ଶଙ୍ଖ ଭବନରେ ବିଜେଡ଼ିର ଗୁରୁତ୍ୱପୂର୍ଣ୍ଣ ବୈଠକ
ଶଙ୍ଖଭବନରେ ବିଜେଡିର ଗୁରୁତ୍ବପୂର୍ଣ୍ଣ ବୈଠକ। ଶଙ୍ଖଭବନରେ ଦଳର ବରିଷ୍ଠ ନେତା ଏକାଠି ହୋଇଛନ୍ତି । ଆସନ୍ତା ୨୨ ତାରିଖରେ ଚିକିତ୍ସା ପାଇଁ ମୁମ୍ବାଇ ଯିବେ ନବୀନ ପଟ୍ଟନାୟକ। ଏହି ସମୟରେ ବିଜେଡିର ଦୈନନ୍ଦିନ ବ୍ୟାପାର ବୁଝିବେ ପିଏସି । ଦେବୀ ମିଶ୍ରଙ୍କୁ ସମନ୍ବୟ ଦାୟିତ୍ବ ଦିଆଯାଇଛି। ତେବେ ନବୀନ ମୁମ୍ବାଇ ଯିବା ପୂର୍ବରୁ ଆଜି ଗୁରୁତ୍ବପୂର୍ଣ୍ଣ ବୈଠକ ବସିଛି ।
ଚିକିତ୍ସା ପାଇଁ ମୁମ୍ବାଇ ଯିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସର୍ଭିକାଲ୍ ଆଥ୍ରାଇଟିସ୍ ସମସ୍ୟାରେ ପୀଡ଼ିତ ହୋଇଛନ୍ତି ନବୀନ । ୨୨ ତାରିଖରେ ତାଙ୍କର ଚିକିତ୍ସା ମୁମ୍ବାଇସ୍ଥିତ କୋକିଲାବେନ-ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ହେବ । ନବୀନ ନିଜେ ‘ଏକ୍ସ’ ହ୍ୟାଣ୍ଡେଲରେ ଏନେଇ ସୂଚନା ଦେଇଛନ୍ତି । ପୋଷ୍ଟରେ ନବୀନ କହିଛନ୍ତି, “ମେଡିକାଲ ବିଶେଷଜ୍ଞମାନଙ୍କ ପରାମର୍ଶ ଅନୁଯାୟୀ ଚଳିତ ମାସ ୨୨ ତାରିଖରେ ମୁମ୍ବାଇର କୋକିଲାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ମୁଁ ସର୍ଭିକାଲ୍ ଆଥ୍ରାଇଟିସ୍ ଚିକିତ୍ସା ପ୍ରକ୍ରିୟାରେ ରହିବି । ମୋର ବ୍ୟକ୍ତିଗତ ଚିକିତ୍ସକ ଡାକ୍ତର ରମାକାନ୍ତ ପଣ୍ଡା ମୁମ୍ବାଇରେ ଏହି ଚିକିତ୍ସା ପାଇଁ ସମସ୍ତ ବ୍ୟବସ୍ଥା କରୁଛନ୍ତି । ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଏବଂ ଓଡ଼ିଶାର ମୋର ଭାଇ ଓ ଭଉଣୀମାନଙ୍କର ଶୁଭେଚ୍ଛା ସହିତ ମୁଁ ଶୀଘ୍ର ସୁସ୍ଥ ହୋଇ ଆପଣ ସମସ୍ତଙ୍କ ସେବା ପାଇଁ ଫେରି ଆସିବାକୁ ଆଶା କରୁଛି” ବୋଲି ନବୀନ ତାଙ୍କ ଅଫିସିଆଲ ‘ଏକ୍ସ’ରେ ସୂଚନା ଦେଇଛନ୍ତି ।