କ୍ୱାଡ ପାଇଁ ୨୧ରେ ୟୁଏସଏ ଯିବେ ମୋଦି, ଜାତିସଂଘକୁ କରିବେ ସମ୍ବୋଧନ


ାା ଏଜେନ୍ସି ।ା ନୂଆଦିଲ୍ଲୀ  : ଆସନ୍ତ ୨୧ ତାରିଖରୁ ୨୩ ତାରିଖ ଯାଏ ଆମେରିକା ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କ୍ୱାଡ ନେତାମାନଙ୍କ ୪ର୍ଥ ସମ୍ମିଳନୀରେ ଯୋଗ ଦେବାକୁ ସେ ଆମେରିକା ଯାଉଛନ୍ତି । ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ନୁ୍ୟୟର୍କରେ ଥିବା ମିଳିତ ଜାତିସଂଘର ସାଧାରଣ ମହାସଭାକୁ ମଧ୍ୟ ସମ୍ବୋଧନ କରିବେ । ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଆୟୋଜନ କରୁଥିବା କ୍ୱାଡ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ସାମିଲ ହେବେ । ୱିଲମିଙ୍ଗଟନରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ । କ୍ୱାଡରେ ଭାରତ ବ୍ୟତୀତ ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ ରହିଛନ୍ତି । ବୈଠକରେ କ୍ୱାଡ ବର୍ଷକ ମଧ୍ୟରେ କ’ଣ ସବୁ ହାସଲ କରିଛି, ତା’ ଉପରେ ଆଲୋଚନା ହେବ । ସେହିପରି ବିକାଶ ପାଇଁ ଆଗାମୀ ଦିନର ଏଜେଣ୍ଡାକୁ ଧାର୍ଯ୍ୟ କରାଯିବ । ୪ର୍ଥ କ୍ୱାଡ ସମ୍ମିଳନୀ ଆମେରିକା ଆୟୋଜନ କରୁଥିବା ବେଳେ ପରବର୍ତ୍ତୀ ସମ୍ମିଳନୀ ଭାରତ ହୋଷ୍ଟ କରିବ । ସେପ୍ଟେମ୍ବର ୨୩ରେ ପ୍ରଧାନମନ୍ତ୍ରୀ ନୁ୍ୟୟର୍କରେ ଥିବା ମିଳିତ ଜାତିସଂଘର ମହାସଭାରେ ଆୟୋଜିତ ‘ଭବିଷ୍ୟତର ସମ୍ମିଳନୀ’ ଶୀର୍ଷକ କାର୍ଯ୍ୟକ୍ରମକୁ ସମ୍ବୋଧନ କରିବେ । ଏଥିରେ ଅନେକ ବିଶ୍ୱ ନେତା ଯୋଗଦେବେ । ସମ୍ମିଳନୀ ସମୟରେ ପ୍ରଧାନମନ୍ତ୍ରୀ ବିଭିନ୍ନ ଦେଶର ନେତାଙ୍କ ସହ ସାମୂହିକ ସ୍ୱାର୍ଥ ପାଇଁ ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ନୁ୍ୟୟର୍କରେ ରହଣୀ ସମୟରେ ପ୍ରଧାନମନ୍ତ୍ରୀ ମୋଦି ସେପ୍ଟେମ୍ବର ୨୨ରେ ଭାରତୀୟ ବଂଶୋଦ୍ଭବମାନଙ୍କୁ ମଧ୍ୟ ଭେଟିବେ । ସେ ଆମେରିକା ଭିତ୍ତିକ ବଡବଡ କମ୍ପାନୀର ସିଇଓମାନଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଭାରତ ଓ ଆମେରିକା ଦ୍ୱିପାକ୍ଷିକ ସମ୍ପର୍କରେ ସେତୁ ଭଳି କାର୍ଯ୍ୟ କରୁଥିବା ଅଂଶୀଦାରମାନଙ୍କ ସହ ମଧ୍ୟ ମୋଦି କଥା ହେବେ ବୋଲି କୁହାଯାଇଛି ।