ମହିଳା ସମାବେଶରେ ନବୀନ ଓ ପାଣ୍ଡିଆନ୍ ଆହ୍ୱାନ

ପୁରୀ: ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାର ଶେଷ ହେବାର ଅବ୍ୟବହିତ ପୂର୍ବରୁ ବୁଧବାର ଦିନ ମାରାଥନ ନିର୍ବାଚନ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ । 
ସ୍ଥାନୀୟ ତାଳବଣିଆ ହେଲିପ୍ୟାଡ଼ ନିକଟରେ ଏକ ବିଶାଳ ମହିଳା ସମାବେଶରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଆସନ୍ତା ୨୫ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ନିର୍ବାଚନରେ ବିଜେଡ଼ି ପ୍ରାର୍ଥୀମାନଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ନିବେଦନ କରିଛନ୍ତି । ଉଭୟ ଲୋକସଭା ଓ ବିଧାନସଭା ପାଇଁ ବିଜେଡ଼ି ପ୍ରାର୍ଥୀଙ୍କୁନିର୍ବାଚିତ କରିବାକୁ ସେ ଆହ୍ୱାନ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଓ ବିଜେଡ଼ି ନେତା ଭିକେ ପାଣ୍ଡିଆନ୍ ହେଲିକପ୍ଟରରେ ଆସତ ତାଳବଣିଆ ହେଲିପ୍ୟାଡ଼ରେ ଅବତରଣ କରିଥିଲେ ଓ ମଞ୍ଚକୁ ଆସି ଉପସ୍ଥିତ ମହିଳାମାନଙ୍କୁ ଅଭିନନ୍ଦନ ଜ୍ଞାପନ କରିଥିଲେ । ଏହି ସମାବେଶରେ ମୁଖ୍ୟମନ୍ତ୍ରୀ ଓ ପାଣ୍ଡିଆନଙ୍କ ସହ ମଞ୍ଚାସୀନ ଥିଲେ ପୁରୀର ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ, ବିଧାୟକ ପ୍ରାର୍ଥୀ ସୁନୀଲ ମହାନ୍ତି, ସତ୍ୟବାଦୀର ବିଜେଡ଼ି ପ୍ରାର୍ଥୀ ସଞ୍ଜୟ ଦାସବର୍ମା, ରୁଦ୍ରପ୍ରତାପ ମହାରଥୀ, ବ୍ରହ୍ମଗିରି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଉମାକାନ୍ତ ସାମନ୍ତରାୟ, ଚିଲିକା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ରଘୁନାଥ ସାହୁ, ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ଓ ବିଜେଡ଼ିର ପୁରୀ ଜିଲ୍ଲା ସଭାପତି ଦିବାକର ପାତ୍ର । 
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜୁଲାଇ ମାସରୁ ମାଗଣାରେ ବିଜୁଳି ଯୋଗାଇ ଦିଆଯିବ । ଗ୍ରହକମାନଙ୍କ ପାଖକୁ ଆଉ ବିଜୁଳି ବିଲ୍ ଆସିବ ନାହିଁ ବୋଲି ସେ ଘୋଷଣା କରିଥିଲେ । ଭି.କେ. ପାଣ୍ଡିଆନ ଏହି ସମାବେଶରେ ଉଦ୍ବୋଧନ ଦେଇ କହିଥିଲେ ଯେ ବିଜେଡ଼ିର ୨୦୨୪ ନିର୍ବାଚନ ଇସ୍ତାହାରରେ ମଧ୍ୟବିତ୍ ବର୍ଗଙ୍କ ଉନ୍ନତି ପାଇଁ ଅନେକ ଯୋଜନା କରାଯାଇଛି । 
ଏପର୍ଯ୍ୟନ୍ତ କୌଣସି ଦଳର ସରକାର ମଧ୍ୟବିତ୍ ବର୍ଗଙ୍କ ପାଇଁ କିଛି କରିନାହାନ୍ତି । ସେହିଭଳି ଉଚ୍ଚ ଶିକ୍ଷା ପାଇଁ ଛାତ୍ରଛାତ୍ରୀମାନେ ନେଉଥିବା ଋରଣ ସୁଧହାର ମଧ୍ୟ ହ୍ରାସ କରାଯିବ । ନୂଆ ଓ ସ୍କଲାରସିପ୍ ଯୋଜନାରେ କଲେଜ ଛାତ୍ରଙ୍କ ପାଇଁ ୧୨୦୦୦ ଟଙ୍କା ଓ ଛାତ୍ରୀମାନଙ୍କ ପାଇଁ ୧୪୦୦୦ ଟଙ୍କାର ବ୍ୟବସ୍ଥା କରାଯିବ । ବିରୋଧୀ ଦଳ କେବେ ବି ବିକାଶ ଚାହାନ୍ତି ନାହିଁ ବୋଲି ପ୍ରକାଶ କରିବା ସହ ସେମାନେ ସରକାରଙ୍କୁ କାମ କରିବାକୁ ଦେବେ ନାହିଁ ବୋଲି କହିଥିଲେ ।