କକାକୁ ପିଟି ପିଟି ମାରିଦେଲେ ପୁତୁରା

ନବରଙ୍ଗପୁର/ରାଇଘର : ଜମିଜମାକୁ କେନ୍ଦ୍ର କରି କକାଙ୍କୁ ଦୁଇ ସମ୍ପର୍କୀୟ ପୁତୁରା ପିଟି ପିଟି ମାରି ଦେଇଛନ୍ତି । ଏପରି ଅଭାବନୀୟ ଘଟଣା ଘଟିଛି ରାଇଘର ଥାନା ହାତୀଗାଁ ପଞ୍ଚାୟତ କମକାଡଡଗି ଗ୍ରାମରେ । ମୃତକ ତୁଳସୀ ଗଣ୍ଡ (୪୫) । ଥାନାରେ ପରିବାର ଲୋକଙ୍କ ଅଭିଯୋଗ ପରେ ପୁଲିସ୍ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସୂଚନାନୁଯାୟୀ, ଗାଣ୍ଡାଡିହି ଗ୍ରାମର ତୁଳସୀ ଗଣ୍ଡ ଦୀର୍ଘ ଦିନ ଧରି କମକାଡଡଗି ଗ୍ରାମରେ ରହି ଚାଷବାସ କରି ଆସୁଥିଲେ । ଗତ ସୋମବାର ସମ୍ପର୍କୀୟ ପୁତୁରା ସୁନ୍ଦର ଗଣ୍ଡ ଓ ଇନ୍ଦର ଗଣ୍ଡ ଜମିଜମା ବିବାଦକୁ ନେଇ ତୁଳସୀଙ୍କ ସହ ଯୁକ୍ତିତର୍କ କରିଥିଲେ । ଯୁକ୍ତିତର୍କ ଉଗ୍ର ରୂପ ଧାରଣ କରିବା ପରେ ଦୁଇ ପୁତୁରା ସୁନ୍ଦର ଓ ଇନ୍ଦର ତୁଳସୀଙ୍କୁ ମାଡ଼ ମାରିଥିଲେ । ଠେଙ୍ଗା ଓ ପଥର ମାଡ଼ରେ ତୁଳସୀ ଗୁରୁତର ହୋଇ ପଡ଼ିଥିଲେ ମଙ୍ଗଳବାର ତୁଳସୀଙ୍କ ସାନଭାଇ କେଶନାଥ ଗଣ୍ଡ ଓ ଭଣଜା ଦିଲେଶ ଗଣ୍ଡ ଘଟଣା ସମ୍ପର୍କରେ ଖବର ପାଇ ଗୁରୁତର ଅବସ୍ଥାରେ ତୁଳସୀଙ୍କୁ ଉଦ୍ଧାର କରି ନିଜ ଗାଁ ଗାଣ୍ଡାଡିହିକୁ ଆଣୁଥିବା ବେଳେ ଗଞ୍ଜାପରା ନିକଟରେ ତାଙ୍କର ମୃତୁ୍ୟ ହୋଇଥିଲା । ଘଟଣା ସମ୍ପର୍କରେ ମୂତ ତୁଳସୀଙ୍କ ସାନ ଭାଇ କେଶନାଥ ବୁଧବାର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ୍ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତୁଳସୀଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଆଜି ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।