ଅପରାଜିତାଙ୍କ ବିରୋଧରେ ଷଡ଼ଯନ୍ତ୍ର
Aparajita Sarangi , Odisha BJP

ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ବିରୋଧରେ ହେଉଛି ଷଡ଼ଯନ୍ତ୍ର । ବିଜେପିର ଏକ ଟାଣୁଆ ଗୋଷ୍ଠୀ ଅପରାଜିତାଙ୍କ ବିରୋଧରେ ଚକ୍ରାନ୍ତ କରିଛନ୍ତି । ଅପରାଜିତାଙ୍କ ବିଷ ଦାନ୍ତ ଭାଙ୍ଗିବା ପାଇଁ ଯୋଜନାବଦ୍ଧ ଭାବେ ରଣନୀତି କରାଯାଇଛି । ଯାହାକୁ ନେଇ ରାଗିପାଚି ଲାଲ ହୋଇଯାଇଛନ୍ତି ଅପରାଜିତା । ଦିଲ୍ଲୀରେ ଏନେଇ ସେ ଫେରାଦ କରିଛନ୍ତି ବୋଲି ଚର୍ଚ୍ଚା ହେଉଛି । ନିକଟରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଅପରାଜିତାଙ୍କ ଖାସ୍ ସହଯୋଗୀଙ୍କୁ ନିଲମ୍ବିତ କରିଥିଲେ । ଯେଉଁ ତାଲିକାରେ ଥିଲେ ଧନେଶ୍ୱର ବାରିକ । ଧନେଶ୍ୱର ହେଉଛନ୍ତି ଅପରାଜିତାଙ୍କ ଘନିଷ୍ଠ ସହଯୋଗୀ । ସାଂସଦଙ୍କର ସେ ଥିଲେ ବ୍ୟକ୍ତିଗତ ସହାୟକ । ଅପରାଜିତାଙ୍କୁ ଭେଟିବା ପାଇଁ ଧନେଶ୍ୱରଙ୍କୁ ହିଁ କଲ୍ କରିବାକୁ ପଡେ଼ । ମ୍ୟାଡ଼ାମଙ୍କର ସବୁ କାର୍ଯ୍ୟକ୍ରମର ଆୟୋଜନ ଦାୟିତ୍ୱ ବି ତାଙ୍କ ଉପରେ ରହିଥାଏ । ସବୁବେଳେ ସେ ଅପରାଜିତାଙ୍କ ଛାଇ ଭଳି ରହିଥା’ନ୍ତି । ଅନ୍ୟ ନେତାଙ୍କୁ ନିଲମ୍ବନ କରିଥିଲେ ଅପରାଜିତାଙ୍କୁ ବାଧିନଥା’ନ୍ତା । ହେଲେ ଧନେଶ୍ୱରଙ୍କୁ ନିଲମ୍ବନ କରି ଅପରାଜିତାଙ୍କୁ ଅସମ୍ମାନୀତ କରାଯାଇଛି ବୋଲି ତାଙ୍କର ସମର୍ଥକମାନେ ମତପ୍ରକାଶ କରିଛନ୍ତି । ସାଂସଦ ବି ଏହାକୁ ଗୁରୁତର ସହ ଗ୍ରହଣ କରିଛନ୍ତି । ଯେଉଁଥିପାଇଁ ସେ ଏନେଇ ମୁହଁ ଖୋଲୁନାହାନ୍ତି । ଦିଲ୍ଳୀରେ ମଧ୍ୟ ନେତାଙ୍କୁ ସାକ୍ଷାତ କରି ସେ ଏକଥା କହିଥିବା କୁହାଯାଉଛି । ତେବେ ରାଜ୍ୟ ବିଜେପି ପକ୍ଷରୁ ମଧ୍ୟ ଅପରାଜିତାଙ୍କ ବିରୋଧରେ ବେଶ୍ ଦିପଦ କୁହାଯାଇଛି । ସେ କିଭଳି ଦଳୀୟ ଲାଇନ୍ରେ ନଯାଇ ନିଜସ୍ୱ ବାଟରେ ସଂଗଠନ ଓ କାର୍ଯ୍ୟକ୍ରମ କରୁଛନ୍ତି ତାହା କୁହାଯାଇଛି । ଗତ ୫ ବର୍ଷ ଧରି ଅପରାଜିତା କିଭଳି ରାଜ୍ୟ ବିଜେପି କାର୍ଯ୍ୟାଳୟକୁ ମାନୁନାହାନ୍ତି ସେନେଇ ବି ଫେରାଦ୍ କରାଯାଇଛି । ଅତୀତରେ ବି ଅପରାଜିତାଙ୍କ ବିରୋଧରେ ଏକ ଚିଠି ଯାଇଥିଲା । ଦଳଠାରୁ ସେ ନିଜକୁ ଉପରେ ବୋଲି ଭାବୁଛନ୍ତି ବୋଲି କୁହାଯାଇଥିଲା । କିନ୍ତୁ ସେତେବେଳେ ତାଙ୍କୁ ଦିଲ୍ଲୀରୁ ତାଗିଦ୍ କରାଯାଇନଥିଲା । ଏବେ କିନ୍ତୁ ରାଜ୍ୟରେ ସ୍ଥିତି ବଦଳିଯାଇଛି । ଦଳ ସରକାରକୁ ଆସିବା ପରେ ଅନେକ ନେତା କ୍ଷମତା ଓ ଲୋକପ୍ରିୟତାରେ ତାଙ୍କ ଠାରୁ ଢେ଼ର ଆଗକୁ ଚାଲିଯାଇଛନ୍ତି । ମହିଳା ନେତ୍ରୀଙ୍କ ମଧ୍ୟରେ ଏବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ କାଟତି ବଢ଼ିଯାଇଛି । ସରକାରକୁ ଆସିବା ପରେ ଦଳର ସଭାପତିଙ୍କ ଠାରୁ ନେଇ ଅନ୍ୟ ସାଧାରଣ ସମ୍ପାଦକମାନଙ୍କ ଦବଦବା ବି ବଢ଼ିଚାଲିଛି । ଏଭଳି ସ୍ଥିତିରେ ଭୁବନେଶ୍ୱର ସାଂସଦ ନିଜକୁ ଅସହଜ ମନେ କରୁଛନ୍ତି । ଏମିତିକି ଭୁବନେଶ୍ୱରରୁ ଜିତିଥିବା ଏକମାତ୍ର ବିଧାୟକ ବାବୁ ସିଂଙ୍କ ପତିଆରା ବଢ଼ିଯାଇଛି । ଗୋଟିଏ ପଟେ ଭୁବନେଶ୍ୱର ଜିଲ୍ଲା ସଭାପତି ଥିବାବେଳେ ବିଧାୟକ ଥିବାରୁ ସବୁବେଳେ ସରକାରୀ କାର୍ଯ୍ୟକ୍ରମରେ ସେହିଁ ଯୋଗ ଦେଉଛନ୍ତି । ଧିରେଧିରେ ଅପରାଜିତାଙ୍କ କାଟତି ଓ ଦବଦବା କମୁଥିବାବେଳେ ଆଗାମୀ ଦିନରେ ତାଙ୍କର ମତିଗତି ନେଇ ନଜର ରହିଛି ।