CID ଦେଖି ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ମାରିଦେଲେ ପତ୍ନୀ

CID ଦେଖି ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ମାରିଦେଲେ ପତ୍ନୀ

ପୁଣି ପ୍ରେମ ପାଇଁ ଜଣେ ସ୍ୱାମୀ ବଳି ପଡ଼ିଛନ୍ତି। ପତ୍ନୀଙ୍କ ହାତରେ ଯାଇଛି ସ୍ୱାମୀଙ୍କ ଜୀବନ। ପ୍ରେମ ପାଇଁ ନିଜ ମଥାର ସିନ୍ଦୂର ପୋଛି ଦେଇଛନ୍ତି ଜଣେ ମହିଳା। ସିଆଇଡି ଭଳି କ୍ରାଇମ ଶୋ’ ଦେଖି ଅନୁପ୍ରାଣିତ ହେବା ପରେ ପ୍ରେମିକ ସହ ମିଶି ମହିଳା ଜଣଙ୍କ ନିଜ ସ୍ୱାମୀଙ୍କ ଜୀବନ ନେଇ ଯାଇଛନ୍ତି। ରାଜସ୍ଥାନର ଜୟପୁରରେ ଏପରି ଘଟଣା ଘଟିଛି। ପୁଲିସ୍‌ ଏହି ଘଟଣାରେ ମହିଳା, ତାଙ୍କ ପ୍ରେମିକ ଓ ପ୍ରେମିକର ସାଙ୍ଗଙ୍କୁ ଗିରଫ କରିଛି। ମୃତକ ଜଣଙ୍କ ହେଲେ ୩୫ ବର୍ଷୀୟ ମନୋଜ କୁମାର ରାଇଗର। ଚଳିତ ମାସ ଆରମ୍ଭରେ ତାଙ୍କ ରକ୍ତଭିଜା ମୃତଦେହକୁ ସହରର ଗୋଟିଏ ଫୁଟବଲ ପଡ଼ିଆ ନିକଟରୁ ଜବତ କରାଯାଇଥିଲା। ତାଙ୍କ ଗଳାକୁ ଗୋଟିଏ ଧାରୁଆ ଅସ୍ତ୍ରରେ କାଟି ହତ୍ୟା କରାଯାଇଥିବା ପୁଲିସ୍‌ କହିଥିଲା। ଘଟଣାର ତଦନ୍ତ ଆରମ୍ଭ କରିବା ବେଳେ ପୁଲିସ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲା। ଘଟଣାର କୌଣସି ପ୍ରତ୍ୟେକ୍ଷଦର୍ଶୀ ନଥିବା ବେଳେ ଘଟଣା ସ୍ଥଳରେ କୌଣସି ସିସିଟିଭି ମଧ୍ୟ ଲାଗି ନଥିଲା। କିନ୍ତୁ ଟେକ୍ନିକାଲ ସର୍ଭେଲାନ୍ସ ଓ ଉକ୍ତ ସ୍ଥାନକୁ ସଂଯୋଗ କରୁଥିବା ରାସ୍ତାର ସିସିଟିଭିକୁ ଫୁଟେଜ ସହାୟତାରେ ପୁଲିସ୍‌ ସନ୍ଦିଗ୍ଧଙ୍କୁ ଚିହ୍ନଟ କରିଥିଲା।

ଏହାପରେ ପୁଲିସ୍‌ ମନୋଜ କୁମାରଙ୍କ ପତ୍ନୀ ସନ୍ତୋଷ, ତାଙ୍କ ପ୍ରେମିକ ରିଷି ଶ୍ରୀବାସ୍ତବ ଓ ବନ୍ଧୁ ମୋହିତ ଶର୍ମାଙ୍କ ଉପରେ ଫୋକସ କରିଥିଲା। ତଦନ୍ତରୁ ସ୍ପଷ୍ଟ ହୋଇଥିଲା ଯେ ସ୍ୱାମୀଙ୍କୁ ମାରିବା ପାଇଁ ସନ୍ତୋଷ ଷଡ଼ଯନ୍ତ୍ର କରିଥିଲେ। ଏଥିରେ ତାଙ୍କୁ ପ୍ରେମିକ ରିଷି ଓ ବନ୍ଧୁ ମୋହିତ ସହଯୋଗ କରିଥିଲେ। ଜେରା ବେଳେ ସନ୍ତୋଷ ନିଜର ଅପରାଧକୁ ସ୍ୱୀକାର କରିଛନ୍ତି। ବିଭିନ୍ନ ୱେବ ସିରିଜ ଓ ଦୀର୍ଘ ବର୍ଷ ଧରି ଟିଭିରେ ଚାଲିଥିବା ସିଆଇଡିକୁ ଦେଖି ସେ ସ୍ୱାମୀଙ୍କୁ ମାରିବାକୁ ଯୋଜନା କରିଥିଲେ ବୋଲି କହିଛନ୍ତି। ୩ ଅଭିଯୁକ୍ତ ପୁଲିସକୁ ବିଭ୍ରାନ୍ତ କରିବା ପାଇଁ ୩ଟି ନୂଆ ସିମ କିଣିଥିଲେ। ଏହି ନମ୍ବରରେ ହିଁ ସେମାନେ ପରସ୍ପର ସହ ଯୋଗାଯୋଗ କରୁଥିଲେ। ଜଣେ ପୁଲିସ୍‌ ଅଧିକାରୀ କହିଛନ୍ତି ଯେ ସିସିଟିଭି ଫୁଟେଜକୁ ଯାଞ୍ଚ କରିବା ବେଳେ ମନୋଜ ସହ ଗୋଟିଏ ଇ-ରିକ୍ସାରେ ଆଉ ଜଣେ କେହି ବସିଥିବା ଦେଖିବାକୁ ମିଳିଥିଲା। ବାସ୍‌ ଏହାକୁ ଆଧାର କରି ତଦନ୍ତ ଆଗକୁ ବଢ଼ିବାରୁ ସବୁ କଥା ସାମ୍ନାକୁ ଆସିଛି। ସନ୍ତୋଷ, ମୋହିତ ଓ ରିଷି ମିଳିତ ଭାବେ ଧାରୁଅ ଅସ୍ତ୍ରରରେ ମନୋଜଙ୍କ ତଣ୍ଟି କାଟି ହତ୍ୟା କରିଥିଲେ। ଏହାପରେ ମୃତଦେହକୁ ଫୁଟବଲ ପଡ଼ିଆ ନିକଟରେ ଫିଙ୍ଗି ଫେରାର ହୋଇଯାଇଥିଲେ।