୩୮୯୮ କୋଟିର ନିବେଶକୁ ମଞ୍ଜୁରୀ
ଭୁବନେଶ୍ୱର: ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକରେ ୩୮୯୮.୫୪ କୋଟି ଟଙ୍କାର ୧୯ଟି ନିବେଶ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅନୁମୋଦନ ହୋଇଥିବା ପ୍ରସ୍ତାବଗୁଡ଼ିକରେ ରାଜ୍ୟରେ ୭,୪୬୪ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଉଛି ।
ମଞ୍ଜୁରୀପ୍ରାପ୍ତ ପ୍ରସ୍ତାବଗୁଡ଼ିକ ଇସ୍ପାତ, ଲୌହ ଓ ଫେରୋ ଆଲଏଜ୍, ଶିଳ୍ପ-ଗ୍ୟାସ୍, ଲଜିଷ୍ଟିକ୍ସ, ଖାଦ୍ୟ ଓ ପାନୀୟ, କୃଷି ପ୍ରକ୍ରିୟାକରଣ, ପର୍ଯ୍ୟଟନ ଓ ଆତିଥେୟତା, ରାସାୟନିକ ପଦାର୍ଥ, ଧାତୁ, ପୋଷାକ ଓ ଟେକ୍ସଟାଇଲ୍ ଭଳି ବିଭିନ୍ନ ପ୍ରଭାବୀ କ୍ଷେତ୍ରରେ ଅନ୍ତର୍ଭୁକ୍ତ । ଏହି ପ୍ରସ୍ତାବଗୁଡ଼ିକ ଅନୁଗୋଳ, ବାଲେଶ୍ୱର, କଟକ, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ସମ୍ବଲପୁର ଓ ସୁନ୍ଦରଗଡ଼ ଆଦି ୧୧ଟି ଜିଲ୍ଲାରେ କାର୍ଯ୍ୟକାରୀ ହେବ ।
ଓଡ଼ିଶାର ଇସ୍ପାତ, ଲୌହ ଓ ଫେରୋ ଆଲଏଜ୍ କ୍ଷେତ୍ରରେ ରାଜ୍ୟର ଶିଳ୍ପ ଇକୋସିଷ୍ଟମକୁ ସୁଦୃଢ଼ କରିବା ଉଦେ୍ଦଶ୍ୟରେ ୪ଟି ଗୁରୁତ୍ୱପୂର୍ଣ୍ଣ ପୁଞ୍ଜିନିବେଶ ପ୍ରସ୍ତାବ ରହିଛି । ଟାଟା ଷ୍ଟିଲ ଏହାର ଅଶୋଧିତ ଇସ୍ପାତ କ୍ଷମତାକୁ ୭. ୧ ଏମଟିପିଏକୁ ବୃଦ୍ଧି କରିବା ପାଇଁ ୭ ଶହ କୋଟି ଟଙ୍କା ନିବେଶ କରିବ । କେନ୍ଦୁଝରରେ ଶ୍ରୀମେଟାଲିକ୍ସ ଲିମିଟେଡ୍ ଏହାର ସମନ୍ୱିତ ଇସ୍ପାତ କାରଖାନାର ସମ୍ପ୍ରସାରଣ ପାଇଁ ୮୮୫ କୋଟି ଟଙ୍କା ବିନିଯୋଗ କରିବ । ଲାଲ ବାବା ସିମଲେସ୍ ଟୁ୍ୟବସ୍ କଟକରେ ୨ ଶହ କୋଟି ଟଙ୍କାର ଟୁ୍ୟବ୍ ଉତ୍ପାଦନ କାରଖାନା ସ୍ଥାପନ କରିବାର ଥିବାବେଳେ ସୁର୍ଲନ୍ ଇଣ୍ଡିଆ ସୁନ୍ଦରଗଡ଼ରେ ୫୫ କୋଟି ଟଙ୍କା ନିବେଶ କରିବ ।
ଲିଣ୍ଡେ ଇଣ୍ଡିଆ ଯାଜପୁରରେ ଏକ ଅତ୍ୟାଧୁନିକ ଏୟାର ପୃଥକୀକରଣ ୟୁନିଟ୍ ପ୍ରତିଷ୍ଠା ପାଇଁ ୪୨୫ କୋଟି ଟଙ୍କା, ଭୁବନେଶ୍ୱରୀ ଫୁଡ୍ସ ଆଣ୍ଡ ବିଭରେଜ୍ ଖୋର୍ଦ୍ଧାରେ ପାନୀୟ ଉତ୍ପାଦନ ୟୁନିଟ୍ ସ୍ଥାପନ ପାଇଁ ୩ ଶହ କୋଟି ଟଙ୍କା ବିନିଯୋଗ କରିବ । ଏହାଛଡ଼ା ଏସିଏମଇ କ୍ଲିନ୍ ଏନର୍ଜି ଗଞ୍ଜାମରେ ୩୬୬ କୋଟି ଟଙ୍କାର ଏକ ଜେଟି-ବିହୀନ ଫ୍ଲୋଟିଂ ଟର୍ମିନାଲ୍ ବିକଶିତ କରିବାର ଥିବାବେଳେ ଖୋର୍ଦ୍ଧାରେ ବସନ୍ତବିହାର କନଷ୍ଟ୍ରକ୍ସନ ପକ୍ଷରୁ ୧୩୪.୫୦ କୋଟି ଟଙ୍କାର ଲଜିଷ୍ଟିକ୍ ପାର୍କ ପ୍ରତିଷ୍ଠା କରାଯିବ । ପର୍ଯ୍ୟଟନ ଓ ଆତିଥେୟତା କ୍ଷେତ୍ର ଖୋର୍ଦ୍ଧା, ଗଞ୍ଜାମ, ଅନୁଗୋଳ ଓ କୋରାପୁଟରେ
୬ଟି ପ୍ରକଳ୍ପକୁ ଆକର୍ଷିତ କରିଛି । ମୁଖ୍ୟ ପ୍ରସ୍ତାବଗୁଡ଼ିକ ମଧ୍ୟରେ ବୀରେନ୍ଦ୍ର ହୋଟେଲର ୧୦୫ କୋଟିର ରିସୋର୍ଟ ଏବଂ ୪ ତାରକା ହୋଟେଲ, ପ୍ରାୟ ଶହେ କୋଟି ଟଙ୍କାର ସ୍ପେକ୍ ବ୍ରୁ ହୋଟେଲ, ୮୬.୭୩ କୋଟି ଟଙ୍କାର ସୂର୍ଯ୍ୟ ଇକୋ ରିସୋର୍ଟ, ୮୦ କୋଟି ଟଙ୍କାର ଟେସ୍କ ହୋଟେଲ ଆଣ୍ଡ ମଲ୍ ଇନଫ୍ରା-ପ୍ରୋଜେକ୍ଟସ୍ ପ୍ରାଇଭେଟ୍ ଲିମିଟେଡ୍, ୭୮ କୋଟିର ସତ୍ୱା ଓଲିଓ ପ୍ରାଇଭେଟ୍ ଲିମିଟେଡ୍ ଏବଂ ୫୫.୫୦ କୋଟି ଟଙ୍କାର ଟିକେ-ଇଣ୍ଟରନ୍ୟାସନାଲ ଲିମିଟେଡ୍ ମିଳିତ ଭାବେ ୧୪୪୮ରୁ ଅଧିକ ନିଯୁକ୍ତି ସୃଷ୍ଟି ଲକ୍ଷ୍ୟ ରଖିଛନ୍ତି । ଏହାଛଡ଼ା ଜୟଶ୍ରୀ ଟି ଆଣ୍ଡ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ବାଲେଶ୍ୱରରେ ଏକକ ସୁପର ଫସଫେଟ୍ ପ୍ଲାଣ୍ଟ ସ୍ଥାପନ ପାଇଁ ୬୧ କୋଟି ଟଙ୍କା ବିନିଯୋଗ କରିବ । ଏଚଭିଜି ଇଣ୍ଡଷ୍ଟ୍ରିଜ୍ ଖୋର୍ଦ୍ଧାରେ ୫୫ କୋଟି ଟଙ୍କାର ପ୍ଲାଷ୍ଟିକ୍ ଓ କେମିକାଲ ୟୁନିଟ୍ ସ୍ଥାପନ କରିବାର ଥିବାବେଳେ କଳିଙ୍ଗ ଇନଫ୍ରା ପ୍ରୋଜେକ୍ଟସ୍ ସମ୍ବଲପୁରରେ ୬୦ କୋଟିର କ୍ରାସ୍ ବ୍ୟାରିୟର ଉତ୍ପାଦନ ୟୁନିଟ୍ ସ୍ଥାପନ କରିବ । କେନ୍ଦୁଝରରେ ଶ୍ରୀଜଗନ୍ନାଥ ସପ୍ଲାଏ କମ୍ପାନୀ ୫୧.୪୦ କୋଟି ଟଙ୍କା ବିନିଯୋଗ କରି ଆଖୁ ଦୋରୁହ ପ୍ରସ୍ତୁତ କରିବ । ଶ୍ରୀସିଦ୍ଧି ବିନାୟକ ଟେକ୍ସକୋର୍ସ ଖୋର୍ଦ୍ଧାରେ ସୂତା ରଙ୍ଗ ଓ ବୁଣା କପଡ଼ା ପ୍ରକ୍ରିୟାକରଣ ୟୁନିଟ୍ ସ୍ଥାପନ କରିବ । ୧୦୦ କୋଟି ବିନିଯୋଗରେ ଏହି ପ୍ରକଳ୍ପ ୧୦୭୦ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।