ଭାରତ ମାତା କି ଜୟ, ବନ୍ଦେ ମାତରମ, ମୋଦି ମୋଦିରେ ଗୁଞ୍ଜରିତ ହେଲା ବ୍ଲେୟାର ହାଉସ

ଆମେରିକାର ନୂତନ ‘ଆମେରିକା ଫାଷ୍ଟ’ ବାଣିଜ୍ୟ ଏଜେଣ୍ଡା ଏବଂ ପ୍ରବାସ ନୀତିକୁ ନେଇ ଭାରତରେ ଚିନ୍ତା ଲାଗି ରହିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ପାଇଁ ଦୁଇ ଦିନିଆ ଗସ୍ତରେ ୱାଶିଂଟନରେ ପହଞ୍ଚିଛନ୍ତି।
ଗୁରୁବାର ପ୍ରଧାନମନ୍ତ୍ରୀଙ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆତିଥ୍ୟ ଦେବେ। ଗତ ମାସରେ ଟ୍ରମ୍ପ ଦ୍ୱିତୀୟ ଥର ପାଇଁ ରାଷ୍ଟ୍ରପତି ହେବା ପରେ ଏହା ଦୁଇ ନେତାଙ୍କ ମଧ୍ୟରେ ପ୍ରଥମ ଦ୍ୱିପାକ୍ଷିକ ବୈଠକ ହେବ।
ମୋଦି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଫଟୋ ସହିତ ପୋଷ୍ଟ କରିଛନ୍ତି, ‘କିଛି ସମୟ ପୂର୍ବରୁ ୱାଶିଂଟନ ଡିସିରେ ପହଞ୍ଚିଲି’ । ମୁଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବା ଏବଂ ଭାରତ-ଆମେରିକା ବ୍ୟାପକ ବିଶ୍ୱ ରଣନୈତିକ ସହଭାଗୀତାକୁ ଆଗକୁ ବଢ଼ାଇବା ପାଇଁ ବେଶ ଉତ୍ସାହିତ ଅଛି। ଉଭୟ ଦେଶ ନିଜ ଲୋକଙ୍କ ହିତ ଏବଂ ଏକ ଉନ୍ନତ ଭବିଷ୍ୟତ ପାଇଁ ଏକାଠି କାମ କରି ଚାଲିବେ।
ମୋଦି ରାଜଧାନୀର କେନ୍ଦ୍ରରେ ଅବସ୍ଥିତ ଆମେରିକା ରାଷ୍ଟ୍ରପତିଙ୍କ ଅତିଥି ଭବନ ‘ବ୍ଲେୟାର ହାଉସ’ରେ ରହିବେ। ’ବ୍ଲେୟାର ହାଉସ’ରେ ପହଞ୍ଚିବା ପରେ ମୋଦିଙ୍କୁ ଭାରତୀୟ-ଆମେରିକୀୟ ସମ୍ପ୍ରଦାୟର ସଦସ୍ୟମାନେ ଉଚ୍ଛ୍ବସିତ ସ୍ବାଗତ କରିଥିଲେ। ପ୍ରବଳ ଥଣ୍ଡା ଏବଂ ବର୍ଷା ସତ୍ତ୍ୱେ, ସମ୍ପ୍ରଦାୟର ସଦସ୍ୟମାନେ ବ୍ଲେୟାର ହାଉସରେ ଏକାଠି ହୋଇଥିଲେ। ସେମାନେ ଭାରତୀୟ ଏବଂ ଆମେରିକୀୟ ପତାକା ହଲାଇ ପ୍ରଧାନମନ୍ତ୍ରୀଙ୍କୁ ‘ଭାରତ ମାତା କୀ ଜୟ’, ‘ବନ୍ଦେ ମାତରମ’ ଏବଂ ’ମୋଦି ମୋଦି’ ସ୍ଲୋଗାନ ଦେଇ ଆମେରିକାକୁ ସ୍ବାଗତ କରିଥିଲେ।