ଇ-ରେଜିଷ୍ଟ୍ରେସନ୍ ଆପ୍ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ : ଏଣିକି ଫୋନ୍ରେ ଇସି ପାଇଁ ଆବେଦନ

ଭୁବନେଶ୍ୱର : ଆଜି ଲୋକସେବା ଭବନରେ ରାଜସ୍ୱ ବିଭାଗ ପକ୍ଷରୁ ପ୍ରସ୍ତୁତ ଇ-ରେଜିଷ୍ଟ୍ରେସନ ମୋବାଇଲ ଆପର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗତ ବର୍ଷ ହୋଇଥିବା ବାତ୍ୟା ‘ଦାନା’ ସମୟରେ ଆମେ ଜିରୋ କାଜୁଆଲ୍ଟି ଲକ୍ଷ୍ୟ ହାସଲ କରିଥିଲୁ । ଆମର ବିପର୍ଯ୍ୟୟ ପରିଚାଳନାରେ ଆମ ଦକ୍ଷତା ଉପରେ ସାରା ବିଶ୍ୱର ନଜର ଅଛି । ତେଣୁ ଆମକୁ ପ୍ରତି ମୁହୂର୍ତ୍ତରେ ପ୍ରସ୍ତୁତ ହୋଇ ରହିବାକୁ ପଡିବ ବୋଲି ରାଜସ୍ୱ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏ ଅବସରରେ ରାଜସ୍ୱ ବିଭାଗର ଏକ ବର୍ଷର ସଫଳତା ପୁସ୍ତିକା ଉନ୍ମୋଚନ କରିଥିଲେ ମୁଖ୍ୟମନ୍ତ୍ରୀ ।
ଏ ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଇ-ରେଜିଷ୍ଟ୍ରେସନ ଆପ୍ ଡିଜିଟାଲ ସେବା ପ୍ରଦାନରେ ରାଜ୍ୟ ସରକାରଙ୍କ ଏକ ବଡ଼ ମାଇଲଷ୍ଟୋନ । ଏହି ଆପ୍ ମଧ୍ୟମରେ ଲୋକମାନେ ଘରେ ବସି ଆଣ୍ଡ୍ରଏଡ୍ ଫୋନ ମାଧ୍ୟମରେ ରେଜିଷ୍ଟ୍ରେସନ ଡିଡ୍ ପାଇଁ ସ୍ଲଟ୍ ବୁକିଂ, ସାର୍ଟିଫାଏଡ କପି ଓ ଇସି ପାଇଁ ଆବେଦନ କରିପାରିବେ । ଜମିର ବେଞ୍ଚମାର୍କ ଭାଲୁ୍ୟ ମଧ୍ୟ ଏହି ଆପ୍ ମାଧ୍ୟମରେ ଜାଣିହେବ । ଏହି ଆପ୍ରେ ସବ୍ ରେଜିଷ୍ଟ୍ରାର ଅଫିସ ସମ୍ପର୍କରେ ମଧ୍ୟ ସମ୍ପୂର୍ଣ୍ଣ ତଥ୍ୟ ମିଳିବ । ଏହାଦ୍ୱାରା ଏହି ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ପେପରଲେସ୍ ଏବଂ କ୍ୟାସଲେସ ହୋଇପାରିଛି । ରାଜସ୍ୱ ବିଭାଗର ସଫଳତା ଉପରେ ମୁଖ୍ୟମନ୍ତ୍ରୀ କହିଲେ ଯେ, ଏହି ବର୍ଷକ ମଧ୍ୟରେ ବସୁନ୍ଧରା ଯୋଜନା ମାଧ୍ୟମରେ ସରକାର ୧୬,୭୨୭ ଜଣ ବାସଗୃହ ବିହୀନ ଲୋକଙ୍କୁ ଘରବାଡି ପଟ୍ଟା ଯୋଗାଇ ଦେଇଛନ୍ତି । ଗତ ଏକ ବର୍ଷ ମଧ୍ୟରେ ୨୦,୩୮୫ଟି ସରକାରୀ ପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ହାଇସ୍କୁଲ ଏବଂ କଲେଜ ନାମରେ ସ୍ଥାୟୀ ପଟ୍ଟା ପ୍ରଦାନ କରାଯାଇଛି । ସେହିପରି ସ୍ୱତନ୍ତ୍ର ଅଭିଯାନ ମାଧ୍ୟମରେ ୪,୬୧,୬୦୨ ଖାତାକୁ ସର୍ବେକ୍ଷଣ କରାଯାଇ ୧,୧୬,୪୮୬ଜଣ ମୃତ ଲୋକଙ୍କ ରେକର୍ଡ ଗୁଡିକୁ ସେମାନଙ୍କ ଉତ୍ତରାଧିକାରୀଙ୍କ ନାମରେ କରାଯାଇଛି । ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସଂହଦେଓ କହିଥିଲେ ଲୋକଙ୍କ ପାଇଁ ରାଜ୍ୟ ସରକାର ଯେପରି ଭାବେ ସଫଳତାର ସହ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ତାହା ନିଶ୍ଚିତ ଭାବେ ପ୍ରଶଂସନୀୟ । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୁଜାରୀ ବାତ୍ୟା ଦାନା ସମୟରେ ମୁଖ୍ୟମନ୍ତ୍ରୀ ସାତ ଦିନ ଧରି ସକାଳୁ ବିଳମ୍ୱିତ ସମୟ ପର୍ଯ୍ୟନ୍ତ କଣ୍ଟ୍ରୋଲ ରୁମ୍ରେ ଉପସ୍ଥିତ ରହି ବାତ୍ୟା ପରିଚାଳନାର ସିଧାସଳଖ ତଦାରଖ କରିଥିବା କଥା କହିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ ଉପସ୍ଥିତ ଥିଲେ ।