ସ୍ତ୍ରୀକୁ ମାରି ପୋତିଦେଲା ସ୍ବାମୀ
ସାମ୍ନାକୁ ଆସିଲା ନୃଶଂସ ସ୍ବାମୀର କଳା କାରନାମା । ସ୍ତ୍ରୀକୁ ହତ୍ୟା କରି ଜଙ୍ଗଲରେ ପୋତି ଦେଇଥିବା ଅଭିଯୋଗ । ହତ୍ୟା ସନ୍ଦେହରେ ସ୍ବାମୀଙ୍କୁ ଗିରଫ କରି ତଦନ୍ତ କରୁଛି ପୁଲିସ । ଘଟଣାଟି କୋରାପୁଟ ଜିଲ୍ଲା କୋଟପାଡ଼ ଥିନା ଅଞ୍ଚଳର । ଆମ୍ବଗାଁ ଜଙ୍ଗଲରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ସ୍ୱାମୀ ଲୋକନାଥ ଜାନିଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିବା ପରେ ସ୍ତ୍ରୀକୁ ହତ୍ୟା କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ଉଭୟ ସ୍ୱାମୀ, ସ୍ତ୍ରୀ ସାଥୀ ହୋଇ ନିଜ ଜମିକୁ କାମ କରିବାକୁ ଯାଇଥିଲେ । କିନ୍ତୁ ସ୍ତ୍ରୀ ଆଉ ଫେରି ନଥିଲେ । କେଉଁଆଡ଼େ ଚାଲି ଯାଇଥିବା କହିଥିଲେ ସ୍ୱାମୀ l ଝିଅକୁ ନପାଇ କୋଟପାଡ଼ ଥାନାରେ ଅଭିଯୋଗ କରିଥିଲେ ମହିଳାଙ୍କ ବାପା । ଅଭିଯୋଗ ଅଧାରରେ ପୁଲିସ ଖୋଜାଖୋଜି ଆରମ୍ଭ କରିଥିଲା । ଜଙ୍ଗଲରେ ଗାଈ ଚରାଳି ପଚାସଢ଼ା ଦୁର୍ଗନ୍ଧ ହେଉଥିବା ନେଇ ଗ୍ରାମବାସୀଙ୍କୁ ଜଣାଇବା ପରେ ଘଟଣାଟି ସାମ୍ନାକୁ ଆସିଥିଲା । ଗ୍ରାମବାସୀ ଓ କୋଟପାଡ଼ ପୁଲିସ ଜଙ୍ଗଲ ମଧ୍ୟରେ ଦୁର୍ଗନ୍ଧ ହେଉଥିବା ସ୍ଥାନରେ ପହଞ୍ଚି ମହିଳାଙ୍କ ଶବ ମାଟି ତଳେ ପୋତା ହୋଇଥିବା ଦେଖିବାକୁ ପାଇଥିଲେ । ମହିଳାଙ୍କ ଶରୀରର ପାୟ ୭୦ ପ୍ରତିଶତ ମାଟି ତଳେ ପୋତି ହୋଇ ରହିଥିବା ବେଳେ, ଗୋଡ଼ ଦୁଇଟି ବାହାରକୁ ଦେଖା ଯାଉଥିଲା l ମାଟି ଖୋଳି ବାହାର କରିବା ପରେ ନିଖୋଜ ମହିଳା ସମଲା ଜାନୀ ବୋଲି ଜଣାପଡ଼ିଥିଲା । କୋଟପାଡ଼ ପୋଲିସ ସ୍ବାମୀ ଉପରେ ସନ୍ଦେହ କରି ପଚରା ଉଚରା ପରେ ସେ ନିଜେ ହିଁ ନିଜ ସ୍ତ୍ରୀର ହତ୍ୟାକାରୀ ବୋଲି ଜାଣିବାକୁ ପାଇଥିଲା । ସାଇଣ୍ଟିଫିକ୍ ଟିମ୍,ଏସଡିପିଓ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହ ଉଦ୍ଧାର କରାଯାଇଛି । ତେବେ କାହିଁକି ସ୍ବାମୀ ହତ୍ୟା କଲା ତାର ତଦନ୍ତ କରୁଛି ପୁଲିସ ।