ସ୍କୁଲକୁ ଦିଆଯିବ ‘ଯାଦୁ ପେଡ଼ି’

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନ ଠାରେ ଶିଶୁ ବାଟିକା ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ ଯାଦୁପେଡି ଦେଖିବା ସହିତ, ପିଲାମାନଙ୍କ ପାଇଁ ଏହାର ଉପଯୋଗୀତା ବିଷୟରେ ବୁଝିଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶାଳିନୀ ପଣ୍ଡିତ ଯାଦୁପେଡି ଭିତରେ ଥିବା ବିଭିନ୍ନ ସାମଗ୍ରୀ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ମୁଖ୍ୟମନ୍ତ୍ରୀ ଏହି ପେଡି ଭିତରେ ଥିବା ସାମଗ୍ରୀ ଦେଖି ଖୁସି ବ୍ୟକ୍ତ କରି କହିଥିଲେ, ଛୋଟ ଛୋଟ ପିଲାମାନେ ନିଜ ପାରିପାର୍ଶ୍ୱିକ ଅଞ୍ଚଳରେ ବ୍ୟବହାର୍ଯ୍ୟ ସାମଗ୍ରୀ ଓ ଏହାର ଉପଯୋଗୀତା ବିଷୟରେ ଏହି ଯାଦୁପେଡିରେ ଥିବା ଖେଳନାରୁ ଶିଖି ପାରିବେ । ଶିଶୁମାନଙ୍କୁ ଏହି ଯାଦୁପେଡ଼ିର ଖେଳନାଗୁଡିକ ଶିଖିବା ସହିତ ପାଠ ପ୍ରତି ମଧ୍ୟ ଆକର୍ଷିତ କରିବ ।
ସୂଚନାଯୋଗ୍ୟଯେ, ନୂତନ ଶିକ୍ଷା ନୀତି ୨୦୨୦ ଅନୁଯାୟୀ ଛୋଟ ଛୋଟ ପିଲାମାନଙ୍କ ପାଇଁ ଏହି ଯାଦୁପେଡିର ପରିକଳ୍ପନା କରାଯାଇଛି । ଏହାକୁ ଏନସିଇଆରଟି ଦ୍ୱାରା ପ୍ରସ୍ତୁତ କରାଯାଇଛି । ଶିଶୁ ବାଟିକା, ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପିଲାମାନଙ୍କ ପାଇଁ ଏହି କିଟ୍ ପ୍ରଦାନ କରାଯିବ । ପ୍ରତ୍ୟେକ କିଟ୍ ପାଇଁ ପ୍ରାୟ ୨୦ ହଜାର ଟଙ୍କା ଖର୍ଚ୍ଚ କରାଯାଇଛି । ରାଜ୍ୟର ୪୫ ହଜାର ସ୍କୁଲରେ ଏହାକୁ ଆବଣ୍ଟିତ କରାଯିବ ଏବଂ ସମୁଦାୟ ୯୦ କୋଟି ଟଙ୍କା ଖର୍ଚ୍ଚ ହେବ ।