ଆନ୍ତଃସ୍କୁଲ କ୍ରିକେଟ ଗୋପବନ୍ଧୁ ହାଇସ୍କୁଲ ବିଜୟୀ
କେନ୍ଦୁଝର : ଓଡିଶା କ୍ରିକେଟ ଆସୋସିଏସନ ଆନୁକୂଲ୍ୟରେ ଓ ଜିଲ୍ଲା କ୍ରୀଡା ସଂସ୍ଥା ସହଯୋଗରେ ସ୍ଥାନୀୟ ଷ୍ଟାଡିୟମ ପଡିଆଠାରେ ଅନୁଷ୍ଠିତ ଆଜିର ଅଷ୍ଟମ ଦିବସ ଗ୍ରୁପ ‘ବି'ର ଏକ ଲିଗ ପର୍ଯ୍ୟାୟ ଖେଳରେ ବଡ଼ବିଲର ଗୋପବନ୍ଧୁ ହାଇସ୍କୁଲ ଓ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ବିପକ୍ଷରେ ୯୩ ରନରେ ବିଜୟ ହାସଲ କରିଛି । ଏଥିସହ ଲିଗର ୩ଟି ମ୍ୟାଚରୁ ସବୁଥିରେ ବିଜୟ ଲାଭ କରି ୬ ପଏଣ୍ଟ ହାସଲ କରିବା ସହ ଫାଇନାଲରେ ପ୍ରବେଶ କରିଛି । ଆସନ୍ତା ଗୁରୁବାର ଫାଇନାଲ ଖେଳରେ ଗୋପବନ୍ଧୁ ହାଇସ୍କୁଲ କେନ୍ଦୁଝରର ସେଣ୍ଟ ଜାଭିଆର ହାଇସ୍କୁଲକୁ ଭେଟିବାର କାର୍ଯ୍ୟକ୍ରମ ଥିବାବେଳେ ଆସନ୍ତାକାଲି ହେବାକୁଥିବା ଅନ୍ତିମ ଲିଗ ମ୍ୟାଚର କୌଣସି ଗୁରୁତ୍ୱ ନାହିଁ । ଆଜିର ଖେଳରେ ଗୋପବନ୍ଧୁ ହାଇସ୍କୁଲ ଟସରେ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଗୋପବନ୍ଧୁ ହାଇସ୍କୁଲ ୨୦.୫ ଓଭରରେ ସମସ୍ତ ୱିକେଟ୍ ହରାଇ ୨୭୨ ରନ କରିବାକୁ ସକ୍ଷମ ହୋଇଥିଲା । ଦଳ ପକ୍ଷରୁ ଯୋଗେଶ୍ୱର ମହାନ୍ତି ୧୦ଟି ଚୌକା ଓ ୨ଟି ଛକା ବଳରେ ସର୍ବାଧିକ ୭୨ ରନ୍ ସଂଗ୍ରହ କରିଥିଲେ । ଅଧିନାୟକ ଆଶୁତୋଷ ନାୟକ ୩୧ ରନ ସଂଗ୍ରହ କରିଥିଲେ । ଏହାର ଜବାବରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ବ୍ୟାଟିଂ କରିବାକୁ ଆସି ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲ । ଦଳ ନିୟମିତ ବ୍ୟବଧାନରେ ଉଇକେଟର ପତନ ଘଟିଥିଲା । ସେମାନେ ୨୦.୧ ଓଭର ବ୍ୟାଟିଂ କରି ୭୯ ରନରେ ସମସ୍ତ ଉଇକେଟ ହରାଇଥିଲେ । ଦଳ ପକ୍ଷରୁ କ୍ରିଷ୍ଣାଜିତ ସାହୁ ସର୍ବାଧିକ ୨୦ ରନ ସଂଗ୍ରହ କରିଥିଲେ । ପ୍ରତିପକ୍ଷ ଦଳର ବୋଲର ଅଙ୍ଗଦ ଲୋଟିଆ ୪ ଓଭର ବୋଲିଂ କରି ୮ ରନ ଦେଇ ୪ଟି ଉଇକେଟ ନେଇଥିବା ବେଳେ ଦିବ୍ୟାଂଶୁ ପୃଷ୍ଟି ୧୧ ରନ ଦେଇ ୩ଟି ଉଇକେଟ ଅକ୍ତିଆର କରିଥିଲେ । ଆଜିର ଖେଳରେ ଗୋପବନ୍ଧୁ ହାଇସ୍କୁଲର ଅଙ୍ଗଦ ଲୋଟିଆ ନିଜର ଯାଦୁକରୀ ସ୍ପିନ ବୋଲିଂରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବ୍ୟାଟିଂ ବିପର୍ଯୟର ମୁଖ୍ୟ ନାୟକ ହୋଇଥିବାରୁ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ କରାଯାଇଥିଲା । ଏହି ଖେଳକୁ ବିଶ୍ୱମ୍ବର ମହାକୁଢ଼, ଯଶୋବନ୍ତ ମହାପାତ୍ର ପରିଚାଳନା କରିଥିବା ବେଳେ ଗିରିଶ ଚନ୍ଦ୍ର ହୋତା ମ୍ୟାଚ ରେଫରୀ ଏବଂ ରାଜେନ୍ଦ୍ର ସାହୁ ସ୍କୋରର ଦାୟିତ୍ୱ ତୁଲାଇ ଥିଲେ ।