ଓଡିଶା ରାଜସ୍ୱ ଅମଲା ସଂଘର ଆନେ୍ଦାଳନ ନିଷ୍ପତ୍ତି
ନବରଙ୍ଗପୁର : ଓଡିଶା ରାଜସ୍ୱ ଅମଲା ସଂଘ ପକ୍ଷରୁ ନବରଙ୍ଗପୁରର ଜିଲ୍ଲା ସଭାପତି ଆଶୁତୋଷ ମହାନ୍ତିଙ୍କ ନେତୃତ୍ୱରେ ଦଶଦଫା ଦାବି ସମ୍ବଳିତ ଦାବି ପତ୍ର ନବରଙ୍ଗପୁର ଜିଲ୍ଲାପାଳ ଡଃ ଶୁଭଙ୍କର ମହାପାତ୍ରଙ୍କୁ ରାଜ୍ୟ ସରକାରଙ୍କ ଉଦେ୍ଧଶ୍ୟରେ ପ୍ରଦାନ କରାଯାଇଛି । ଜିଲ୍ଲା ସ୍ତରରେ କାର୍ଯ୍ୟରତ ରାଜସ୍ୱ ଅମଲା ମାନଙ୍କର ଦୀର୍ଘଦିନର ଦାବି ପୂରଣ କରିବା ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ପୋଷଣ କରୁଥିବା ଯୋଗୁଁ ଅମଲା ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା ।
ଦାବି ଗୁଡିକ ମଧ୍ୟରେ ମୁଖ୍ୟତଃ, ଜିଲ୍ଲା ସ୍ତରୀୟ କାର୍ଯ୍ୟରତ ରାଜସ୍ୱ ଅମଲା ମାନଙ୍କ ମୂଳ ଦରମା ଓଆରଏସପି-୨୦୧୭ ନିୟମ ଅନୁଯାଇ ଲେବେଲ- ୯ କୁ ବୃଦ୍ଧି କରାଯାଉ । ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଏବଂ ଅଭିଯୋଗ ବିଭାଗର ପତ୍ର ସଂଖ୍ୟା :- ୮୮୯୮ ତାରିଖ – ୧୫-୦୩-୨୦୨୪ ଅନୁଯାୟୀ ସମସ୍ତ ଜିଲ୍ଲାପାଳ ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ତଥ୍ୟ କୁ ଆଧାର କରି ନୂତନ ପଦବୀ ସୃଷ୍ଟି ଓ ପଦବୀ ପୁନର୍ଗଠନ କରାଯାଉ । ରାଜ୍ୟରେ କାର୍ଯ୍ୟରତ ସମସ୍ତ ସରକାରୀ କର୍ମଚାରୀଙ୍କୁ ବାର୍ଷିକ ୨୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ଲାଗୁ କରାଯାଉ । ୨୦୨୦ ମସିହାରେ ଲାଗୁ କରାଯାଇଥିବା ପୁନଃ ଥଇଥାନ ଯୋଜନାର ନିୟମାବଳୀକୁ ସମ୍ପୂର୍ଣ ଉଚ୍ଛେଦ କରାଯାଇ ୧୯୯୦ ମଶିହାରେ ଲାଗୁ କରାଯାଇଥିବା ନିୟମାବଳୀ ଅନୁଯାଇ ମୃତ ସରକାରୀ କର୍ମଚାରୀଙ୍କ ପରିବାରର ଯେକୌଣସି ଜଣେ ସଦସ୍ୟଙ୍କୁ ଯୋଗ୍ୟତା ଭିତ୍ତିରେ ନିଯୁକ୍ତି ପ୍ରଦାନ କରାଯାଉ । ଓଡିଶା ରାଜସ୍ୱ ସେବା ପଦ୍ଧତିରେ ରାଜସ୍ୱ ଅମଲା ମାନଙ୍କୁ ସତ ପ୍ରତିଶତ ପଦୋନ୍ନତି ଦିଆଯାଉ । ରାଜ୍ୟ ସରକାର ଆଗାମୀ ୧୫ ଦିନ ମଧ୍ୟରେ ଉପୋରକ୍ତ ଦାବି ଗୁଡିକ ପୂରଣ ନହେଲେ ଜୁଲାଇ ୧୪ରୁ କାର୍ଯ୍ୟ ବନ୍ଦ ଆନେ୍ଦାଳନ କରାଯିବ ବୋଲି ଜିଲ୍ଲା ସଭାପତି ଆଶୁତୋଷ ମହାନ୍ତି ପ୍ରକାଶ କରିଛନ୍ତି ।