ବିହାରକୁ ୪୦ ହଜାର କୋଟିର ପ୍ରକଳ୍ପ ଭେଟିଦେଲେ ମୋଦି 

 ପାଟନା  : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିହାରର ପୂର୍ଣ୍ଣିଆରେ ପ୍ରାୟ ୪୦,୦୦୦  କୋଟି ଟଙ୍କାର ବିକାଶମୂଳକ କାର୍ଯ୍ୟର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି । ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ତାଙ୍କର ଶୁଭେଚ୍ଛା ଜଣାଇଛନ୍ତି । ସେ ମତ ଦେଇଥିଲେ ଯେ ପୂର୍ଣ୍ଣିଆ ହେଉଛି ମା' ପୂର୍ଣ୍ଣ ଦେବୀ, ଭକ୍ତ ପ୍ରହଲ୍ଲାଦ ଓ ମହର୍ଷି ମେହି ବାବାଙ୍କ ଭୂମି । ଶ୍ରୀ ମୋଦି ଆଲୋକପାତ କରିଥିଲେ ଯେ ଏହି ମାଟି ଫଣୀଶ୍ୱରନାଥ ରେଣୁ ଓ ସତୀନାଥ ଭାଦୁରିଙ୍କ ଭଳି ସାହିତ୍ୟିକ  ବ୍ୟକ୍ତିମାନଙ୍କୁ ଜନ୍ମ ଦେଇଛି ।  ଏହା ବିନୋବା ଭାବେଙ୍କ ଭଳି ସମର୍ପିତ କର୍ମଯୋଗୀଙ୍କ କର୍ମଭୂମି ଓ ଏହି ଭୂମି ପ୍ରତି ତାଙ୍କର ଗଭୀର ଶ୍ରଦ୍ଧା ପୁନଃପ୍ରକାଶ କରିଥିଲା ।
ବିହାର ପାଇଁ ପ୍ରାୟ ୪୦,୦୦୦ କୋଟି ଟଙ୍କାର ବିକାଶମୂଳକ  ପ୍ରକଳ୍ପଗୁଡ଼ିକ - ରେଳ, ବିମାନବନ୍ଦର, ବିଦୁ୍ୟତ୍ ଓ ଜଳ - ସୀମାଞ୍ଚଳର ଆକାଂକ୍ଷା ପୂରଣ କରିବାର ଏକ ମାଧ୍ୟମ ଭାବରେ କାର୍ଯ୍ୟ କରିବ । ସେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ୪୦,୦୦୦ ରୁ ଅଧିକ ହିତାଧିକାରୀମାନେ  ସ୍ଥାୟୀ ବାସଗୃହ ପାଇଛନ୍ତି । ଆଜି ଏହି ୪୦,୦୦୦  ପରିବାରଙ୍କ ଜୀବନରେ ଏକ ନୂତନ ଆରମ୍ଭ ହୋଇଛି ।  ଧନତେରସ, ଦୀପାବଳି ଓ ଛଟ ପୂଜା ପୂର୍ବରୁ ଏକ ସ୍ଥାୟୀ ଘର ପ୍ରବେଶ କରିବା ଏକ ମହାନ ସୌଭାଗ୍ୟର କଥା । ସେ ଏହି ସମସ୍ତ ପରିବାରକୁ ତାଙ୍କର ଅଭିନନ୍ଦନ ଏବଂ ଶୁଭକାମନା ଜଣାଇଥିଲେ । ସେ ଦୃଢ଼ୋକ୍ତି କରିଛନ୍ତି ଯେ ଯେପର୍ଯ୍ୟନ୍ତ ପ୍ରତ୍ୟେକ ଗରିବ ନାଗରିକ ସ୍ଥାୟୀ ଘର ପାଇନାହାଁନ୍ତି, ସେପର୍ଯ୍ୟନ୍ତ ସେ  ଅଟକିବେ ନାହିଁ କିମ୍ବା ବିରତ ନେବେ ନାହିଁ । ସେ ଗୁରୁତ୍ୱାରୋପ କରିଥିଲେ ଯେ ଅବହେଳିତ ଲୋକଙ୍କୁ ପ୍ରାଥମିକତା ଦେବା ଏବଂ ଗରିବଙ୍କ ସେବା କରିବା ତାଙ୍କ ଶାସନର ମୂଳ ଲକ୍ଷ୍ୟ । ଆଜି ଇଞ୍ଜିନିୟର ଦିବସ ଅବସରରେ ଦେଶ ସାର୍ ଏମ୍. ବିଶ୍ୱ୍ୱେଶ୍ୱରାୟଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ଏକ ବିକଶିତ ଭାରତ ଏବଂ ଏକ ବିକଶିତ ବିହାର ନିର୍ମାଣରେ ଇଞ୍ଜିନିୟରମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱାରୋପ କରିଛନ୍ତି । ସେ ଦେଶର ସମସ୍ତ ଇଞ୍ଜିନିୟରମାନଙ୍କୁ ତାଙ୍କର ଅଭିନନ୍ଦନ ଏବଂ ଶୁଭକାମନା ଜଣାଇଛନ୍ତି । ଶ୍ରୀ ମୋଦୀ ଆଜିର କାର୍ଯ୍ୟକ୍ରମରେ ମଧ୍ୟ ଇଞ୍ଜିନିୟରମାନଙ୍କ ନିଷ୍ଠା ଏବଂ ଦକ୍ଷତା ସ୍ପଷ୍ଟ ଭାବରେ ଦେଖାଯାଉଛି ବୋଲି ଆଲୋକପାତ କରିଥିଲେ । ସେ ଉଲ୍ଲେଖ କରିଥିଲେ ଯେ, ପୂର୍ଣ୍ଣିଆ ବିମାନବନ୍ଦରର ଟର୍ମିନାଲ କୋଠା ପାଞ୍ଚ ମାସରୁ କମ୍ ସମୟ ମଧ୍ୟରେ ନିର୍ମାଣ କରାଯାଇଥିଲା । ସେ ଟର୍ମିନାଲର ଉଦଘାଟନ ଘୋଷଣା କରିଥିଲେ ଏବଂ ପ୍ରଥମ ବାଣିଜ୍ୟିକ ଉଡ଼ାଣକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । 
ପ୍ରଧାନମନ୍ତ୍ରୀ ସୀମାଞ୍ଚଳ ଏବଂ ପୂର୍ବ ଭାରତରେ ଅବୈଧ ଅନୁପ୍ରବେଶକାରୀଙ୍କ ଯୋଗୁଁ ଦେଖାଦେଇଥିବା ଗମ୍ଭୀର ଜନସଂଖ୍ୟାଗତ ସଙ୍କଟ ଉପରେ ଆଲୋକପାତ କରିଥିଲେ । ମୋଦି ଚିନ୍ତା ପ୍ରକାଶ କରିଥିଲେ ଯେ ବିହାର, ବଙ୍ଗଳା ଏବଂ ଆସାମରେ ଲୋକମାନେ ସେମାନଙ୍କ ଭଉଣୀ ଏବଂ ଝିଅଙ୍କ ସୁରକ୍ଷା ପାଇଁ କ୍ରମାଗତ ଭାବରେ ଚିନ୍ତିତ ହେଉଛନ୍ତି । ଏହି ସମସ୍ୟାର ସମାଧାନ ପାଇଁ ଲାଲକିଲ୍ଲାରୁ ଡେମୋଗ୍ରାଫି ମିଶନ ଘୋଷଣା କରିବା କଥା ସେ ମନେ ପକାଇଥିଲେ । ପ୍ରଧାନମନ୍ତ୍ରୀ ଅନୁପ୍ରବେଶକାରୀଙ୍କୁ ସୁରକ୍ଷା ଦେବା ଏବଂ ଭୋଟ-ବ୍ୟାଙ୍କ ରାଜନୀତି ପାଇଁ ସେମାନଙ୍କୁ ଢାଲ କରିବାକୁ ଚେଷ୍ଟା କରିବା ପାଇଁ ବିରୋଧୀ ମେଣ୍ଟ ଏବଂ ଏହାର ଇକୋସିଷ୍ଟମକୁ ସମାଲୋଚନା କରିଥିଲେ । ସିଧାସଳଖ ଚ୍ୟାଲେଞ୍ଜ ଦେଇ ପ୍ରଧାନମନ୍ତ୍ରୀ ଅନୁପ୍ରବେଶକାରୀଙ୍କୁ ରକ୍ଷା କରୁଥିବା ନେତାମାନଙ୍କୁ ଆଗକୁ ଆସିବାକୁ ଆହ୍ୱାନ କରିଥିଲେ । ସେ କହିଥିଲେ ଯେ ଅନୁପ୍ରବେଶକାରୀଙ୍କୁ ସୁରକ୍ଷା ଦେବା ପାଇଁ ସେମାନେ ଯେତେ ଚେଷ୍ଟା କଲେ ମଧ୍ୟ, ସରକାର ସେମାନଙ୍କୁ ହଟାଇବା ପାଇଁ ଦୃଢ଼ ଭାବରେ କାର୍ଯ୍ୟ ଜାରି ରଖିବ ।