ପୁରପଲ୍ଲୀରେ ରହିଛି ଓଡ଼ିଆ ଅସ୍ମିତା -ମୋହନ

ଭୁବନେଶ୍ୱର: ରାଜ୍ୟ ସଂଗ୍ରହାଳୟରେ ଲୋକାର୍ପିତ ହେଲା ଅନୁଭବ ଐତିହ୍ୟ ଗ୍ୟାଲେରୀ । ଅନ୍ତର୍ଜାତୀୟ ଜନଜାତି ଦିବସ ଅବସରରେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ଅନୁଭବ ଐତିହ୍ୟ ଗ୍ୟାଲେରୀ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି କାର୍ୟ୍ୟକ୍ରମରେ ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ୟ୍ୟବଂଶୀ ସୁରଜ ଉପସ୍ଥିତ ରହି କାର୍ୟ୍ୟକ୍ରମ ପରିଚାଳନା କରିଥିଲେ । ରାଜ୍ୟରେ ଏହିଭଳି ୧୦ଟି ଗ୍ୟାଲେରୀ ଲୋକାର୍ପିତ ହେବା ନେଇ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଅନ୍ୟପଟେ ସୋଲ ଅଫ୍ ଦି ସଏଲ୍ ପୁସ୍ତକର ମଧ୍ୟ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ମୁଖ୍ୟମନ୍ତ୍ରୀ କହିଛନ୍ତି, " ଓଡ଼ିଶାର ବିଭିନ୍ନ ସ୍ଥାନର ଆଦିବାସୀଙ୍କ ଓଷା, ଉତ୍ସବ ଓ କାର୍ୟ୍ୟକ୍ରମ ଏହି ଗ୍ୟାଲେରୀରେ ପ୍ରତିଫଳନ ହୋଇଛି । ଆଜିବି ଆମର ଓଡ଼ିଆ ଅସ୍ମିତା ପୁରପଲ୍ଲୀରେ ବଞ୍ଚି ରହିଛି । ଏହି ଗ୍ୟାଲେରୀରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତର ପ୍ରସିଦ୍ଧ ପର୍ବପର୍ବାଣୀ ଯଥା ପୁରୀର ସାହିଜାତ, ଗଞ୍ଜାମ ପ୍ରସିଦ୍ଧ ବୁଢ଼ୀ ଠାକୁରାଣୀ ପର୍ବ, ଛଉ ଆଉ ଗୋଟିପୁଅ ନୃତ୍ୟ ଆଦିର ପ୍ରଦର୍ଶନ ହୋଇଛି ଯାହାକି ପ୍ରତିଟି ଲୋକଙ୍କୁ ଓଡ଼ିଆ ଅସ୍ମିତାର ପରିଚୟ ଦେବ ।"
ଅନ୍ୟପଟେ ସୋଲ ଅଫ୍ ଦି ସଏଲ୍ ପୁସ୍ତକର ମଧ୍ୟ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ପୁସ୍ତକର ଫଟୋଗ୍ରାଫର୍ ଆଶିଷ ଭେଦ ଓ ପବ୍ଲିସର ସୁଦୀପ୍ତଙ୍କୁ ସମ୍ମାନିତ କରିଛନ୍ତି ।
ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଏହି ଐତିହ୍ୟ ଗ୍ୟାଲେରୀର ଲୋକାର୍ପଣ ଅବସରରେ ସ୍ୱାଧୀନତା ସଂଗ୍ରାମୀ ତଥା କ୍ରାନ୍ତିକାରୀ ମାଧୋ ସିଂହଙ୍କୁ ମନେ ପକାଇଛନ୍ତି ମୋହନ । ଜଣେ ଆଦିବାସୀ ହୋଇ ମାଧୋ ସିଂହ ଏବଂ ତାଙ୍କ ପରିବାର କିଭଳି ଏ ଓଡ଼ିଆ ଜାତି ପାଇଁ ବଳିଦାନ ଦେଇଥିଲେ ସେ ବିଷୟରେ ଆଲୋକପାତ କରିଥିଲେ । ଶିକ୍ଷା କ୍ଷେତ୍ରରେ ଡ୍ରପ ଆଉଟ ସଂଖ୍ୟା ହ୍ରାସ କରିବାକୁ ତାଙ୍କ ନାଁରେ ଆଦିବାସୀ ଛାତ୍ରଛାତ୍ରୀମାନଙ୍କୁ ପ୍ରୋତ୍ସାହନ ରାଶି ମାଧୋ ସିଂ ହାତ ଖର୍ଚ୍ଚ ପାଣ୍ଠି ଯୋଜନା ଆରମ୍ଭ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଏହି ଗ୍ୟାଲେରୀ ମଧ୍ୟରେ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟକଳା ଯଥା ଛଉନୃତ୍ୟ, ଗୋଟିପୁଅ, ଗଦବା, ସାହିଯାତ ଆଦିର ଚିତ୍ର, ବିଭିନ୍ନ ପର୍ବପର୍ବାଣୀ ଯଥା ରଥଯାତ୍ରା, ରଜପର୍ବ, ମାଣବସା, ନୁଆଁଖାଇ ଏବଂ ଦଶବତାର ଚିତ୍ରକଳା, ଓଡ଼ିଆ ସମାଜର ଜୀବନଶୈଳୀକୁ ପ୍ରଦର୍ଶିତ ହୋଇଛି । ତେବେ ଆଗକୁ ରାଜ୍ୟ ସଂଗ୍ରହାଳୟରେ ଆଉ ୧୦ଟି ନୂଆ ଗ୍ୟାଲେରୀ ଲୋକାର୍ପିତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।