ଏ ବର୍ଷ ଛାତ୍ର ସଂସଦ ନିର୍ବାଚନ ହେଉ, ଦାବି କରିଛି ଏବିଭିପି

ଏ ବର୍ଷ ଛାତ୍ର ସଂସଦ ନିର୍ବାଚନ ହେଉ,  ଦାବି କରିଛି ଏବିଭିପି

ଭୁବନେଶ୍ୱର : ରାଜ୍ୟ ସରକାର ଚଳିତବର୍ଷ ଛାତ୍ର ସଂସଦ ନିର୍ବାଚନ କରିବେ ନାହିଁ ବୋଲି ସ୍ପଷ୍ଟ କରିବା ପରେ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି। ଶିକ୍ଷା କ୍ୟାଲେଣ୍ଡରରେ ସରକାର ଛାତ୍ର ସଂସଦ ନିର୍ବାଚନକୁ ସାମିଲ କରି ଏବର୍ଷ ନିର୍ବାଚନ କରିବା ପାଇଁ ଏବିଭିପି ଦାବି କରିଛି। ଚଳିତବର୍ଷ ଛାତ୍ର ସଂସଦ ନିର୍ବାଚନ କରିବା ପାଇଁ ଗୁରୁବାରଠାରୁ ଏବିଭିପି ପକ୍ଷରୁ ବିଭିନ୍ନ ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟରେ ଦସ୍ତଖତ ଅଭିଯାନ, ବିକ୍ଷୋଭ ଓ ଦାବି ପ୍ରଦର୍ଶନ କରାଯିବ ବୋଲି ଏବିଭିପି ପ୍ରାନ୍ତ କାର୍ଯ୍ୟାଳୟ ସମ୍ପାଦକ ବୃନ୍ଦାବନ ପ୍ରଧାନ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି।


ଏବିଭିପିର ରାଜ୍ୟ ସମ୍ପାଦକ ଅରିଜିତ ପଟ୍ଟନାୟକ କହିଛନ୍ତି, ନେତୃତ୍ୱ ବିକାଶର ଅନ୍ତୁଡ଼ିଶାଳ ଛାତ୍ରସଂସଦ ନିର୍ବାଚନର ଆବଶ୍ୟକତା ରହିଛି। ପୂର୍ବ ସରକାର ଛାତ୍ରନେତାଙ୍କ ଭ୍ରୁଣହତ୍ୟା କରିବା ପାଇଁ ନିର୍ବାଚନ ବନ୍ଦ କରି ଏକଚ୍ଛତ୍ରବାଦ ଶାସନ ଚଳାଇଥିଲେ। କିନ୍ତୁ ଆଜି ରାଜ୍ୟରେ ସରକାର ପରିବର୍ତ୍ତିତ ହୋଇଛି। ଛାତ୍ରସଂସଦ ନିର୍ବାଚନ ହେବାଦ୍ୱାରା କଲେଜର ସାଧାରଣ ସମସ୍ୟା ସାମ୍ନାକୁ ଆସେ ଏବଂ ତା’ର ସମାଧାନ ହୁଏ। ଚଳିତବର୍ଷ ଛାତ୍ରୀଛାତ୍ର ଉତ୍ସାହିତ ଅଛନ୍ତି ଯେ, ନିର୍ବାଚନ ହେଉ ଓ ସେମାନଙ୍କ ଗଣତାନ୍ତ୍ରିକ ଅଧିକାର ସେମାନେ ଲାଭ କରନ୍ତୁ। ଆମେ ୬ ବର୍ଷ ଧରି ଏହି ବିଷୟରେ ଦାବିକରି ଆସିଛୁ, କୋର୍ଟକୁ ମଧ୍ୟ ଯାଇଛୁ। ରାଜ୍ୟ ସରକାର ଚଳିତବର୍ଷ ଛାତ୍ରସଂସଦ ନିର୍ବାଚନକୁ ଉଚ୍ଚ ଶିକ୍ଷା ବିଭାଗ କ୍ୟାଲେଣ୍ଡରରେ ଯୋଡ଼ିବା ସହ ନିର୍ବାଚନ କରନ୍ତୁ ବୋଲି ସେ ଦାବି କରିଛନ୍ତି।