ମୌସୁମୀ ନାହିଁ, ଫେରିଲେଣି ସାଧବ ବୋହୂ

ନୂଆପଡାରୁ ପରମେଶ୍ୱର ବାରିକ : ମୌସୁମୀର ପହିଲି ସ୍ପର୍ଶରେ ପୁଲକିତ ହୋଇଛି ପୃଥିବୀ । ପ୍ରକୃତି ହେଉଛି ମନଲୋଭା ଓ ତା'ର ସୁନ୍ଦରତାକୁ ଆହୁରି ବଢାଇ ଦେଉଛି ପ୍ରକୃତି ରାଣୀ ସାଧବ ବୋହୂ । ସାଧବ ବୋହୂ କୀଟ ପ୍ରାୟ ସମସ୍ତଙ୍କ ପ୍ରିୟ । ସାଧାରଣ କୀଟକୁ ଆମେ ଛୁଇଁବାକୁ ଇଚ୍ଛା ନ କରୁଥିବାବେଳେ ସାଧବ ବୋହୂର ମନଲୋଭା ସୌନ୍ଦର୍ଯ୍ୟ ଯେମିତି ଆମକୁ ଆକର୍ଷିତ କରିଥାଏ । ଗାଢ଼ଲାଲ ରଙ୍ଗର ଏହି କୀଟକୁ ଦେଖିଲେ ଲାଗେ ସତେ ଯେମିତି ନାଲି ରଙ୍ଗର ପାଟଶାଢ଼ୀଟି ପିନ୍ଧି ଠୁକୁରୁ ଠୁକୁରୁ ହୋଇ ଚାଲିଯାଏ ସୂନ୍ଦର ଝିଅଟି । ଗ୍ରୀଷ୍ମ ଋତୁରେ ଉଭାନ ହୋଇ ଯାଉଥିବା ଏହି ଛୋଟ ଜୀବଟି ବର୍ଷାର ପ୍ରଥମ ସ୍ପର୍ଶ ପାଇଲା ପରେ କେଉଁଠୁ କିପରି ବାହାରି ଆସେ ତାହା ସମସ୍ତଙ୍କୁ ଅଜଣା । ବର୍ଷା ଋତୁରେ ଧରା ପୃଷ୍ଠ ସବୁଜିମାମୟ ହୋଇପଡେ । ସବୁଜ ଘାସ ଉପରେ ନାଲି ଟୁକୁଟୁକୁ ସାଧବ ବୋହୂ ଦେଖା ଯାଆନ୍ତି ଓ ସମସ୍ତଙ୍କ ମନ କିଣି ନିଅନ୍ତି । ଜଙ୍ଗଲ ଅଞ୍ଚଳରେ ବହୁଳ ପରିମାଣରେ ଏମାନେ ଦେଖା ଯାଉଥିବାବେଳେ ବିଲବାଡ଼ିରେ ମଧ୍ୟ ଦେଖା ଯାଆନ୍ତି । ଛୋଟ ପିଲାଙ୍କର ସେ ବେଶ୍ ପ୍ରିୟ । ଏହି ଜୀବଟି କୌଣସି କିଛି କ୍ଷତି ନକରୁ ଥିବାରୁ ଏହାକୁ ସମସ୍ତେ ଆଦର କରନ୍ତି । ଆଗ କାଳର ସାଧବ ବୋହୂଟିଏ ଯେମିତି ନାଲି ଶାଢ଼ୀଟିଏ ପିନ୍ଧି ମୁଖ ଅବନତ କରି ଚାଲିଯାଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଥିଲା ଠିକ୍ ସେହିପରି ନାଲି ରଙ୍ଗର ଏହି କୀଟଟି ଧିରେ ଧିରେ ଚାଲି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥାଏ । ସାଧବ ବୋହୂକୁ ନେଇ ଅନେକ କବିତା, ଗୀତ, ଗଳ୍ପ ଲେଖା ଯାଇଥିବା ବେଳେ ପ୍ରକୃତି ପ୍ରେମୀ ମାନେ ସବୁବେଳେ ଏହାକୁ ନେଇ କଳ୍ପନା ରାଇଜରେ ବୁଡି ରହିଥାନ୍ତି । ବର୍ତ୍ତମାନ ପରିବେଶ ପ୍ରଦୂଷଣ ପାଇଁ ଅନେକ କୀଟ ପତଙ୍ଗ ଲୋପ ପାଇ ଯାଉଥିବା ବେଳେ ସଚେତନତା ହିଁ ଏମାନଙ୍କୁ ବଞ୍ଚାଇ ପାରିବ । କିନ୍ତୁ ଚଳିତ ବର୍ଷ ମୌସୁମୀ ଆସିନଥିବା ବେଳେ ଲଘୁଚାପଜନିତ ବର୍ଷାରେ ସାଧବ ବୋହୂ କେତେକ ସ୍ଥାନରେ ଦେଖା ଯାଉଛନ୍ତି ।