ଉଚ୍ଚସ୍ତରୀୟ ବୈଠକରେ ମୋଦିଙ୍କ ନିଷ୍ପତ୍ତି : ସେନାକୁ ପୂର୍ଣ୍ଣ ସ୍ୱାଧୀନତା

ାା ଏଜେନ୍ସି ।ା ନୂଆଦିଲ୍ଲୀ: ସେନାକୁ ପୂର୍ଣ୍ଣ ସ୍ୱାଧୀନତା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପାକ୍ ଆତଙ୍କୀ ଆକ୍ରମଣ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ୱାଧୀନତା ଦିଆଯାଇଛି । କିଭଳି ଓ କେଉଁ ସ୍ଥାନରେ ଆକ୍ରମଣ ହେବ, କେଉଁ ସମୟରେ କରାଯିବ ତାହା ସେନା ହିଁ ନିଷ୍ପତ୍ତି ନେବେ । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ସୁରକ୍ଷା କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।
ଆଜି ନୂଆଦିଲ୍ଲୀସ୍ଥିତ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଏହି ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରାୟ ଦେଢ଼ ଘଣ୍ଟା ଧରି ଏହି ବୈଠକ ଚାଲିଥିଲା । ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ, ଚିଫ୍ ଅଫ ଡିଫେନ୍ସ ଜେନେରାଲ ଅନୀଲ ଚୌହ୍ୱାନ, ଆର୍ମି ଚିଫ୍ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ, ନାଭି ଚିଫ୍ ଆଡ଼ମିରାଲ୍ ଦୀନେଶ କେ ତ୍ରିପାଠୀ ଓ ଏୟାର ଚିଫ ମାର୍ଶାଲ ଅମର ପ୍ରୀତ ସିଂ ପ୍ରମୁଖ ଉପସ୍ଥିତ ଥିଲେ ।
ଆତଙ୍କବାଦୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱାରୋପ କରିଥିଲେ । ଭାରତୀୟ ସେନାର ସାମର୍ଥ୍ୟ ଉପରେ ତାଙ୍କର ବିଶ୍ୱାସ ରହିଛି ବୋଲି ସେ କହିବା ସହ ପୂର୍ଣ୍ଣ ସ୍ୱାଧୀନତା ପ୍ରଦାନ କରିଛନ୍ତି । ସେହିପରି ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ସଂକ୍ରାନ୍ତୀୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ ବୋଲି ଜାଣିବାକୁ ମିଳିଛି । ଗତ ସୋମବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରଧାନମନ୍ତ୍ରୀଙ୍କୁ ଜାମ୍ମୁକାଶ୍ମୀରର ସୁରକ୍ଷା ସଂକ୍ରାନ୍ତରେ ଅବଗତ କରାଇଥିଲେ ।