିଛି । ଅଣଏନଡିଏ ୱାଇଏସଆର କଂଗ୍ରେସ ମଧ୍ୟ ନିଜର ୧୧ଜଣ ସାଂସଦଙ୍କ ସମର୍ଥନ ଏନଡିଏ ପ୍ରାର୍ଥୀଙ୍କୁ ଦେବ ବୋଲି ଘୋଷଣା କରିସାରିଛି । ଯାହା ଏନଡିଏ ପ୍ରାର୍ଥୀଙ୍କ ଜିତିବା ବ୍ୟବଧାନକୁ ଅଧିକ ବଢ଼ାଇବ ।