ପତ୍ନୀଙ୍କୁ ହତ୍ୟା କରି ଦୃଶ୍ୟମ ଫିଲ୍ମ ଭଳି ମାଟି ତଳେ ପୋତିଦେଲେ
ପତ୍ନୀ ଆଉ କାହା ସହ ପ୍ରେମ ସମ୍ପର୍କରେ ରହିଥିବା ସବୁବେଳେ ସନ୍ଦେହ କରୁଥିଲେ ସ୍ୱାମୀ। ଏହି ସନ୍ଦେହ ଶେଷରେ ଭୟଙ୍କର ରୂପ ନେଇଛି। ବଲିଉଡ ଫିଲ୍ମ ଦୃଶ୍ୟମ ଷ୍ଟାଇଲରେ ପତ୍ନୀଙ୍କୁ ହତ୍ୟା କରିଛନ୍ତି ସ୍ୱାମୀ। ୩୦ ବର୍ଷୀୟ ପତ୍ନୀଙ୍କୁ ହତ୍ୟା କରିବା ପରେ ସେ ଦିଲ୍ଲୀର ଗୋଟିଏ କବରସ୍ତାନରେ ମୃତଦେହକୁ ପୋତି ଦେଇଛନ୍ତି। ପତ୍ନୀଙ୍କୁ ହତ୍ୟା କରି ଦୃଶ୍ୟମ ଫିଲ୍ମ ଭଳି ମାଟି ତଳେ ପୋତି ଦେଇ ସ୍ୱାମୀ ଜଣଙ୍କ ସାଂଘାତିକ ଯୋଜନା କରିଥିଲେ। ପତ୍ନୀ ନିଜ ପ୍ରେମିକ ସହ ଫେରାର ହୋଇଯାଇଥିବା ସେ ସମସ୍ତଙ୍କୁ କହିଥିଲେ। କିନ୍ତୁ ତାଙ୍କର ସବୁ ଖେଳ ସିସିଟିଭିରେ ଧରାପଡ଼ି ଯାଇଛି। ସତ ସାମ୍ନାକୁ ଆସିବା ପରେ ଦିଲ୍ଲୀ ପୁଲିସ୍ ତାଙ୍କୁ ଓ ତାଙ୍କର ଦୁଇ ସହଯୋଗୀଙ୍କୁ ଗିରଫ କରିଛି। ଉତ୍ତର ପ୍ରଦେଶର ଅମରୋହାର ମୂଳ ବାସିନ୍ଦା ୪୭ ବର୍ଷୀୟ ଶଦାବ ଅଲୀ ଦିଲ୍ଲୀରେ ରଙ୍ଗ ମସ୍ତ୍ରୀ ଭାବେ କାମ କରିଛନ୍ତି। ସେ ତାଙ୍କର ୩୦ ବର୍ଷୀୟ ପତ୍ନୀ ଫାତିମାଙ୍କ ଚରିତ୍ରକୁ ସନ୍ଦେହ କରି ହତ୍ୟା କରିଛନ୍ତି। ଡିସିପି ଅଙ୍କିତ ଚୌହାନଙ୍କ କହିବା କଥା ଯେ ଅଭିଯୁକ୍ତ ଜଣଙ୍କ ୫ ଦିନ ଧରି ତାଙ୍କ ପତ୍ନୀଙ୍କୁ କୀଟନାଶକ ପିଆଇବା ସହ ନିଶା ଯୁକ୍ତ ବଟିକା ଖାଇବାକୁ ଦେଉଥିଲେ। ଏଥିଯୋଗୁ ତାଙ୍କର ମୃତ୍ୟୁ ହୋଇଥିଲା। ଏହାପରେ କାର ଯୋଗେ ମୃତଦେହକୁ ମେହରୌଲି ସ୍ଥିତ ଗୋଟିଏ କବରସ୍ତାନକୁ ନେଇ ଯାଇଥିଲେ। ଏଥିରେ ତାଙ୍କୁ ଶାହରୁଖ ଖାନ, ତନବୀର ଓ ଆଉ ଜଣେ ବ୍ୟକ୍ତି ସହାୟତା କରିଥିଲେ। ସେମାନେ ସେଠାରେ ଫାତିମାଙ୍କ ମୃତଦେହକୁ ପୋତି ଦେଇଥିଲେ ଓ ପୋଷାକକୁ ଗୋଟିଏ କେନେଲାରେ ଫିଙ୍ଗି ଥିଲେ।