୩ ବର୍ଷିଆ ବଦଳି ନିୟମ ଫୁ: ବର୍ଷବର୍ଷ ଧରି ଗାଦି ମାଡ଼ି ବସିଛନ୍ତି ଅଧିକାରୀ ଓ କର୍ମଚାରୀ

ଯାଜପୁର : ସରକାର ବଦଳିବାକୁ ଗୋଟିଏ ବର୍ଷ ପୁରଣ ହେବାକୁ ଯାଉଛି । ସାଧାରଣ ଜନତା ସିନା ସରକାର ବଦଳେଇ ଦେଲେ କିନ୍ତୁ ବିଜେପି ସରକାର ବର୍ଷ ବର୍ଷ ଧରି ବିଭିନ୍ନ କାର୍ଯ୍ୟାଳୟରେ ଗାଦି ମାଡ଼ି ବସିଥିବା ଅଧିକାରୀ ଓ କର୍ମଚାରୀଙ୍କୁ ବଦଳି କରିବାରେ ସମର୍ଥ ହୋଇପାରି ନାହାନ୍ତି । ଗାଦିମଡ଼ା ଅଧିକାରୀ ଏବଂ କର୍ମଚାରୀ ଧରାଧରି କରିବାରେ ଧୂରନ୍ଧର ଥିବାରୁ ଗୋଟିଏ କାର୍ଯ୍ୟାଳୟ ଲମ୍ବା ସମୟଧରି ଧରି କାର୍ଯ୍ୟ କରୁଛନ୍ତି । ପୂର୍ବ ସରକାର ଅମଳରେ ଚାଲିଥିବା ଆଖିବୁଜା ଦୁର୍ନୀତିରେ ଏଭଳି ଗାଦି ମଡ଼ା ଅଧିକାରୀ ଓ କର୍ମଚାରୀ ଅଂଶୀଦାର ସାଜିଥିଲେ ବୋଲି ଅଭିଯୋଗ ଆଣୁଥିବା ମହଲ ଏବର ସରକାର କାହିଁକି ବଦଳି ନିୟମକୁ କଡ଼ାକଡ଼ି କରୁନାହାନ୍ତି, ତାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ।  ସେମାନଙ୍କ କହିବା କଥା ଯାଜପୁର ଜିଲାର ବ୍ଲକ ସ୍ତରରୁ ଜିଲାସ୍ତର ଯାଏଁ ଯେଉଁ ଗାଦି ମଡ଼ା ଅଧିକାରୀ ଓ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଥିବା ଅଧସ୍ତନ କର୍ମଚାରୀ ମାନେ ରହିଛନ୍ତି ସେମାନଙ୍କ ପାଇଁ ଯଦି ସରକାରଙ୍କ ୩ ବର୍ଷୀୟା ବଦଳି ନିୟମ ଲାଗୁ ହୋଇଥାନ୍ତା ତେବେ ପ୍ରଶାସନ ଅଧିକ ସ୍ୱଚ୍ଛ, ଉତ୍ତରଦାୟୀ ଏବଂ ଲୋକାଭିମୁଖୀ ହୋଇ ପାରିଥାନ୍ତା । ମାତ୍ର ସରକାରଙ୍କ ନିଦେ୍ର୍ଦଶରେ କେବଳ କିଛି ପଞ୍ଚାୟତ ନିର୍ବାହୀ ଅଧିକାରୀ, ଗ୍ରାମ ରୋଜଗାର ସେବକ, ରାଜସ୍ୱ ନିରୀକ୍ଷକ ଏବଂ କିରାଣୀଙ୍କୁ ହିଁ ନୂଆ ସରକାର ଆସିବା ପରେ ଜିଲ୍ଲା ପ୍ରଶାସନ ବଦଳି କରି କର୍ତବ୍ୟ ସମ୍ପାଦନ ସାରି ଦେଇଥିଲେ ସିନା କିନ୍ତୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଥିବା ଗାଦି ମଡ଼ା ଅଧସ୍ତନ କର୍ମଚାରୀଙ୍କ ଗାଦି ହଲେଇବାକୁ ସକ୍ଷମ ହୋଇ ପାରି ନାହାଁନ୍ତି । ଫଳରେ ପୂର୍ବସ୍ଥିତି ଅପରିବର୍ତିତ ରହିଛି । ପୂର୍ତ, ଗ୍ରାମ୍ୟ ନିର୍ମାଣ, ପଞ୍ଚାୟତିରାଜ ଓ ପାନୀୟ ଜଳ, ଜଳସେଚନ ବିଭାଗରେ ହିଁ ଅଧିକ ମାତ୍ରାରେ ସେଭଳି ଗାଦି ମଡ଼ା ଅଧିକାରୀ ଓ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଥିବା ଅଧସ୍ତନ କର୍ମଚାରୀଙ୍କ ସମେତ ବିଭିନ୍ନ ହସ୍ପିଟାଲରେ କାର୍ଯ୍ୟରତ ବହୁ ଡାକ୍ତର, ଫାର୍ମାସିଷ୍ଟ, ଷ୍ଟାଫନର୍ସ ଓ ଅନ୍ୟ ଅଧସ୍ତନ ମାନେ ଗୋଟିଏ ଗୋଟିଏ ସ୍ଥାନରେ ୧୦/୧୫ବର୍ଷ ଧରି ରହିଥିବା ଅଭିଯୋଗ ହେଉଛି । ତେବେ ଡାଟା ଏତ୍ତଣ୍ଟ୍ରିଅପରେଟର ମାନେ ଅସ୍ଥାୟୀ କର୍ମଚାରୀ ହୋଇଥିଲେ ମଧ୍ୟ ନିର୍ଦ୍ଧିଷ୍ଟ ଗୋଟିଏ ସ୍ଥାନରେ ଲମ୍ବା ସମୟ ଧରି ଅବସ୍ଥାପିତ ହୋଇ ଆସିଥିବା ଯୋଗୁଁ ସମ୍ପୃକ୍ତ କାର୍ଯ୍ୟାଳୟରେ ଚାଲି ଆସୁଥିବା ଦୁର୍ନୀତିର ସେମାନେ କି-ମ୍ୟାନ୍ ସାଜିଥିବା ମଧ୍ୟ ଅଭିଯୋଗ ହେଉଛି । ରାଜ୍ୟ ସରକାର ଏଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଜରୁରୀ ହୋଇପଡ଼ିଛି । ଯାଜପୁର ଜିଲାରେ ନିଜ ପଦରେ ୩ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି କାର୍ଯ୍ୟ କରୁଥିବା ସଂଖ୍ୟା ଅସଂଖ୍ୟ ବୋଲି ଆକଳନ  କରାଯାଇଛି । ଜନୈକ ସାମାଜିକ କର୍ମୀ ଟିପ୍ପଣୀ ଦେଇ କହିଛନ୍ତି କି ଡ଼ିଆରଡ଼ିଏରୁ ଆରମ୍ଭ କରି ଏଏନଏମ ପର୍ଯ୍ୟନ୍ତ ଗୋଟିଏ ସ୍ଥାନରେ ବର୍ଷବର୍ଷ ଧରି କାର୍ଯ୍ୟ କରିଆସୁଛନ୍ତି । ତାଙ୍କ କହିବା କଥା ଜିଲ୍ଲା କ୍ରୀଡ଼ା ବିଭାଗ, ଯାଜପୁର କଲେକ୍ଟରେଟ, ହସ୍ତଶିଳ୍ପ ଜାରକା, ଗ୍ରାମ୍ୟ ଜଳ ଯୋଗାଣ ପରିମଳ ସଂସ୍ଥା ଧର୍ମଶାଳା ବ୍ଲକ, ବରୀ ବ୍ଲକ, ପଏଚସି ଡ଼ୁବୁରୀ, ସୁକିନ୍ଦା ବ୍ଲକ, ସିଡିଏମଓ କାର୍ଯ୍ୟାଳୟ, ସିଏଚସି, ଯାଜପୁର ଜଳସେଚନ ଡ଼ିଭିଜନ, ଧର୍ମଶାଳା ତହସିଲ, ସମଗ୍ର ଶିକ୍ଷା, ଜିଲ୍ଲା ଡାଟା ପରିଚାଳକ, ଆପାତକାଳୀନ ବିଭାଗ, ପରିବହନ ବିଭାଗରେ ଏଭଳି ଅଛନ୍ତି ଯେଉଁ ମାନେ ୪ରୁ ୧୮ବର୍ଷ ପର୍ଯ୍ୟନ୍ତ ଗାଦିମାଡ଼ି ବସିଛନ୍ତି । ଏମାନଙ୍କ ପାଇଁ ସରକାରଙ୍କ ୩ ବର୍ଷୀୟା ବଦଳି ନିୟମ ଲାଗୁ ନ ହେବା ପଛର କାରଣ-ସେମାନଙ୍କ ପାରଦର୍ଶିତା ନା ପାରିବା ପଣିଆ? ତାହାର ଆଲୋଚନା ସାମାଜିକ ସୋସିଆଲ ମିଡ଼ିଆରେ ହେବାରେ ଲାଗିଛି । ରାଜ୍ୟ ସରକାର ଏଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଜରୁରୀ ହୋଇ ପଡ଼ିଛି ।