ଧର୍ମଶାଳା କଳି : ବିଜେଡ଼ି-ବିଜେପି ମୁହାଁମୁହିଁ
- ଜେନାପୁରରୁ ଭୁବନେଶ୍ୱର ଯାଏଁ ରାଜନୀତିକ ତାତି
- ଉଭୟେ ଉଭୟଙ୍କ ଉପରେ ଲଦୁଛନ୍ତି ଦୋଷ
- ୪ ଜଣଙ୍କୁ ଗିରଫ କଲା ପୁଲିସ୍
- ଲିକୁଙ୍କ ପ୍ରତିଶ୍ରୁତି ପରେ ଧାରଣାରୁ ଉଠିଲେ ସମର୍ଥକ
ଧର୍ମଶାଳା : ରବିବାର ଜେନାପୁର ଥାନା ପନ୍ତୁରୀରେ ଘଟିଥିବା ରାଜନୈତିକ ହିଂସା ରାଜନୀତିକୁ ସରଗରମ କରିଛି । କହିବାକୁ ଗଲେ ଏବର ବିଧାୟକ ହିମାଂଶୁ ଶେଖର ସାହୁ ଏବଂ ପ୍ରାକ୍ତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ କଳି ଧର୍ମଶାଳାରୁ ଯାଇ ରାଜଧାନୀ ରାଜନୀତିକୁ ସରଗରମ କରିଛିି । ଧର୍ମଶାଳା କଳିକୁ ବିଜେଡ଼ି ରାଜଧାନୀକୁ ନେଇଯିବା ପୂର୍ବକ ଡ଼ିଜି କ୍ୟାମ୍ପ ଅଫିସ ଆଗରେ ଧାରଣାରେ ବସିଥିବା ବେଳେ ବିଜେପିର ଶତାଧିକ କର୍ମୀ ଅଭିଯୁକ୍ତଙ୍କ ଗିରଫ ଦାବିରେ ଜେନାପୁର ଥାନା ଆଗରେ ଧାରଣାରେ ବସିଥିଲେ । ବିଜେପି ଏବଂ ବିଜେଡ଼ି ଉଭୟେ ଉଭୟଙ୍କ ଉପରେ ଦୋଷ ଲଦୁଥିବା ବେଳେ ପୁଲିସ କାର୍ଯ୍ୟାନୁଷ୍ଠାନ ଶୂନ ରହିଛି । ଅପରପକ୍ଷରେ ଲିକୁଙ୍କ ପ୍ରତିଶ୍ରୁତି ପରେ ତାଙ୍କ ସମର୍ଥକମାନେ ଧାରଣାରୁ ଉଠିଛନ୍ତି ।
ପୁଲିସର ନୀରବତାରୁ ଧର୍ମଶାଳାରେ ଅରାଜକତା ସୃଷ୍ଟିର ପ୍ରମୁଖ କାରଣ ବୋଲି ସାଧାରଣରେ ଆଲୋଚନା ହେଉଛି । ପ୍ରକାଶ ଥାଉକି ରବିବାର ଗଡ଼ମଧୁପୁର ପନ୍ତୁରୀ ଗ୍ରାମରେ ବିଜୁ ଜନତା ଦଳ ସୋସିଆଲ ମିଡ଼ିଆ ଟିମ୍ର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଫାର୍ମ ହାଉସରେ ଜନ୍ମଦିନ ପାଳନ ସହିତ ଭୋଜି ଭାତର ଆୟୋଜନ କରିଥିଲେ । କିଛି ଯୁବକ ଫାର୍ମ ହାଉସରେ ଚାଲିଥିବା ବନ୍ଧୁମିଳନ କାର୍ଯ୍ୟକ୍ରମକୁ ଭଣ୍ଡୁର କରିବା ସହିତ ଟେକା ପଥରମାଡ କରିଥିଲେ । ଯାହାକୁ ବିଜେଡ଼ି କର୍ମୀ ବିରୋଧ କରିଥିଲେ । ଉତ୍ତ୍ୟକ୍ତ ସଂଘବଦ୍ଧ ଯୁବକ ଫାର୍ମ ହାଉସ ଭିତରକୁ ଧସେଇ ପଶି ମହିଳା ଏବଂ ପୁରୁଷ କର୍ମୀଙ୍କୁ ଠେଙ୍ଗା ବାଡ଼ିରେ ଆକ୍ରମଣ, ଗାଡ଼ି ଭାଙ୍ଗିବା, ମୋବାଇଲ ଛଡେଇ ନେଇଥିବା ଅଭିଯୋଗ ହୋଇଛି । ଆକ୍ରମଣରେ ସୁବ୍ରତ ଧଳ, ଆଲୋକ ବେହେରା, ପ୍ରଦୋଷ ଆର୍ଯ୍ୟନ, ଇନ୍ଦ୍ରଜିତ ତରାଇ, ମନୋଜ ସାହୁ ପ୍ରମ୍ମୁଖ ଆହତ ହୋଇଥିଲେ ।
ଆହତ ଆମ୍ବୁଲାନ୍ସ ଯୋଗେ ଧର୍ମଶାଳା ମେଡିକାଲରେ ଚିକିତ୍ସିତ ପରେ ଗୁରୁତର କଟକ ମେଡିକାଲକୁ ସ୍ଥାନାସ୍ତରିତ ହୋଇଥିଲେ । ସୁନୀଲ ପଣ୍ଡା ନାମକ ଯୁବକ ଘରକୁ ଫେରୁଥିବା ବେଳେ ପନ୍ତୁରୀ ନିକଟରେ କିଛି ବିଜେଡ଼ିର କିଛି କର୍ମୀ ଆକ୍ରମଣ କରି ଗାଡ଼ି ଭଙ୍ଗା ରୁଜା କରିଥିବା ଅଭିଯୋଗ ଆଣିଛନ୍ତି । ବିଜେଡ଼ି କର୍ମୀଙ୍କ ଉପରେ ହୋଇଥିବା ଆକ୍ରମଣକୁ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ଦୃଢ ନିନ୍ଦା କରିବା ସହିତ ଏହି ହିଂସାକାଣ୍ଡ ବିଧାୟକ ହିମାଂଶୁଙ୍କ ସମର୍ଥକ କରିଥିବା ଅଭିଯୋଗ କରିଛନ୍ତି । ଆକ୍ରମଣର ଶିକାର ହୋଇଥିବା କର୍ମୀ ଏସପି ଏବଂ ଜେନାପୁର ଥାନା ଅଧିକାରିଣୀଙ୍କୁ ଆକ୍ରମଣକାରୀଙ୍କ ଠାରୁ ରକ୍ଷା ପାଇବାକୁ ଫୋନ କରିଥିଲେ ହେଁ ପୁଲିସ ବିଳମ୍ବରେ ପହଁଚିଥିଲେ । ଯାହାକୁ ନେଇ ଧର୍ମଶାଳାର ପୂର୍ବତନ ବିଧାୟକ ଜିଲ୍ଲା ପୁଲିସ ଉପରେ ଭରସାନାହିଁ ବୋଲି ଦର୍ଶାଇ ରାଜଧାନୀରେ ଧାରଣାରେ ବସିଥିଲେ ।
ଧାରଣାରେ ବିଜେଡ଼ିର ତୁଙ୍ଗ ନେତା ସାମିଲ ହୋଇ ବିଜେପି ସରକାରରେ ଆଇନକୁ ସମ୍ମାନ ମିଳୁନଥିବା ଏବଂ ଧର୍ମଶାଳାରେ ଅରାଜକତା ବଢିଥିବାର ଅଭିଯୋଗ ଆଣିଛନ୍ତି । ଆମକୁ ନ୍ୟାୟ ଦେବା ସହିତ ହିଂସା ଭିଆଇଥିବା ଆକ୍ରମଣକାରୀଙ୍କୁ ଗିରଫ କରିବାକୁ ଅଡ଼ି ବସିଥିବା ବେଳେ ବିଜେପିର ଶତାଧିକ କର୍ମୀ ଆକ୍ରମଣକାରୀ ବିଜେଡ଼ି କର୍ମୀଙ୍କ ଗିରଫ ଦାବିରେ ଜେନାପୁର ଥାନା ଆଗରେ ଧାରଣାରେ ବସିଛନ୍ତି । ବିଜେପି କର୍ମୀଙ୍କ ଅଭିଯୋଗ ବିଜେପି କର୍ମୀ ନରସିଂହପୁର ଗ୍ରାମର ସୁନିଲ ପଣ୍ଡା ଚଢେଇଧରାରୁ କାମ ସାରି ଘରକୁ ଫେରୁଥିବା ସମୟରେ ଅପରାହ୍ନ ୨ଟା ସମୟରେ ପନ୍ତୁରୀସ୍ଥିତ ମନ୍ଦିର ନିକଟରେ କିଛି ଯୁବକ ତାଙ୍କୁ ଅଟକାଇ ଗାଡି ଭଙ୍ଗାରୁଜା କରିବା ସହ ଗାଡି ଭିତରୁ ତାଙ୍କୁ ଘୋଷାରୀ ଆଣି ଲୁହାରଡରେ ଆକ୍ରମଣ କରି ମୁଣ୍ଡ ଫଟାଇ ଦେଇଥିଲେ। ଖବର ପାଇ ତାଙ୍କ ବଡ ଭାଇ ସୁମନ୍ତ ପଣ୍ଡା ସେଠାରେ ପହଁଚି ଗ୍ରାମବାସୀଙ୍କ ସହାୟତରେ ତାଙ୍କୁ ଧର୍ମଶାଳା ମେଡିକାଲରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରିଥିଲେ। ଏନେଇ ସୁମନ୍ତ ଜେନାପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ହେଁ ଅଦ୍ୟାବଧିô ପୁଲିସ କହାରିକୁ ଗିରଫ କରିନାହିଁ। ଯାହାର ପ୍ରତିବାଦରେ ସ୍ଥାନୀୟ ଅଞ୍ଚଳର ବିଜେପି କର୍ମୀମାନେ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବା ଦାବି କରି ଥାନା ସମ୍ମୁଖରେ ଧରଣାରେ ବସିରହିଛନ୍ତି । ଧାରଣା ସ୍ଥଳରେ ଯାଜପୁର ଏସଡ଼ିପିଓ ଲଷ୍ମୀଧର ସ୍ୱାଇଁ, ଜେନାପୁର ଥାନା ଅଧିକାରିଣୀ, ବୈରୀ, କୁଆଖିଆ, ଧର୍ମଶାଳା ଏବଂ ଦୁଇ ପ୍ଲାଟୁନ ଫୋର୍ସ ଉପସ୍ଥିତ ରହିଛନ୍ତି ।
ବିଜେଡ଼ି ରାଜନୈତିକ ରୁଟି ସେକୁଛି; ବିଧାୟକ
ଅନ୍ୟପକ୍ଷରେ ବିଧାୟକ ହିମାଂଶୁ ଶେଖର ସାହୁ ଧର୍ମଶାଳା କଳିକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି କି ଫାର୍ମ ହାଉସରେ ଘଟିଥିବା ହିଂସାରେ ଆହତମାନଙ୍କ ପ୍ରତି ମୋର ସମବେଦନା ରହିଛି । ସମସ୍ତ ଆହତ ଦଳମତ ନିର୍ବିଶେଷରେ ଧର୍ମଶାଳାବାସୀ । ପନ୍ତୁରୀ ଠାରେ ଘଟିଥିବା ଘଟଣାରେ ତାଙ୍କର ହାତ ରହିଛି ବୋଲି ପୂର୍ବତନ ବିଧାୟକ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ନିରାଧାର । ଯୋଉଁମାନେ ଏହି ଘଟଣାରେ ସମ୍ପୃକ୍ତ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବ। ଏଥିରେ ଭୟଭିତ ହୋଇ ପୂର୍ବତନ ବିଧାୟକ କିଛି କର୍ମୀମାନଙ୍କୁ ଧରି ଭୁବନେଶ୍ୱର ସ୍ଥିତ ଡିଜିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ଏକ ହାସ୍ୟାସ୍ପଦ ଘଟଣା । ପୂର୍ବତନ ବିଧାୟକ ଚାହିଁଥିଲେ ଯାଜପୁରରେ ଥାନା କିମ୍ବା ଏସପିଙ୍କ ଅଫିସ ସମ୍ମୁଖରେ ଧାରଣା ଦେଇପାରିଥାନ୍ତେ । ତାହା ନକରି ସେ ରାଜନୈତିକ ରୁଟି ସେକିବାକୁ ଅରମ୍ଭ କରି ଦେଇଛନ୍ତି ବୋଲି ବିଧାୟକ ଶ୍ରୀ ସାହୁ ଅଭିଯୋଗ କରିଛନ୍ତି । ଧର୍ମଶାଳା ଅଂଚଳରେ ହେଉଥିବା ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟରେ ପୂର୍ବତନ ବିଧାୟକଙ୍କ ସମର୍ଥକମାନେ ଅସୁବିଧା ସୃଷ୍ଟି କରୁଛନ୍ତି । ବିଗତ ଦିନରେ ପନ୍ତୁରୀସ୍ଥିତ ଫାର୍ମ ହାଉସରୁ ମଣିଷଙ୍କ ଶବ ଉଦ୍ଧାର ହୋଇଥିଲା ବେଳେ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା । ସେତେ ବେଳେ କାହା ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା ବୋଲି ବିଧାୟକ ଶ୍ରୀ ସାହୁ ପାଲଟା ପ୍ରଶ୍ନ କରିଛନ୍ତି । ଧର୍ମଶାଳାର ଉନ୍ନତି କଳ୍ପେ ସମସ୍ତେ ମିଳିମିଶି କାର୍ଯ୍ୟକରିବାକୁ ସେ ଆହ୍ୱାନ ଦେଇଛନ୍ତି ।