ପରିବାରକୁ କଷ୍ଟରୁ ମୁକ୍ତି ଦେଇଛି ହତ୍ୟାକାରୀ: ମା’ ଓ ୪ ଭଉଣୀଙ୍କୁ ବିଭତ୍ସ ହତ୍ୟା

 ଲକ୍ଷ୍ନୌ: ‘ମୁଁ ନିଜେ ମୋ ମାଆ ଓ ୪ ଭଉଣୀଙ୍କୁ ମାରିଛି । କିଛି ସମୟ ପରେ ମୁଁ ବି ମରିଯିବି । ଆଉ ଏହି ହତ୍ୟା ପାଇଁ ପଡ଼ୋଶୀ ଓ କିଛି ସ୍ଥାନୀୟ ଲୋକ ଦାୟୀ ରହିବେ । ସେମାନେ ଆମ ଘର ମାଡ଼ି ବସିଛନ୍ତି, ହେଲେ ଘରର କାଗଜପତ୍ର ସବୁ ଆମ ପାଖରେ ଅଛି । ଆଉ ଏବେ ଆମ ଘର ବି ନେବାକୁ ଚାହୁଁଛନ୍ତି । ସେମାନଙ୍କ ପାଇଁ ଆମେ ଘର ଛାଡ଼ି ୧୫ ଦିନ ହେଲା ଶୀତକାକରରେ ଫୁଟପାଥରେ ପଡ଼ିଛୁ । ମୋ ଛୋଟ ଭଉଣୀମାନେ ଏତେ କଷ୍ଟ ପାଆନ୍ତୁ ବୋଲି ମୁଁ ଚାହୁଁନି ।' ନିଜ ମା’ ଓ ୪ ଭଉଣୀଙ୍କୁ ହତ୍ୟା କରିବା ପରେ ସୋସିଆଲ୍ ମିଡିଆରେ ଏକ ଭିଡିଓ ଜାରି କରି ଏପରି କିଛି କହିଛି ହତ୍ୟାକାରୀ । ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌର ଏକ ହୋଟେଲରେ ଜଣେ ଯୁବକ ତାଙ୍କ ମା’ ଓ ୪ ଭଉଣୀଙ୍କୁ ହତ୍ୟା କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଭିଡିଓରେ ନିଜକୁ ହତ୍ୟାକାରୀ ଦର୍ଶାଉଥିବା ଯୁବକ ଜଣକ ଅର୍ଶଦ (୨୪) ହୋଇଥିବା ବେଳେ ପୁଲିସ ତାକୁ ଗିରଫ କରିଛି । ସେହିପରି ମୃତକମାନେ ହେଉଛନ୍ତି ଅର୍ଶଦର ମା’ ଅସମା, ଭଉଣୀ ଅଲଶିୟା (୧୯), ରହମୀନ (୧୮), ଅକସା (୧୬) ଓ ଆଲିୟା (୯) । ଅର୍ଶଦର ବାପା ବଦର ମଧ୍ୟ ଏହି ହତ୍ୟାକାଣ୍ଡରେ ସଂପୃକ୍ତି ଥିବା ପୁଲିସ୍ ସନେ୍ଦହ କରୁଥିବା ବେଳେ ସେ ଫେରାର୍ ଅଛି ।
ପୁଲିସ୍ ସୂଚନାନୁସାରେ ଗତ ସୋମବାର ସପରିବାର ଲକ୍ଷ୍ନୌ ଆସି ଏକ ହୋଟେଲରେ ରହୁଥିଲେ । ଗତକାଲି ରାତିରେ ହୋଟେଲରେ ଏହି ପରିବାରର ସଦସ୍ୟଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା ଓ ତା’ପରେ ଏହି ଘଟଣା ଘଟିଥିଲା । ଅର୍ଶଦ ସମସ୍ତଙ୍କ ଖାଦ୍ୟରେ ନିଶା ଦ୍ରବ୍ୟ ମିଶାଇ ଖାଇବାକୁ ଦେବାରୁ ମା’ ଓ ଭଉଣୀମାନେ ଅଚେତ ହୋଇଯାଇଥିଲେ । ପରେ ସେମାନଙ୍କ ହାତର ମଣିବନ୍ଧକୁ ବ୍ଲେଡ୍ରେ କଟାଯାଇଥିବାରୁ ସେମାନଙ୍କ ମୃତୁ୍ୟ ହୋଇଛି । ପ୍ରାଥମିକ ତଦନ୍ତ କରି ପୁଲିସ୍ କହିଛି ଯେ, ମୃତଦେହଗୁଡିକ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିଲା । ୫ ମୃତକଙ୍କ ମଧ୍ୟରୁ ଦୁଇ ତିନି ଜଣଙ୍କୁ ଶୋଇଥିବା ଅବସ୍ଥାରେ ପ୍ରଥମେ ତଣ୍ଟି ଚିପି ହତ୍ୟା କରାଯାଇଛି ଓ ପରେ ସେମାନଙ୍କ ମଣିବନ୍ଧକୁ ବ୍ଲେଡ୍ ଯୋଗେ କଟାଯାଇଛି । ପୁଲିସ୍ ଶବଗୁଡ଼ିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ରିପୋର୍ଟ ଆସିବା ପରେ ହତ୍ୟାର ପ୍ରକୃତ କାରଣ ଜଣାପଡ଼ିବ ବୋଲି  ସେଣ୍ଟ୍ରାଲ ଲକ୍ଷ୍ନୌ ଡିସିପି ରବୀନା ତ୍ୟାଗୀ କହିଛନ୍ତି । ମା’ ଓ ଭଉଣୀମାନଙ୍କୁ ହତ୍ୟା କରିବା ପରେ ଅର୍ଶଦ ନିଜେ ଫୋନ୍ କରି ପୁଲିସକୁ ଜଣାଇଥିଲା । ତେବେ ପୁଲିସ୍କୁ ଜଣାଇବା ପୂର୍ବରୁ ଅର୍ଶଦ ନିଜେ ମୋବାଇଲ୍ ଯୋଗେ ଭିଡିଓ କରି ସୋସିଆଲ୍ ମିଡିଆରେ ପୋଷ୍ଟ କରିଥିଲା । ଭିଡିଓରେ ଅର୍ଶଦ ଓ ତାଙ୍କ ପରିବାରକୁ ହଇରାଣ କରୁଥିବା କେତେକ ବ୍ୟକ୍ତିଙ୍କ ନାଁ ମଧ୍ୟ ନେଇଛି । ସେମାନେ ହେଲେ ରାନୁ, ଅଫତାବ, ଅଲୀମ ଖାନ, ସଲିମ, ଅରିଫ, ଅହମଦ ଓ ଆଝାର । ସେମାନେ ଲ୍ୟାଣ୍ଡ ମାଫିଆ ଓ ଯୁବତୀ ମଧ୍ୟ ବିକ୍ରି କରନ୍ତି ବୋଲି ଭିଡିଓରେ କହିଛି ଅର୍ଶଦ ।