ମୋଦୀଙ୍କ ଗସ୍ତ ପାଇଁ ମୃତ ଅଧିକାରୀଙ୍କୁ ଦାୟିତ୍ୱ

ମୋଦୀଙ୍କ ଗସ୍ତ ପାଇଁ ମୃତ ଅଧିକାରୀଙ୍କୁ ଦାୟିତ୍ୱ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଗସ୍ତ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ବିଭାଗ ଅଧୀନସ୍ଥ ସାଧାରଣ ପ୍ରଶାସନ(ଜିଏ) ବିଭାଗ ବର୍ଷକ ତଳେ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଜଣେ ଓଏଏସ୍‌ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯିବା ଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମନାକୁ ଆସିଛି ।।  ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ୟ୍ୟକ୍ରମ ପରିଚାଳନା ପାଇଁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ୫୦ ଜଣିଆ ଅଧିକାରୀଙ୍କ ସୂଚୀ ପ୍ରସ୍ତୁତ କରିଛି। ଏହି ଅଧିକାରୀମାନେ ଭିଡ଼ ନିୟନ୍ତ୍ରଣ ସହ ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ୟ୍ୟକ୍ରମକୁ ଶୃଙ୍ଖଳିତ କରିବେ। ମାତ୍ର ସରକାରଙ୍କ ପକ୍ଷରୁ ପ୍ରସ୍ତୁତ ସୂଚୀର ୫୦ ନମ୍ବର କ୍ରମାଙ୍କରେ ଯେଉଁ ପ୍ରବୋଧ କୁମାର ରାଉତଙ୍କ ନାମ ଉଲ୍ଲେଖ ରହିଛି, ସେ ଗତବର୍ଷ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ମାତ୍ର ବିଭାଗ ତାଙ୍କୁ ଓକାକ୍‌ରେ ପ୍ରଶାସନିକ ଅଧିକାରୀ ଭାବରେ କାର୍ୟ୍ୟ କରୁଥିବା ଦର୍ଶାଇ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପରିଚାଳନା ଦାୟିତ୍ୱ ପ୍ରଦାନ କରିଛି।
ଓଏଏସ୍‌ ଅଧିକାରୀ ପ୍ରବୋଧ କୁମାର ରାଉତ ଗତବର୍ଷ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ଜଣେ ସରକାରୀ ଅଧିକାରୀଙ୍କ ସହ ସେ ଜଣେ ସୁନାମଧନ୍ୟ ଲେଖକ ଥିଲେ।  ଓଏଏସ୍‌ ଆସୋସିଏସନ ଓ ସାହିତ୍ୟ ଏକାଡେମୀ ପକ୍ଷରୁ ଶ୍ରୀ ରାଉତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ମାତ୍ର ସରକାରୀ ନଥିପତ୍ରରେ ସେ ଏବେ ବି ଜୀବିତ ଓ ସରକାରୀ କାର୍ୟ୍ୟରେ ନିଯୁକ୍ତ ଅଛନ୍ତି। ଏପରି ଅବହେଳା କେବଳ ସରକାରଙ୍କ ଦାୟିତ୍ୱହୀନତାକୁ ସ୍ପଷ୍ଟ କରିନାହିଁ, ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ୟ୍ୟକ୍ରମରେ ମୃତ ଅଧିକାରୀଙ୍କୁ ଦାୟିତ୍ୱ ପ୍ରଦାନ ବିଭାଗର ଉଦାସୀନତାକୁ ସ୍ପଷ୍ଟ ଇଙ୍ଗିତ କରିଛି।