କାହିଁକିପାଣ୍ଡିଆନ୍‌ଙ୍କୁ ଛାଡ଼ି ପାରୁନାହାନ୍ତି ନବୀନ ?

କାହିଁକିପାଣ୍ଡିଆନ୍‌ଙ୍କୁ ଛାଡ଼ି ପାରୁନାହାନ୍ତି ନବୀନ ?

ଭୁବନେଶ୍ୱର:  କଳା ଟଙ୍କା ପାଇଁ ଭି.କେ. ପାଣ୍ଡିଆନ୍‌ଙ୍କୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଛାଡ଼ି ପାରୁନାହାନ୍ତି ବୋଲି ଭାଜପା ନେତା ତଥା ଆସିକା ବିଧାୟକ ସରୋଜ ପାଢ଼ୀ କହିଛନ୍ତି। ଦିନକ ପୂର୍ବରୁ ବିଜେଡିର ଖବରଦାତା ସମ୍ମିଳନୀରେ ମୁଖପାତ୍ର ଲେନିନ୍‌ ମହାନ୍ତି ତାଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟକୁ ନେଇ ଗୁରୁବାର ସରୋଜ ଏଭଳି ବିସ୍ଫୋରକ ବୟାନ ଦେଇଛନ୍ତି। ସରୋଜ କହିଛନ୍ତି, ”ମତେ କହିଲେ, ମୁଁ ହେଉ ହେଉ ବିଧାୟକ ହୋଇଗଲି। ଜାଣିବା ଦରକାର ମୁଁ ଲଢ଼ୁଆ ନେତା, ସଙ୍ଘର୍ଷରୁ ଆସିଛି। ମୋ ସହିତ ଲୋକଙ୍କ ଭଲପାଇବା ଅଛି। ଲୋକେ ମୋତେ ଭୋଟ ଦେଇ ଜିତାଇଛନ୍ତି। ହେଲେ ଯେଉଁମାନେ କହୁଛନ୍ତି କି ହେଉ ହେଉ ବିଧାୟକ ହୋଇଗଲି, ସେମାନେ କିନ୍ତୁ ଜୀବନ ବିତିଗଲେ ବି ହୋଇପାରିବେ ନାହିଁ“। ସରୋଜ ପୁଣି କହିଛନ୍ତି, ବିଜେଡି ପାର୍ଟି ଫଣ୍ଡ୍‌ ନବୀନ କି ପାଣ୍ଡିଆନ୍‌ଙ୍କର ନୁହଁ। ପାଣ୍ଡିଆନ୍‌ କହୁଛନ୍ତି ‘ଆଇ ଆମ୍‌ ଡାଉନ୍‌, ବଟ୍‌ ନଟ୍‌ ଆଉଟ୍‌’। ଏହା କହି ସେ ତାଙ୍କ ଦଳର ସିନିୟର ଲିଡରଙ୍କୁ ଦୁର୍ବ୍ୟବହାର କରୁଛନ୍ତି। ବିଜେଡିର ବ୍ଲାକ୍‌ ଆଣ୍ଡ୍‌ ହ୍ବାଇଟ୍‌ ଟଙ୍କା ଉପରେ ତାଙ୍କର ନଜର। ନବୀନ ପଟ୍ଟନାୟକଙ୍କ ବୟସ ନାହିଁ, ତେଣୁ ପାଣ୍ଡିଆନ୍‌ ପାର୍ଟି ଫଣ୍ଡ୍‌ ଉପରେ ନଜର ରଖିଛନ୍ତି ବୋଲି ସରୋଜ କହିଛନ୍ତି। ପାଣ୍ଡିଆନ୍‌ କାହାକୁ ନବୀନଙ୍କ ପାଖ ମଡ଼େଇ ଦେଉନାହାନ୍ତି। ସେଥିପାଇଁ ମୁଁ କହୁଛି ନବୀନଙ୍କର କେତେବେଳେ କ’ଣ ହୋଇଯିବ କହିହବନି। ସରୋଜ କହିଛନ୍ତି, ବିଜେଡି ନେତା ତୁମ୍ବନାଥ ପଣ୍ଡା ଓ ଲେନିନ୍‌ ମହାନ୍ତି ମୁଁ କ’ଣ ଜାଣିନାହାନ୍ତି। କେବଳ ପାଣ୍ଡିଆନ୍‌କୁ ଖୁସି କରିବାକୁ ଏସବୁ କଥା କହିଛନ୍ତି। ସେମାନେ ମତେ ସୁରକ୍ଷାକର୍ମୀ ଚାକିରି ଶଙ୍ଖଭବନରେ ଦେବେ ବୋଲି କହିଛନ୍ତି। ହେଲେ ମୁଁ କହୁଛି, ଲେନିନ୍‌ ମହାନ୍ତି ଓ ତୁମ୍ବନାଥ ପଣ୍ଡା ନିଜ ପରିବାର ସହିତ ଆସନ୍ତୁ ମୋ ଫାର୍ମ ହାଉସରେ ସେମାନଙ୍କୁ ଚାକିରି ଦେବି। ସେମାନଙ୍କ ପରିବାର ପ୍ରତିପୋଷଣ ଦାୟିତ୍ୱ ନେବି ବୋଲି ସରୋଜ କହିଛନ୍ତି।