ଗୃହରେ ଦରମା ଓ ପେନସନକୁ ନେଇ ଉଦ୍ବେଗ
ଭୁବନେଶ୍ୱର: ସକାଳୁ ଉଠିଲେ ବିଧାୟକଙ୍କୁ ହଜାର ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି । ଦିନକୁ ୨୦ରୁ ୫୦ ହଜାର ପର୍ଯ୍ୟନ୍ତ ଖର୍ଚ୍ଚ ହେଉଛି । ଡ୍ରାଇଭର, ପିଏ ଠାରୁ ନେଇ ଅନ୍ୟ ଅଫିସ କର୍ମଚାରୀଙ୍କୁ ବି ଦରମା ଦେବାକୁ ପଡୁଛି । ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ବିଧାୟକମାନଙ୍କୁ କମ୍ ଦରମା ଓ ଅନ୍ୟାନ୍ୟ ସୁବିଧାସୁଯୋଗ ମିଳୁଛି । ସେହିପରି ପୂର୍ବତନ ବିଧାୟକମାନେ ବହୁ କଷ୍ଟରେ ଅଛନ୍ତି । ତେଣୁ ସେମାନଙ୍କ ପେନସନ ବି ବୃଦ୍ଧି କରିବା ଦରକାର । ଗୃହରେ ଆଜି ସବୁ ଦଳର ବିଧାୟକମାନେ ଏଭଳି ଭାବେ ଉଦବେଗ ପ୍ରକାଶ କରିଥିଲେ । ବାଚସ୍ପତି ସୁରମା ପାଢ଼ୀ ମଧ୍ୟ ବିଧାୟକଙ୍କ ଉଦବେଗ ସହ ଏକମତ ହୋଇଥିଲେ ।
ଅପରପକ୍ଷରେ ବିଧାୟକଙ୍କ ଦରମା ଓ ପୂର୍ବତନ ବିଧାୟକମାନଙ୍କ ପେନସନ ବୃଦ୍ଧି ନେଇ ବାଚସ୍ପତି ସୁରମା ପାଢ଼ୀ କମିଟି ଗଢ଼ିଛନ୍ତି । ବିଜେପି ବିଧାୟକ ଭାସ୍କର ମଢ଼େଇଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ଉପମୁଖ୍ୟ ସଚେତକ ପ୍ରତାପ କେଶରୀ ଦେବ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ, ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି, ସିପିଆଇଏମ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ବିଜେପି ବିଧାୟକ ପ୍ରକାଶ ସୋରେନ, ସନାତନ ବିଜୁଳି, ନିହାର ରଞ୍ଜନ ମହାନନ୍ଦ, ସୀମାରାଣୀ ନାୟକ ଓ ପୂର୍ଣ୍ଣଚନ୍ଦ୍ର ସେଠୀ ପ୍ରମୁଖ ସଭ୍ୟ ରହିଛନ୍ତି । ଏହି କମିଟି ରିପୋର୍ଟ ଦେବା ପରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି ।
ଆଜି ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଥିଲେଯେ, ବଜାରରେ ଦରଦାମ ବଢ଼ିଚାଲିଛି । ଦିନକୁ ବିଧାୟକମାନଙ୍କର ୨୦ରୁ ୫୦ ହଜାର ପର୍ଯ୍ୟନ୍ତ ଖର୍ଚ୍ଚ ହେଉଛି । ବିଧାୟକ ପାଣ୍ଠି ବି ୩ କୋଟିରୁ ୫ କୋଟିକୁ ବୃଦ୍ଧି କରିବା ଦରକାର । ସେହିପରି ପୂର୍ବରୁ ହୋଇଥିବା କମିଟି ବିଧାୟକଙ୍କ ଦରମା ଅଢ଼େଇ ଲକ୍ଷ ଓ ପେନସନ ୭୦ ହଜାରକୁ ବୃଦ୍ଧି କରିବାକୁ ସୁପାରିଶ୍ କରିଥିଲେ । ଏହାକୁ ସରକାର କାର୍ଯ୍ୟକାରୀ କରନ୍ତୁ ନଚେତ୍ ନୂଆ କମିଟି ଗଢ଼ି ପଦକ୍ଷେପ ନିଅନ୍ତୁ ବୋଲି ସେ କହିଥିଲେ । ଏହାଛଡ଼ା ସିଡବ୍ଳୁ୍ୟଏ, ଏସଆରଏ ଆଦି ବି ବୃଦ୍ଧି କରାଯାଉ ବୋଲି ସେ ଦାବି କରିଥିଲେ ।
ବିଧାୟକ ପ୍ରତାପ କେଶରୀ ଦେବ କହିଥିଲେଯେ, ବିଧାୟକଙ୍କ ଦରମା ଓ ପେନସନ ବଢ଼ାଇବା ପାଇଁ ପୂର୍ବ ସରକାର ଅମଳରେ ଏକ କମିଟି ଗଢ଼ାଯାଇଥିଲା । ଆଜିର ମୁଖ୍ୟମନ୍ତ୍ରୀ ମଧ୍ୟ ସେଥିରେ ସଭ୍ୟ ରହିଥିଲେ । ତେଣୁ ସେହି କମିଟିର ସୁପାରିଶକୁ କାର୍ଯ୍ୟକାରୀ କରାଯାଉ । ଅପରପକ୍ଷରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ କହିଥିଲେଯେ, ପୂର୍ବତନ ବିଧାୟକମାନେ ଅନେକ ସମସ୍ୟାରେ ପଡିଛନ୍ତି । ବିଧାୟକଙ୍କ ଦରମା ଓ ପେନସନ ବୃଦ୍ଧି କରିବାର ଆବଶ୍ୟକତା ରହିଛି । ସେହିପରି ତାରା ପ୍ରସାଦ ବାହିନୀପତି କହିଥିଲେଯେ, ବିଧାୟକମାନେ ବହୁ ଯନ୍ତ୍ରଣା ଓ କଷ୍ଟରେ ଅଛନ୍ତି । ପୂଜା, ପର୍ବପର୍ବାଣୀ, ବାହାଘର, ବ୍ରତଘର, ଜନ୍ମଦିନ, ଡାକ୍ତରଖାନା, ପାଠପଢ଼ା ପାଇଁ ସାହାଯ୍ୟ କରିବାକୁ ପଡୁଛି । ପୂର୍ବତନ ବିଧାୟକଙ୍କ ଦୁଃଖ ବି ଦେଖିହେବନି । ତେଣୁ ଏଦିଗରେ ପଦକ୍ଷେପ ନେବାକୁ ସେ ଦାବି କରିଥିଲେ ।
ଶାସକ ଦଳ ବିଧାୟକ ସନାତନ ବିଜୁଳି ମଧ୍ୟ ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ । ସେ କହିଥିଲେଯେ, ସମସ୍ତଙ୍କୁ ଏକ୍ସ ହେବାକୁ ପଡ଼ିବ । ଦରମା ଓ ପେନସନ ବଢ଼ାଇବା ଦରକାର । ସେହିପରି ସରପଞ୍ଚ ଓ ଅଧ୍ୟକ୍ଷଙ୍କର ଅଫିସ୍ ଅଛି, ହେଲେ ବିଧାୟକ ବଙ୍ଗଳା ନହେଲେ ବାରଣ୍ଡାରେ ବସି ଜନଶୁଣାଣୀ କରୁଛନ୍ତି । ଏଦିଗରେ ବି ପଦକ୍ଷେପ ନିଆଯାଉ । ବିଧାୟିକା ସୀମାରାଣୀ ନାୟକ ମଧ୍ୟ ଏହି ଦାବି ଉପସ୍ଥାପନ କରିଥିଲେ ।