ରାଜ୍ୟର ବିକାଶ ପାଇଁ ସମସ୍ତେ ପରାମର୍ଶ ଦେଇପାରିବେ : ମୋହନ ଚରଣ ମାଝୀ
କେନ୍ଦୁଝର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ରାଜ୍ୟର ବିକାଶ ପାଇଁ ସମସ୍ତେ ପରାମର୍ଶ ଦେଇପାରିବେ । ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ନିଜ ଜିଲା କେନ୍ଦୁଝରକୁ ୨ ଦିନିଆ ଗସ୍ତରେ ଯାଇ ସୋମବାର ଜନ୍ମମାଟି ରାଇକଳାଠାରେ ଅନୁଷ୍ଠିତ ସ୍ବାଗତ ସଭାରେ ସେ ଏହା କହିଛନ୍ତି। ସ୍ଥାନୀୟ ଅଞ୍ଚଳ, ଜିଲା ଓ ରାଜ୍ୟର ବିକାଶ ପାଇଁ ସେ ସମସ୍ତଙ୍କ ସହଯୋଗ ଲୋଡ଼ିଛନ୍ତି।
କେନ୍ଦୁଝରରୁ ପୂର୍ବାହ୍ନ ୧୦ଟା ୩୦ରେ ବାହାରି ସଦର ବ୍ଲକ୍ ରାଇକଳାରେ ମୁଖ୍ୟମନ୍ତ୍ରୀ ଓହ୍ଲାଇଥିଲେ। ତାଙ୍କୁ ଦେଖିବାକୁ ଓ ସ୍ବାଗତ ଜଣାଇବାକୁ ଆଖପାଖ ଅଞ୍ଚଳର ଲୋକମାନେ ଏକତ୍ରିତ ହୋଇଥିଲେ। ଗ୍ରାମ ଏକ ପ୍ରକାର ଉତ୍ସବମୁଖର ହୋଇଉଠିଥିଲା ପାରମ୍ପରିକ ବାଦ୍ୟ ଓ ନୃତ୍ୟଗୀତରେ ଗଁ। ପ୍ରକମ୍ପିତ ହୋଇଥିଲା। ଜନ୍ମମାଟିରେ ମୋହନଙ୍କୁ ଦେଖି ସମସ୍ତେ ଭାବବିହ୍ବଳ ହୋଇଉଠିଥିଲେ। ଗସ୍ତ ପୂର୍ବରୁ ପ୍ରଶାସନ ପକ୍ଷରୁ ରାସ୍ତାଘାଟ ମରାମତି, ଗ୍ରାମ ସଫେଇ କରାଯାଇଥିଲା।
ଗଁ। ଦାଣ୍ଡରେ ଝୋଟି ଚମକୁଥିଲା। ହେଲିପ୍ୟାଡ୍ରୁ ମୁଖ୍ୟମନ୍ତ୍ରୀ ସଡ଼କ ପଥରେ ରୋଡ୍ ଶୋ’ କରି ଝୁମ୍ପୁରା ଯାଇଥିଲେ। ଝୁମ୍ପୁରାରେ ପିଲାଦିନର ହାଇସ୍କୁଲରେ କିଛି ସମୟ ବିତାଇବା ସହ ସହପାଠୀଙ୍କୁ ଭେଟିଥିଲେ। ସେଠାରୁ ବାହାରି ଝୁମ୍ପୁରା ବଜାରସ୍ଥିତ ଦୁର୍ଗାମନ୍ଦିର ପଡ଼ିଆରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଯୋଗଦେଇଥିଲେ। ସେଠାରେ ବିଭିନ୍ନ ବର୍ଗର ଲୋକ, ସଂଗଠନ ଓ ସଂସ୍ଥା ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଭାରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ମାଟିର ସନ୍ତାନ ଆପଣଙ୍କ ମୋହନ ଭାଇ କେବଳ ଝୁମ୍ପୁରା ନୁହେଁ, ଜିଲାର ବିକାଶ ପାଇଁ କାମ କରିବେ। ଏଣୁ ଆପଣମାନେ ଯେତେବେଳେ ଚାହିଁବେ ତାଙ୍କ ପାଖକୁ ଯାଇପାରିବେ ଏବଂ ଦେଖା କରିପାରିବେ। ବିକାଶ ପାଇଁ ସମସ୍ତେ ତାଙ୍କୁ ପ୍ରସ୍ତାବ, ପରାମର୍ଶ ଦେଇପାରିବେ। ସେ ଭାବବିହ୍ବଳ ହୋଇ କହିଥିଲେ, ଆପଣମାନେ ମୋ ସହିତ ଅଛନ୍ତି। ମୋ ପାଖରେ ମା’ ତାରିଣୀ, ଶ୍ରୀ ବଳଦେବଜୀଉ, ଶ୍ରୀଜଗନ୍ନାଥ, ଦୁର୍ଗତିନାଶିନୀ ମା’ ଅଛନ୍ତି। ମୋର କାହାରିକୁ ଭୟ କରିବାର ନାହିଁ। ଲୋକଙ୍କ ପାଇଁ ଓ ଆପଣଙ୍କ ଆଶୀର୍ବାଦ ଲାଗି ଆଜି ପୁରୀ ଶ୍ରୀଜଗନ୍ନାଥଙ୍କ ମନ୍ଦିରର ଚାରି ଦ୍ୱାର ଖୋଲିଲା। ଭଗବାନ ଏବଂ ଭକ୍ତଙ୍କ ମଧ୍ୟରେ ଥିବା ପ୍ରତିବନ୍ଧକ ଉଠିଲା। ସେ ହେଉଛନ୍ତି ଲୋକଙ୍କ ମୁଖ୍ୟମନ୍ତ୍ରୀ। ଏଣୁ ସମସ୍ତେ ସିଧାସଳଖ ନିଜର ସମସ୍ୟା ତାଙ୍କୁ ଜଣାଇପାରିବେ ବୋଲି କହିଥିଲେ। ଫୋନ୍ରେ କଥାବାର୍ତ୍ତା ହେବା ସମ୍ଭବ ନୁହେଁ। କିନ୍ତୁ ତାଙ୍କ ପାଖକୁ ଯେକେହି ସବୁ ସମୟରେ ଆସିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
କହିଛନ୍ତି, ମୁଖ୍ୟମନ୍ତ୍ରୀ ହେବା ଦିନଠାରୁ ସେ ରାତି ୩ଟାରେ ଶୋଉଛନ୍ତି। କିଏ ଯେପରି ମନ ଊଣା ନ କରନ୍ତି, ସେଥିପାଇଁ ଦେଖା କରିବାକୁ ପଡ଼ିଥାଏ। କାରଣ ଆପଣମାନଙ୍କୁ ମୁଁ ଭୟ କରେ ଓ ଏହି ଭୟ ଏମିତି ରହିଥାଉ ବୋଲି କହିଥିଲେ। ନିଜ ପିଲାଦିନର ସ୍ମୃତିକୁ ମନେପକାଇ କିପରି ପ୍ରତ୍ୟେକ ବୁଧବାର ଝୁମ୍ପୁରା ହାଟକୁ ମା’ଙ୍କ ସହିତ ଆସୁଥିଲେ ତାହା ସେ ବର୍ଣ୍ଣନା କହିଥିଲେ। ସେହି ଦିନଟା ତାଙ୍କ ପାଇଁ ଛୁଟି ଦିନ ଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।