ରଥଯାତ୍ରା ପାଇଁ ରେଳବାଇର ବ୍ୟାପକ ବ୍ୟବସ୍ଥା

ପୁରୀ : ରଥଯାତ୍ରା ପାଇଁ ବିଭିନ୍ନ ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ପ୍ରାୟତଃ ଚୂଡ଼ାନ୍ତ ହୋଇଛି । ବିଭିନ୍ନ ବିଭାଗ ପକ୍ଷରୁ ବାରମ୍ବାରର ବସୁଛି ସମୀକ୍ଷା ବୈଠକ । ଏହି କ୍ରମରେ ରେଳବାଇର ରଥଯାତ୍ରା ପ୍ରସ୍ତୁତି ସଂପର୍କରେ ସମୀକ୍ଷା କରିଛନ୍ତି ପୂର୍ବତଟ ରେଳପଥର ଜେନେରାଲ୍ ମ୍ୟାନେଜର ପରମେଶ୍ୱର ଫୁନ୍କ୍ୱାଲ । ରଥଯାତ୍ରାରେ ସଂଖ୍ୟାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୁରୀ ରେଳ ଷ୍ଟେସନରେ ପ୍ରତୀକ୍ଷା ଗୃହ ଏବଂ ପ୍ରବେଶ ଓ ପ୍ରସ୍ଥାନ ପଥକୁ ସଂପ୍ରସାରଣ କରାଯାଇଛି । ଷ୍ଟେସନ ଦୁଇପାଶ୍ୱର୍ରେ ପ୍ରସ୍ଥାନର ବ୍ୟବସ୍ଥା କରାଯାଇଥିବା ବେଳେ ପ୍ରତୀକ୍ଷା ଗୃହରେ ଆଲୋକ, ପାଣି ଓ ପଙ୍ଖାର ବ୍ୟାପକ ବ୍ୟବସ୍ଥା କରାଯାଇଛି । ରାଜ୍ୟ ସରକାରଙ୍କ ସହଯୋଗରେ ରେଲୱେ ଚୂଡ଼ାନ୍ତ ପ୍ରସ୍ତୁତି କରିଛି । ପ୍ରତୀକ୍ଷା ଗୃହରେ ୨୫୦ଟି ସିସି ଟିଭି କ୍ୟାମେରା ଲଗାଯିବା ସଂଗସେଂଗେ ଗାଡ଼ି ସଂଚାଳନ ପାଇଁ ପ୍ରତିଷ୍ଠା କରାଯାଇଛି କଣ୍ଟ୍ରୋଲ ରୁମ୍ । ରଥଯାତ୍ରା ପାଇଁ ନିୟମିତ ଟ୍ରେନ୍ ଗୁଡ଼ିକ ବ୍ୟତୀତ ୩୬୫ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳର ବ୍ୟବସ୍ଥା ହୋଇଛି । ଦୁଇଟି ଷ୍ଟଲରେ ଯୋଗାଇ ଦିଆଯାଉଛି ୨୪ଘଣ୍ଟିଆ ଡ଼ାକ୍ତରୀ ସେବା । ଅଗ୍ନି ଦୁର୍ଘଟଣାର ମୁକାବିଲା ପାଇଁ ଦମ୍କଳ ଓ ଆମ୍ବୁଲାନ୍ସ ମହଜୁଦ୍ ରହିଛି । ସୁରକ୍ଷା ପାଇଁ ମୁତୟନ ହୋଇଛନ୍ତି ୧୯ପ୍ଲାଟୁନ୍ ଫୋର୍ସ । ଜଣେ ଏସ୍.ପି ପାହ୍ୟା ଓ ଅନ୍ୟ ତିନି ଜଣ ଅତିରିକ୍ତ ଏସ୍.ପି ପାହ୍ୟାର ଅଧିକାରୀ ସୁରକ୍ଷା ଦାୟିତ୍ୱରେ ରହିଛନ୍ତି । ୨୫୦ଟି ସିସିଟିଭିରୁ ମିଳୁଥିବା ଫିଡ଼୍ ମାଧ୍ୟମରେ କଣ୍ଟ୍ରୋଲ ରୁମ୍ରୁ ସୁରକ୍ଷା ଉପରେ ନଜର ରଖିବା ପାଇଁ ବ୍ୟବସ୍ଥା କରାଯାଇଛି । ସେହିଭଳି ଅତ୍ୟଧିକ ଭିଡ଼ ପରିଚାଳନା ପାଇଁ ସ୍ୱତନ୍ତ୍ର ଯୋଜନା କରାଯାଇଥିବା ରେଳବାଇ ସୂତ୍ରରୁ ଜଣାଯାଇଛି ।