ପ୍ରାଣ ହରାଇଥିବା ବିକ୍ଷୋଭକାରୀଙ୍କୁ ସହିଦ ଘୋଷଣା : ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ

ପ୍ରାଣ ହରାଇଥିବା ବିକ୍ଷୋଭକାରୀଙ୍କୁ  ସହିଦ ଘୋଷଣା : ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ

ସୁଶୀଳା କାର୍କି ରବିବାର ଆନୁଷ୍ଠାନିକ ଭାବେ ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରେ ଜେନ୍ ଜେଡ୍ ଆନ୍ଦୋଳନ ବେଳେ ପ୍ରାଣ ହରାଇଥିବା ବିକ୍ଷୋଭକାରୀଙ୍କୁ ସହିଦ ଘୋଷଣା କରିଛନ୍ତି। ଏହା ସହିତ ସେମାନଙ୍କ ପରିବାର ଲୋକଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ସେ ଘୋଷଣା କରିଛନ୍ତି।  ସୁଶୀଳା କାର୍କି ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ଗତ ଶୁକ୍ରବାର ଶପଥ ନେଇଥିଲେ ହେଁ ଆଜି ଆନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରିବା ସହିତ କାର୍ଯ୍ୟ ଆରମ୍ଭ କରିଛନ୍ତି। ସିଂହ ଦରବାର ଅଭିମୁଖେ ଯିବା ପୂର୍ବରୁ ଆଜି ସକାଳେ ସେ ରାଜଧାନୀ କାଠମାଣ୍ଡୁର ଲେନଚୌରସ୍ଥିତ ସହିଦ ସ୍ମାରକୀକୁ ଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ଗୃହ ମନ୍ତ୍ରଣାଳୟର କୋଠାରୁ ଅନ୍ତରୀଣ ପ୍ରଧାନମନ୍ତ୍ରୀ ସୁଶୀଳା କାର୍କି ତାଙ୍କ କାର୍ଯ୍ୟ ଆରମ୍ଭ କରିଛନ୍ତି। କାରଣ ଜେନ୍ ଜେଡ୍‌ଙ୍କ ଆନ୍ଦୋଳନ ବେଳେ ପ୍ରଧାନମନ୍ତ୍ରୀ ଅଫିସ୍ ଚାଲୁଥିବା ସ୍ଥାନଟି ବହୁତ କ୍ଷତିଗ୍ରସ୍ତ ହୋଇଛି। ସେଥିପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଗୃହ ମନ୍ତ୍ରଣାଳୟ କୋଠାକୁ ସ୍ଥାନାନ୍ତର କରାଯାଇଛି।ଦେଶର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ଆନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ସେ ଜେନ୍ ଜେଡ୍ ବିକ୍ଷୋଭ ବେଳେ ଗତ ସପ୍ତାହରେ ପ୍ରାଣ ହରାଇଥିବା ବିକ୍ଷୋଭକାରୀଙ୍କୁ ସହିଦ ଘୋଷଣା କରିଛନ୍ତି ଓ ସେମାନଙ୍କ ପରିବାର ଲୋକଙ୍କ ପାଇଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ମୁଖ୍ୟ ଶାସନ ସଚିବ ଏକନାରାୟଣ ଆର୍ଯ୍ୟଲ ଏହି ଖବରକୁ ସ୍ପଷ୍ଟ କରିଛନ୍ତି। 

‘କାଠମାଣ୍ଡୁ ପୋଷ୍ଟ’ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଆହତ ହୋଇଥିବା ୧୩୪ ଜଣ ବିକ୍ଷୋଭକାରୀଙ୍କୁ ମାଗଣା ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ଆହତ ହୋଇଥିବା ୫୭ ଜଣ ପୁଲିସ କର୍ମଚାରୀଙ୍କୁ ମଧ୍ୟ ମାଗଣାରେ ଚିକିତ୍ସା ସେବା ଯୋଗାଇ ଦିଆଯିବ। ସେହିଭଳି ‘ଦ ହିମାଲୟାନ ଟାଇମ୍ସ’ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଜେନ୍ ଜେଡ୍‌ ବିକ୍ଷୋଭ ବେଳେ ହୋଇଥିବା କ୍ଷୟକ୍ଷତିର ଆକଳନ କରି ଶୀଘ୍ର ରିପୋର୍ଟ ଦେବା ପାଇଁ ସମସ୍ତ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦିଆଯାଇଛି। ଦେଶକୁ ଦୋହଲାଇ ଦେଇଥିବା ଜେନ୍ ଜେଡ୍ ବିକ୍ଷୋଭରେ ବର୍ତ୍ତମାନ ସୁଦ୍ଧା ୭୨ ଜଣଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ୫୯ ଜଣ ବିକ୍ଷୋଭକାରୀ ଥିବା ବେଳେ ୧୦ ଜଣ କଏଦୀ ଓ ୩ ଜଣ ପୁଲିସ ଅଧିକାରୀ ଅଛନ୍ତି।