ଭାରତୀୟ ସେନାରେ ନାଗାସ୍ତ୍ର-୧ ସାମିଲ
ନୂଆଦିଲ୍ଲୀ: ଭାରତୀୟ ସେନାରେ ସାମିଲ ହୋଇଛି ଡ୍ରୋନ ନାଗାସ୍ତ୍ର-୧। ନାଗପୁରର ସୋଲାର ଇଣ୍ଡଷ୍ଟ୍ରିଜରେ ସ୍ୱତନ୍ତ୍ର ଭାରତୀୟ ଜ୍ଞାନ କୌଶଳରେ ନିର୍ମିତ ଏହି ଆତ୍ମଘାତୀ ଡ୍ରୋନକୁ ସେନାକୁ ହସ୍ତାନ୍ତର କରାଯିବା ପରେ ଏହାର ସଫଳ ପରୀକ୍ଷଣ ହୋଇଛି।
ପ୍ରଥମ ପର୍ୟ୍ୟାୟରେ ୧୨୦ଟି ନାଗାସ୍ତ୍ର-୧ ଭାରତୀୟ ସେନାକୁ ମିଳିଛି। ସେନା ପକ୍ଷରୁ ଏହାକୁ ସୁଇସାଇଡ ଡ୍ରୋନ କୁହାଯାଉଛି। ସେନାକୁ ମୋଟ ୪୫୦ ନାଗାସ୍ତ୍ର ମିଳିବ ବୋଲି ନିଷ୍ପତ୍ତି ହୋଇଛି। ସ୍ଥଳ ସେନାରେ ସାଇଲେଣ୍ଟ କିଲର ନାଗାସ୍ତ୍ର-୧ ସାମିଲ ହେବା ଦ୍ୱାରା ବାହ୍ୟଶତ୍ରୁ ଦମନ ସହ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉପରେ ଅଙ୍କୁଶ ଲାଗିବ ବୋଲି କହିଛନ୍ତି ପ୍ରତିରକ୍ଷା ବିଶେଷଜ୍ଞ।
ବିଶେଷ କରି ଭାରତ-ପାକିସ୍ତାନ ଓ ଚାଇନା ସୀମାରେ ନାଗାସ୍ତ୍ର-୧କୁ ମୁତୟନ କରାଯିବ। ଏହା ଏକ ଡ୍ରୋନ ଭଳି କାମ କରିବ। ଏହାକୁ ବ୍ୟବହାର କରି ଭାରତୀୟ ସେନା ସୀମାରେ ଶତ୍ରୁ ପକ୍ଷର ପ୍ରତ୍ୟେକ ଗତିବିଧି ଉପରେ ନଜର ରଖିପାରିବଓଡ଼ିଆ ସ୍ପଷ୍ଟ ନୁ୍ୟଜ।ଏହାବାଦ ଏହି ଡ୍ରୋନ ଆକାଶରେ ରହି ଯେଉଁଠି ଶତ୍ରୁ ପକ୍ଷରୁ ହମଲା କରିବାକୁ ଚେଷ୍ଟା କରାଯାଉଛି, ତା’କୁ ବି ନଷ୍ଟ କରିବାକୁ ସକ୍ଷମ। ଏହା ଆକାଶରେ ପ୍ରାୟ ୬୦ରୁ ୯୦ ମିନିଟ ବିଚରଣ କରିପାରିବା ସହ ୧୫ରୁ ୩୦ କିମି ପରିଧି ମଧ୍ୟରେ ହେଉଥିବା ସମସ୍ତ ଗତିବିଧିକୁ ଦେଖାଇପାରିବ। ଏଥିରେ ୧ରୁ ୪ କେଜି ଯାଏ ବିସ୍ଫୋରକ ମଧ୍ୟ ନିଆଯାଇ ପାରିବ। ଏହି ଡ୍ରୋନ ୪ହଜାର ୫୦୦ ମିଟର ଉଚ୍ଚରେ ଉଡ଼ି ପାରିବ। ଫଳରେ ଏହାକୁ କୌଣସି ରାଡାର ବି ଧରିପାରିବ ନାହିଁ।