ବିଲ ମାଳରେ ଚାଷୀ ପାଳିଲେ ନୂଆବର୍ଷ

 ଆସିକା:  କେଉଁଠି ଭୋଜି ଭାତ ତ ଅନ୍ୟ କେଉଁଠେ ନାଚ ଗୀତ ସାଙ୍ଗକୁ ମଜା ମଜିଲିସରେ ନୂଆବର୍ଷ ପାଳନ ହୋଇଛି । କିନ୍ତୁ ନୂଆବର୍ଷ ଚାଷୀମାନେ ବିଲରେ ପାଳିବା ଦେଖାଦେଇଛି । ବିଲ ମୁଣ୍ଡରୁ ଖଳାକୁ ଓଦା ଓ କଞ୍ଚା ଧାନକୁ ଉଦ୍ଧାର କରିବା ପାଇଁ ବିଲ ମୁଣ୍ଡରେ ଚାଷୀ ଓ ସପରିବାର ଲାଗିପଡ଼ିଥିଲେ । ପୂର୍ବ ବର୍ଷ ଏଭଳି ଦୁର୍ଦ୍ଦଶା ଆଣି ଦେଇଥିଲା ଲଗାଣ ବର୍ଷା  । ନିଜର ସର୍ବସ୍ୱ ଲଗାଇ ଚାଷୀ ନିଜେ କଷ୍ଟ ପଡିବା ସହ ସାର, ବିହନ ଓ ପିଡିଆ ଫସଲରେ ଦେଇଥିଲା  । ଏଥିପାଇଁ ଧାର କରଜ କରି ଧାନ ଚାଷ କରିଥିଲା । କିନ୍ତୁ ଲଗାଣ ବର୍ଷା ଚାଷୀର ଅଣ୍ଟା ଦୋହଲି ଦେଇଥିବାରୁ ନୂଆବର୍ଷ ପାଳନ ଚାଷୀଙ୍କ ପାଇଁ ଫିକା ପଡିଛି । ଚଳିତ ବର୍ଷ ଧାନ ଭଲ ହୋଇଥିଲା । ଭଗବାନ ସଦୟ ହୋଇଥିଲେ କିନ୍ତୁ କୁଆଡେ ଅଦିନିଆ ବର୍ଷା ଆସିଲା ସବୁ ଉଜାଡିଦେଲା ବୋଲି ବାବନପୁର ଚାଷୀ ବସନ୍ତ ନାୟକ ପ୍ରକାଶ କରି କହିଥିଷଲ ଯେ, ନୂଆବର୍ଷ ପାଳନ କରିବୁ ବୋଲି ତାଙ୍କ ଆଖିରେ ଲୁହ ଜକେଇ ଆସିଥିଲା ।
ସେଭଳି ଅନ୍ୟ ଚାଷୀ ସୁଦର୍ଶନ ବାଡ଼ତୀୟା ନିଜର ଅସହାୟତାକୁ ବଖାଣି ପାରିନଥିଲେ କେବଳ ବଲବଲ କରି ଚାହୁଁଥିଲେ । ସେମିତି ଢୁଙ୍କୁଣୀ ଗ୍ରାମର ଚାଷୀ ସୁରେନ୍ଦ୍ର ଗୌଡ଼ ଖାଲୁଆ ଗହୀର ମାଳରୁ ସପରିବାରଙ୍କୁ ଧରି ଜମିରୁ ଧାନଆଣି ଗଛିତ କରୁଥିବା ବେଳେ ତାଙ୍କ ଦୁଃଖ ଶୁଣିଲୁ କିନ୍ତୁ ତାକୁ ବୟାନ କରିବା କେତେ ଯେ ହୃଦୟ ବିଦାରକ ତାହା ଏଠି ଉଲ୍ଲେଖ କରିବା ମୁସ୍କିଲ ଅଟେ । ତେବେ କାହାପାଇଁ ଏ ନୂଆବର୍ଷ ପୁଷ ମାସ ତ କାହାପାଇଁ ସର୍ବନାଶ ବୋଲି ଚାଷୀମାନେ ପ୍ରକାଶ କରିଥିଲେ ।