ଖବର ପ୍ରକାଶ ପରେ... ନୂଆଗଡ଼-ମିଲଟାରୀ ରାସ୍ତା ହେଲା ମରାମତି
ଯାଜପୁର: ମରଣଯନ୍ତା ପାଲଟିଛି ନୂଆଗଡ଼-ମିଲଟାରୀ ବାଇପାସ୍ ରାସ୍ତା ଶୀର୍ଷକ ଖବର ପ୍ରକାଶ ସହ ବିଭାଗୀୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ ପରେ ପୂର୍ତ୍ତ ବିଭାଗର ନିଦ ଭାଙ୍ଗିଥିଲା । ଗଲା କିଛି ଦିନ ହେବ ସଂପୃକ୍ତ ରାସ୍ତାର ରାଣିପଡ଼ା ଓଭରବ୍ରିଜ୍ ନିକଟରେ ରାସ୍ତା ଅବସ୍ଥା ଶୋଚନୀୟ ହୋଇଥିଲେ ହେଁ ବିଭାଗୀୟ ଅଧିକାରୀ ସାମାନ୍ୟତମ ମରାମତି କରିବାର ପଦକ୍ଷେପ ନେଇ ନଥିଲେ । କିନ୍ତୁ ଗଣମାଧ୍ୟମରେ ଖବର ପ୍ରକାଶ ପରେ ଆଜି ସଂପୃକ୍ତ ବିଭାଗ ରାସ୍ତା ମରାମତି କରିବାକୁ ଆଗେଇ ଆସିଥିଲା । ବିଭାଗୀୟ ଅଧିକାରୀଙ୍କ ନିଦେ୍ର୍ଦଶରେ ଜନୈକ ଠିକାଦାର ଡ଼ବ୍ଲୁଏମଏମ ପକାଇବା ଖାଲକୁ ପୋତିବା ସହ କେତେକ ସ୍ଥାନରେ ପଲଥିନରେ ଆାଣିଥିବା ପିଚୁ ପକାଇଥିଲେ । କିନ୍ତୁ ହୋଇଥିବା ମରାମତି ଦିନ କେଇଟାରେ ଉଠିଯିବାର ସମ୍ଭାବନା ରହିଛି । ଗୋଟେ ପଟେ ବର୍ଷା ଲାଗି ରହିଥିବା ବେଳେ ଅନ୍ୟ ପଟେ ଖାଲଟି ଓଭରବ୍ରିଜ ଓ ଆପ୍ରୋଜ ରୋଡ୍କୁ ଯୋଡୁଥିବା ସ୍ଥାନରେ ହୋଇଥିବା ଏବଂ ସର୍ବୋପରି ସଂପୃକ୍ତ ସ୍ଥାନଟି ମୋଡ଼ଣି ରହିଥିବାରୁ ପୋତାଯାଇଥିବା ଡବ୍ଲୁଏମ୍ଏମ୍ ଦିନେ ଦୁଇଦିନ ଭିତରେ ଉଠିଯିବାର ଆଶଙ୍କା କରାଯାଉଛି । କାହିଁକି ନା ଯେଉଁ ସ୍ଥାନରେ ଏଭଳି ବିପର୍ଯ୍ୟସ୍ତ ଅବସ୍ଥା ସୃଷ୍ଟି ହୋଇଛି, ସେହି ସ୍ଥାନ ଦେଇ ବି୍ରିଜର ଉପର ପାଣି ଗଡ଼ି ଜମି ରହୁଛି । ଏଣୁ ପୋତା ହୋଇଥିବା ଡବ୍ଲୁଏମଏମ ଭାରୀଯାନ ଚକାରେ ଦାବି ଯାଇ ଉଠିଯିବାକୁ ବେଶୀ ସମୟ ଲାଗିବନି । ସଂପୃକ୍ତ ସ୍ଥାନର ସଂପୂର୍ଣ୍ଣ ମରାମତି ଆବଶ୍ୟକ ରହିଥିବାବେଳେ ବିଭାଗ କିନ୍ତୁ ମାସ ମାସ ଧରି ଏହା କରିବାର ଆଗ୍ରହ ଦେଖାଇନି । କେବଳ ଚିଠାରେ ୫ଲକ୍ଷ, ୬ଲକ୍ଷ ଟଙ୍କାରେ ରାସ୍ତା ମରାମତି କରାଇ କେବଳ ଠିକାଦାର ପୋଷା ନୀତି ଆପଣାଇଛି । ତେବେ ଦେଖିବାର ଅଛି ମରାମତି କେତେଦିନ ଯାଉଛି ।