ଆଣ୍ଡାମାନ୍ ପେନାଲ୍ କଲୋନୀର କଥା: ସ୍ୱୟଂମ୍ବର ପରେଡ଼ରେ ଥିଲେ ୟୁପି ଓ ଓଡ଼ିଶା ମହିଳା
ନୂଆଦିଲ୍ଲୀ: କଳାପାଣି କଥା ସମସ୍ତେ ଜାଣନ୍ତି । ତେବେ ଆଣ୍ଡାମାନ ପେନାଲ କଲୋନୀ ସମ୍ପର୍କରେ କିନ୍ତୁ ଅନେକ ଜାଣିନଥିବେ । ଏହି ପେନାଲ କଲୋନୀରେ ଅଭିଯୁକ୍ତମାନେ ଧାଡ଼ିରେ ଠିଆ ହେଉଥିଲେ । ସେମାନଙ୍କ ସାମ୍ନାରେ ଉତ୍ତରପ୍ରଦେଶ, ଓଡ଼ିଶା, ଆଫଗାନିସ୍ତାନ ଓ କରାଚୀରୁ ଆସିଥିବା ଅଭିଯୁକ୍ତ ମହିଳାମାନଙ୍କୁ ଠିଆ କରାଯାଉଥିଲା । ମହିଳାମାନେ କଏଦୀଙ୍କ ଭିତରୁ ନିଜର ଜୀବନସାଥି ବାଛୁଥିଲେ । ସେମାନଙ୍କ ସହ ଘର ସଂସାର କରି ରହୁଥିଲେ । ଜାତୀୟ ଗଣମାଧ୍ୟମରେ ଏମିତି ଏକ ରୋଚକ କଥା ପ୍ରକାଶ ପାଇଛି ।
ପୋର୍ଟ ବ୍ଳେୟାରର ଯେଉଁ ପଡ଼ିଆରେ ଏହି ସ୍ୱୟମ୍ବର ପ୍ୟାରେଡ୍ ଆୟୋଜନ କରାଯାଉଥିଲା ତାହାକୁ ଏବେ ଶାଦିପୁର ବୋଲି କୁହାଯାଉଛି । ପ୍ୟାରେଡ଼ରେ ମହିଳାମାନେ କଏଦୀଙ୍କୁ ଦେଖୁଥିଲେ । ତାଙ୍କର ଯିଏ ପସନ୍ଦ ହେଉଥିଲା ସେଠାରେ ଅଟକି ଯାଉଥିଲେ । ପରେ ସେମାନଙ୍କୁ ଛଅ ମାସ ଧରି ପ୍ରେମ ଟାଉନ୍ ବା ପ୍ରେମ ନଗରରେ ରଖାଯାଉଥିଲା । ସେମାନଙ୍କୁ ବ୍ରିଟିଶ ଅଫିସର ନୀରିକ୍ଷଣ କରୁଥିଲେ । ସେମାନେ ସାଙ୍ଗ ହୋଇ ରହିପାରିବେ ବୋଲି ନିଶ୍ଚିତ ହେବାପରେ ସେମାନଙ୍କ ବିବାହ କରାଇ ଶାଦିନଗରକୁ ପଠାଇ ଦିଆଯାଉଥିଲା । ଏବେ ଆଣ୍ଡାମାନ ନିକୋବରରେ ଥିବା ଅଧିକାଂଶ ନାଗରିକଙ୍କ ମଧ୍ୟରୁ ଅନେକଙ୍କ ପୂର୍ବପୁରୁଷ ଏଭଳି ଭାବେ ହିଁ ବିବାହ କରିଥିଲେ ।
ଯେଉଁ କଏଦୀମାନଙ୍କ ଆଚରଣ ବଦଳି ଯାଇଥିବ ସେମାନଙ୍କୁ ହିଁ ଏଭଳି ସୁଯୋଗ ମିଳୁଥିଲା । ଏହାଦ୍ୱାରା ସେମାନଙ୍କୁ ବ୍ରିଟିଶ୍ ବିରୋଧୀ ନହେବାକୁ ଉତ୍ସାହିତ କରାଯିବା ସହ ଆଣ୍ଡାମାନ ନିକୋବରରେ ଜନସଂଖ୍ୟା ବୃଦ୍ଧି କରିବା ବି ଉଦେ୍ଦଶ୍ୟଥିଲା । ଝାନ୍ସିରାଣୀଙ୍କ କେତେକ ସହଯୋଗୀ ବି କଳାପାଣି ଦଣ୍ଡ ଭୋଗିବା ବେଳେ ଏମିତି ବିବାହ କରିଥିବା ଜଣାପଡ଼ିଛି । ବ୍ରିଟିଶ ଶାସନ ସମୟରେ ପ୍ରାୟ ୮୩ ହଜାର ଭାରତୀୟ ଓ ବର୍ମା ଅଭିଯୁକ୍ତଙ୍କୁ କଳାପାଣିରେ ରଖାଯାଇଥିଲା ।