୫୩ ନମ୍ବର ଜାତୀୟ ରାଜପଥରେ ଲାଗୁଛି ଚୋରା ମୋରମ
କବାଟବନ୍ଧ: ଚଣ୍ଡିଖୋଲ-ଡୁବୁରୀ ୫୩ ନମ୍ବର ଜାତୀୟ ରାଜପଥ ୩୯ କିଲୋମିଟର ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଦୀର୍ଘ ବର୍ଷ ହେଲା ଚାଲୁ ରହିଛି । ଅନେକ ସ୍ଥାନରେ ଫ୍ଲାଏ ଓଭର ବ୍ରିଜ ନିର୍ମାଣ କରାଯାଉଛି । ଏହି ସ୍ଥାନରେ ମୋରମ ପଡିବାର ବ୍ୟବସ୍ଥା ରହିଛି । ରାସ୍ତାର ଚଢେଇଧରା ତାରିଣୀ ଛକରେ ଏକ ଫ୍ଲାଏଓଭର ବ୍ରିଜ ନିର୍ମାଣ କରାଯାଉଛି । ଉକ୍ତ ବ୍ରିଜରେ ଚୋରା ମୋରମ ବ୍ୟବହାର କରାଯାଉଥିବାର ଅଭିଯୋଗ ହେଉଛି । ଧର୍ମଶାଳା ତହସିଲ ଅଧିନରେ ମୋରମ ଖଣି କାହାକୁ ଲିଜ ଦିଆଯାଇନାହିଁକି ଅସ୍ଥାୟୀ ପର୍ମିଟ ମଧ୍ୟ କେହି ପାଇନାହାନ୍ତି । ହେଲେ ରାଜପଥ କାର୍ଯ୍ୟପାଇଁ ଶହଶହ ଟ୍ରିପ ମୋରମ ଆସୁଛି କେଉଁଠୁ ବୋଲି ଚର୍ଚ୍ଚା ହେଉଛି । ପୂର୍ବରୁ ଏହି ରାସ୍ତାରେ ଚୋରା ମୋରମ ବ୍ୟବହାର କରାଯାଇ ଆସୁଥିବା ବେଳେ ଏବେ ବି ଶହଶହ ଟ୍ରିପ ମୋରମ ଲାଗୁଛି । ଏଣୁ ଠିକା ସଂସ୍ଥା ଚୋରାରେ ମୋରମ ଆଣି ଜାତୀୟ ରାଜପଥ ନିର୍ମାଣ କାମରେ ବ୍ୟବହାର କରୁଛନ୍ତି । କିଛି ଅସାଧୁ କର୍ମଚାରୀଙ୍କ ସହିତ ସୁସମ୍ପର୍କ ରଖି ମାଫିଆ ମୋରମ ଲୁଟ୍ କରି ଯୋଗାଉଛନ୍ତି । ମାଫିଆ ରାଜସ୍ୱ, ଜଙ୍ଗଲ କିସମ, ଗୋଚର ଜାଗାରୁ ମୋରମ ଉଠାଇ ରାଜପଥକୁ ପରିବହନ କରୁଛନ୍ତି । ଯାହା ଫଳରେ କୋଟି କୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି ସରକାର । ଏହି ସବୁ ମୋରମ ତାରିଣୀ ଛକ କାଜୁ ଫିଲଡ ପଛ, ବାଘୁଆ, ଅଞ୍ଜିରା, ଲୁଣୀବର ଆଦି ଅନେକ ସ୍ଥାନରୁ ଆସି ରାସ୍ତା କାର୍ଯ୍ୟରେ ବ୍ୟବହାର ହେଉଥିବା ପୂର୍ବରୁ ଅଭିଯୋଗ ହୋଇ ଆସୁଥିଲା । ଠିକାସଂସ୍ଥା ଚୋରାରେ କମ ପଇସାରେ କିଣି ଅଧିକ ଲାଭବାନ୍ ହେଉଛନ୍ତି । କୋଟିକୋଟି ଟଙ୍କାର ଲଘୁ ଖଣିଜ ସମ୍ପଦ ଲୁଟ୍ ହେଉଥିବା ବେଆଇନ କାମ ଉପରେ ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି ।