ଗଜ ସାଥୀ ପ୍ରଶିକ୍ଷଣ ଓ ସଚେତନତା କାର୍ଯ୍ୟକ୍ରମ
ଚମ୍ପୁଆ: ଓଡିଶା ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରୀବର୍ତ୍ତନ ବିଭାଗ ପକ୍ଷରୁ ଆଜି ରଜିଆ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ଠାରେ ଗଜ ସାଥୀ ପ୍ରଶିକ୍ଷଣ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଚମ୍ପୁଆ ବନାଂଚଳ ରେଂଜର ତଥା ଏସିଏଫ୍ ଅକ୍ଷୟ ଛତ୍ରିୟାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପ୍ଜକ୍ଟ୍ର ସନ୍ତୋଷ କୁମାର ନାଏକ, ବନ୍ୟପ୍ରାଣୀ ବିଭାଗର ରାଜେଶ ମଣ୍ଡଳ, ତ୍ରିନାଥ ଜେନା ପ୍ରମୁଖ ଯୋଗ ଦେଇଥିବା ବେଳେ ମାଷ୍ଟର ଟ୍ରେନର ନିନି ବିଶ୍ୱାଳ ପ୍ରମୁଖ ଯୋଗ ଦେଇ ଉପସ୍ଥିତ ଗଜ ସାଥୀ ମାନଙ୍କୁ କର୍ତବ୍ୟ ଓ ଦାୟିତ୍ୱ ବିଷୟରେ ପରାମର୍ଶ ପ୍ରଦାନ କରିଥିଲେ । ଚମ୍ପୁଆ ବନାଂଚଳରେ ବର୍ଷକ ୧୨ ମାସ ଧରି ହାତୀ ଉପଦ୍ରବ ଲାଗି ରହିଥିବା ବେଳେ ହାତୀ ମଣିଷର ଲଢେଇ ପ୍ରାୟ ଦୈନନ୍ଦିନ ଘଟଣା ପାଲଟି ଗଲାଣି । ଏହାକୁ ପ୍ରତିରୋଧ କରିବା ପାଇଁ ପ୍ରତ୍ୟେକ ପଂଚାୟତରେ ଗଜ ସାଥୀ ମାନଙ୍କୁ ଚୟନ କରାଯାଇଥିବା ଏବଂ ଏହି ଗଜ ସାଥୀ ମାନେ ହାତୀ ଦାଉରୁ ଜନସାଧାରଣଙ୍କ ଧନଜୀବନର ସୁରକ୍ଷା ସହିତ ବନାଂଚଳ ସଦସ୍ୟ ଭାବେ ଜନସାଧାରଣ ଓ ବିଭାଗ ମଧ୍ୟରେ ସେତୁ ଭାବରେ କାମ କରିବାକୁ ଶ୍ରୀ ଛତ୍ରିୟା ଆହ୍ୱାନ ଦେଇଥିଲେ । ଗାଁକୁ ହାତୀ ପଶିଲେ ବିଭାଗକୁ ଖବର ଦେବା ସହିତ ଜନସାଧରଣଙ୍କ ସହିତ ଉତମ ବ୍ୟବହାର ମାଧ୍ୟମରେ ହାତୀ ଘଉଡେଇବା କାର୍ଯ୍ୟ କରିବା ଏବଂ କ୍ଷୟ କ୍ଷତିକୁ ରୋକିବା ଗଜ ସାଥୀର କର୍ତବ୍ୟ ବୋଲି କହିଥିଲେ । ବିଶେଷ ଭାବରେ ବନ ବିଭାଗ ପକ୍ଷରୁ କ୍ଷୁଧା ହିନ ଉଦର, ରୋଗ ହିନ ଶରୀର, ଆଲୋକିତ ଗ୍ରାମ, ଜ୍ଞାନ ଭରା ମନ, ପ୍ରଦୂଷଣ ମୁକ୍ତ ପରିବେଶ, ରସାୟନ ମୁକ୍ତ ଚାଷ, ସବୁଜ ବନାନି, ନିଆଁ ବିହୀନ ଜଙ୍ଗଲ, ଗଛଲତା ଭରା ଜଙ୍ଗଲ, ପ୍ରାକୃତିକ ସମ୍ବଳର ସୁଉପଯୋଗ, ଖାଦ୍ୟ ସୁରକ୍ଷା, ଲୋକଙ୍କ ପାଇଁ ବିକଳ୍ପ ରୋଜଗାର ଆଦି ଉପରେ ଗୁରୁତ୍ୱ ଦେଇଆସୁଥିବା ବେଳେ ଜନସାଧାରଣଙ୍କ ସହଯୋଗ ରହିଲେ କୌଣସି ଅଭାବ ରହିବ ନାହିଁ ବୋଲି ମତ ପ୍ରକାଶ ପାଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରାୟ ୫୦ରୁ ଉଦ୍ଧ୍ୱର୍ ଗଜ ସାଥୀ ଯୋଗ ଦେଇଥିବା ବେଳେ ବନପାଳ ସୁନିତା ବାଗ୍ଲେ, ତ୍ରିନାଥ ଜେନା ଓ ବନ କର୍ମଚାରୀ ମାନେ ଏହାକୁ ପରିଚାଳନା କରିଥିଲେ ।