ପ୍ରେସ୍ କାଉନସିଲ୍ ନାମ ବ୍ୟବହାର ମନା
ନୂଆପଡା : ‘ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆ’ ହେଉଛି ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ ବୈଧାନିକ ସଂସ୍ଥା, ଯାହା ୧୯୭୮ ମସିହାରେ ପ୍ରେସ୍ କାଉନସିଲ୍ ଆଇନ ଅନୁଯାୟୀ ଗଠିତ ହୋଇଛି । ଏହାର ମୁଖ୍ୟ ଉଦେ୍ଦଶ୍ୟ ହେଉଛି ଦେଶରେ ପ୍ରେସ୍ ବ୍ୟବସ୍ଥାର ସ୍ୱାଧୀନତାକୁ ସୁନିଶ୍ଚିତ କରିବା ସହ ଖବରକାଗଜ ଓ ଏଜେନ୍ସି ଗୁଡିକର ଗୁଣବତ୍ତା ବୃଦ୍ଧି କରିବା । ଏହି ବୈଧାନିକ ନାମ ‘ପ୍ରେସ୍ କାଉନସିଲ୍’ କିମ୍ବା ଏହାର ଅନ୍ୟ ଭାଷାରେ ଅନୁବାଦ, ଯଥା ‘ଭାରତୀୟ ପ୍ରେସ୍ ପରିଷଦ’ ନାମର ବ୍ୟବହାର କୌଣସି ଗଣମାଧ୍ୟମ ସଂସ୍ଥା କିମ୍ବା ସ୍ଥାନୀୟ ସଂଘ ଦ୍ୱାରା କରାଯିବାକୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ନିଷେଧାଦେଶ ଜାରି କରାଯାଇଛି । ଅନଧିକୃତ ବ୍ୟବହାରକାରୀ ବ୍ୟକ୍ତି ବା ସଂସ୍ଥାଙ୍କ ବିରୁଦ୍ଧରେ ଆଇନଗତ ପଦକ୍ଷେପ ଗ୍ରହଣ କରାଯିବ । ଏହି ନିଷେଧାଦେଶ ପ୍ରତି ସମ୍ପୂର୍ଣ୍ଣ ସମ୍ମାନ ଦେଇ ବିଧି ବ୍ୟବସ୍ଥାର ଅନୁସରଣ କରିବାକୁ ସମସ୍ତଙ୍କୁ ଅନୁରୋଧ କରାଯାଉଛି ବୋଲି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଜାରି ଏକ ପ୍ରେସ୍ ବିଜ୍ଞପ୍ତି ପ୍ରକାଶ ପାଇଛି ।