ହରିଲୁଟ୍ ହୋଇଛି କୋଟି କୋଟି ଟଙ୍କା  , ଡିଏମଏଫ ଅଡ଼ିଟ ରିପୋର୍ଟ ମାଗିଲେ ଧର୍ମଶାଳା ବିଧାୟକ


ାା ପ୍ରଭାନୁ୍ୟଜ୍ ।ା ଯାଜପୁର :  ବିଭିନ୍ନ ପ୍ରସଙ୍ଗକୁ ନେଇ ଏକ ପ୍ରକାର ଚର୍ଚ୍ଚାରେ ରହିଥିବା ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଶନିବାର ଏକ ସମୀକ୍ଷା ବୈଠକରେ ଜିଲାପାଳଙ୍କୁ ଡ଼ିଏମଏଫ ଫଣ୍ଡ ଅଡ଼ିଟ ରିପୋର୍ଟ ମାଗିବା ସହ କୋଟିକୋଟି ଟଙ୍କା ହରିଲୁଟ ହୋଇଥିବା ଅଭିଯୋଗ ଆଣି ବିଗତ ସରକାର ଏବଂ ବିଧାୟକଙ୍କ ଆଡ଼କୁ ଅଙ୍ଗୁଳି ଉଠାଇଛନ୍ତି । ଜିଲାପାଳ ପି.ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଧର୍ମଶାଳା ବିଧାୟକ ଖଣିଜ ପାଣ୍ଠି ବା ଡ଼ିଏମଏଫ ପାଣ୍ଠିରୁ କୋଟିକୋଟି ଟଙ୍କା ହରିଲୁଟ୍ ହୋଇଥିବା କଥା ଉଠାଇଥିଲେ । ଚଞ୍ଚକତା କରାଯାଇ ପ୍ରଭାବିତ ଅଞ୍ଚଳ ବଦଳରେ ଯାଜପୁର ନିର୍ବାଚନ ମଣ୍ଡଳୀରେ ଡ଼ିଏମଏଫ ଅର୍ଥ ବିନିଯୋଗ କରାଯାଇଛି । ପାନୀୟ ଜଳ, ଶିକ୍ଷାନୁଷ୍ଠାନ, ରାସ୍ତା ଘାଟ ବା ମୈାଳିକ ସମସ୍ୟା ଦୂର ପାଇଁ ଡ଼ିଏମଏଫ ଅର୍ଥ ବିନିଯୋଗ କରିବାର ବିଧେୟ ରହିଥିବା ବେଳେ ପ୍ରାକ୍ତନ ଯାଜପପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଚଞ୍ଚକତା କରି ମୂର୍ତ୍ତି ଗଢାରେ କୋଟି କୋଟି ଟଙ୍କା ଖର୍ଚ କରାଇଛନ୍ତି । ଧର୍ମଶାଳା ଏବଂ ସୁକିନ୍ଦା ଖଣି ଅଞ୍ଚଳରୁ ଆସୁଥିବା ଅର୍ଥକୁ କାହିଁକି ଏବଂ କିପରି ବିଭିନ୍ନ ବାବଦରେ ବିନିଯୋଗ କରାଯାଇଛି, ଏବଂ କେତେ କୋଟିଟଙ୍କା ଯାଜପୁରରେ ଖର୍ଚ୍ଚ କରାଯାଇଛି, ତାହାର ହିସାବ ମାଗିଥିଲେ ବିଧାୟକ । 
ପ୍ରଶାସନୀକ ଅଧିକାରୀଙ୍କ ସହ ଅନୁଷ୍ଠିତ ସମୀକ୍ଷା ବୈଠକରେ ବିଧାୟକ ମେଡ଼ିକାଲ କଲେଜ ସମ୍ମୁଖରେ ନିର୍ମାଣଧିନ୨୦ଫୁଟ ଉଚ୍ଚତାର ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତି ଡ଼ିଏମଏଫ ଟଙ୍କାରେ ନିର୍ମାଣ ହୋଇଥିବା କହିବା ସହ ଅଡ଼ିଟ ରିପୋର୍ଟ ମାଗିଥିଲେ । ବୈଠକରେ ଧର୍ମଶାଳା ବିଡ଼ିଓ, ତହସିିଲଦାର, ପ୍ରଦୂଷଣ ଅଧିକାରୀ, ପୂର୍ତ ଅଧିକାରୀଙ୍କ ସହ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ରହିଥିଲେ । ବିଜେଡ଼ି ସରକାର ଅମଳରେ ହୋଇଥିବା ବିଭିନ୍ନ କାର୍ଯ୍ୟରେ ହୋଇଥିବା ଦୁର୍ନୀତିକୁ ଲୋକଲୋଚନକୁ ଆଣିବାକୁ ଧର୍ମଶାଳା ବିଧାୟକ ଗୋଟିଏ ପରେ ଗୋଟିଏ ଗେମ ଖେଳୁଥିବା ଆଲୋଚନା ହେଉଛି ।