ରଶ୍ମିକା ମନ୍ଦାନା କର୍ଣ୍ଣାଟକର ନା ହାଇଦ୍ରାବାଦର?

ରଶ୍ମିକା ମନ୍ଦାନା କର୍ଣ୍ଣାଟକର ନା ହାଇଦ୍ରାବାଦର?

 ବିବାଦରେ ସାଉଥ୍ ଅଭିନେତ୍ରୀ ରଶ୍ମିକା ମାନ୍ଦାନା । ଅଭିନେତ୍ରୀ ଜଣକ ‘କର୍ଣ୍ଣାଟକର ନା ହାଇଦ୍ରାବାଦର?’, ଏହାକୁ ନେଇ ଏବେ ଆରମ୍ଭ ହୋଇଛି ବିବାଦ । ସ୍ଥିତି ଏମିତି ହୋଇଛି ଯେ, କର୍ଣ୍ଣାଟକ ରାଜନୀତି ଏହି ପ୍ରସଙ୍ଗରେ ସରଗରମ ହୋଇଛି । ଅଭିନେତ୍ରୀ ରଶ୍ମିକା ମନ୍ଦାନା ନିଜକୁ 'କର୍ଣ୍ଣାଟକ ପରିବର୍ତ୍ତେ ହାଇଦ୍ରାବାଦର' ବୋଲି ବର୍ଣ୍ଣନା କରିବା ପ୍ରସଙ୍ଗ ରାଜନୈତିକ ମୋଡ଼ ନେଇଛି। କର୍ଣ୍ଣାଟକ ଶାସକ ଦଳର ବିଧାୟକ ରବି କୁମାର ଗୌଡା ଏବଂ କନ୍ନଡ କର୍ମୀ ଟି.ଏ. ନାରାୟଣ ଗୌଡା ଏହି ପ୍ରସଙ୍ଗରେ ରଶ୍ମିକାଙ୍କୁ ଟାର୍ଗେଟ କରିଛନ୍ତି । ତେବେ ଏହି ପ୍ରସଙ୍ଗ ବିବାଦ ଘେରକୁ ଆସିବା ପରେ, ବିଧାୟକ ଜଣକ ନିଜ ବୟାନରେ ପରିବର୍ତ୍ତନ ଆଣିଛନ୍ତି ।

କଂଗ୍ରେସ ବିଧାୟକ କହିଛନ୍ତି ଯେ, ମୋ କହିବାର ଅର୍ଥ ଥିଲା, ମୁଁ ତାଙ୍କୁ ଜୀବନରେ ଗୋଟିଏ ଶିକ୍ଷା ଦେବାକୁ ଚାହୁଁଥିଲି। ତେବେ ଯଦି ତୁମେ ଚଢ଼ୁଥିବା ସିଡ଼ିକୁ ଗୋଇଠା ମାରିବ, ତେବେ ତୁମେ ହିଁ ତଳେ ପଡ଼ିଯିବ। ରଶ୍ମିକା ମାନ୍ଦାନାଙ୍କୁ କର୍ଣ୍ଣାଟକର ଉକ୍ତ କାର୍ଯ୍ୟକ୍ରମକୁ ଆସିବାର ଥିଲା ବୋଲି କହିବା ସହିତ କଂଗ୍ରେସ ବିଧାୟକ ତାଙ୍କ ବକ୍ତବ୍ୟର ଭୁଲ ବାଖ୍ୟା କରାଯାଇଥିବା କହିଛନ୍ତି ।

ଅନ୍ୟପଟେ କଂଗ୍ରେସ ବିଧାୟକଙ୍କୁ କାଉଣ୍ଟର ଆଟାକ୍ କରିଛନ୍ତି ବିଜେପି ବିଧାୟକ । ବିଜେପି, ଅଭିନେତ୍ରୀ ରଶ୍ମିକା ମାନ୍ଦାନାଙ୍କ ପାଇଁ ସୁରକ୍ଷା ଦାବି କରିଛି। ବିଜେପି ବିଧାୟକ ସିଟି ରବି କହିଛନ୍ତି, "ରଶ୍ମିକା ମନ୍ଦାନା ଜଣେ ମହାନ ଅଭିନେତ୍ରୀ, ସେ କର୍ଣ୍ଣାଟକର ଜଣେ ଅଭିନେତ୍ରୀ। ସମସ୍ତଙ୍କୁ ସୁରକ୍ଷା ଯୋଗାଇବା ସରକାରଙ୍କ ଦାୟିତ୍ୱ। ତେଣୁ ରଶ୍ମିକାଙ୍କୁ ମଧ୍ୟ ସୁରକ୍ଷା ଯୋଗେଇ ଦିଆଯାଉ ।"

ଅନ୍ୟପଟେ କୋଡାଭା ନ୍ୟାସନାଲ କାଉନସିଲ (ସିଏନସି) ମଧ୍ୟ ଅଭିନେତ୍ରୀ ରଶ୍ମିକା ମନ୍ଧାନାଙ୍କୁ ସମର୍ଥନ କରିଛି ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ କର୍ଣ୍ଣାଟକ ଗୃହମନ୍ତ୍ରୀଙ୍କୁ ଏନେଇ ଏକ ଚିଠି ଲେଖିଛି । ଏହି ଚିଠିରେ କୁହାଯାଇଛି ଯେ, ରଶ୍ମିକାଙ୍କୁ ଜଣେ ବିଧାୟକଙ୍କ ଦ୍ୱାରା ଧମକ ଦିଆଯାଉଛି ଏବଂ ଭୟଭୀତ କରାଯାଉଛି । ତେଣୁ ଅଭିନେତ୍ରୀ ଜଣଙ୍କୁ ସୁରକ୍ଷା ଯୋଗେଇ ଦିଆଯାଉ ।

ପୂରା ଘଟଣା କ’ଣ?

ବେଙ୍ଗାଲୁରୁରେ ଏକ ଚଳଚ୍ଚିତ୍ର ମହୋତ୍ସବରେ ଯୋଗଦେବା ପାଇଁ ନିମନ୍ତ୍ରଣ ପ୍ରତ୍ୟାଖ୍ୟାନ କରିବା ଏବଂ ନିଜକୁ ହାଇଦ୍ରାବାଦର ବାସିନ୍ଦା ବୋଲି ବର୍ଣ୍ଣନା କରିବା ପାଇଁ ଅଭିନେତ୍ରୀ ରଶ୍ମିକା ମଣ୍ଡାନାଙ୍କୁ କଂଗ୍ରେସ ବିଧାୟକ ଏବଂ କନ୍ନଡ କର୍ମୀ ସମାଲୋଚନା କରିଥିଲେ। ଯାହାକୁ ନେଇ ଏହି ବିବାଦ ଆରମ୍ଭ ହୋଇଥିଲା ।

ବିଧାୟକ ରବି କୁମାର ଗୌଡା କହିଥିଲେ ଯେ, ‘ରଶ୍ମିକା କନ୍ନଡ ଫିଲ୍ମ 'କିରିକ ପାର୍ଟି' ସହିତ ତାଙ୍କର ଫିଲ୍ମ କ୍ୟାରିଅର ଆରମ୍ଭ କରିଥିଲେ। ହେଲେ ଶେଷ ଥର ଯେତେବେଳେ ତାଙ୍କୁ ଏକ ଫିଲ୍ମ ଫେଷ୍ଟିଭାଲ ପାଇଁ ନିମନ୍ତ୍ରଣ କରାଯାଇଥିଲା, ସେ କହିଥିଲେ ଯେ, ସେ ହାଇଦ୍ରାବାଦରେ ରହନ୍ତି। ତେବେ କଂଗ୍ରେସ ବିଧାୟକ ଆହୁରି ମଧ୍ୟ ଦାବି କରିଛନ୍ତି ଯେ, ରଶ୍ମିକା କର୍ଣ୍ଣାଟକ କେଉଁଠି ଜାଣିନାହାଁନ୍ତି ବୋଲି କହିଥିଲେ ଏବଂ ତାଙ୍କ ପାଖରେ ସମୟ ନାହିଁ ବୋଲି କହି ଫିଲ୍ମ ଫେଷ୍ଟିଭାଲରେ ଯୋଗ ଦେବାକୁ ମନା କରିଦେଇଥିଲେ। । ଯାହା ଏହି ବିବାଦର ସୂତ୍ରପାତ କରିଥିଲା । 

ବିଧାୟକ ରବି କୁମାର ଗୌଡା ଆହୁରି ମଧ୍ୟ ପ୍ରଶ୍ନ କରିଥିଲେ, "ଆମର ଜଣେ ବିଧାୟକ ରଶ୍ମିକାଙ୍କ ଘରକୁ ଯାଇ ତାଙ୍କୁ ଅନେକ ଥର ନିମନ୍ତ୍ରଣ କରିଥିଲେ, କିନ୍ତୁ ସେ କନ୍ନଡ ଭୂମିରୁ ଆସିଥିବା ସତ୍ତ୍ୱେ କନ୍ନଡ ବିଷୟରେ ବହୁତ ଆପତ୍ତିଜନକ କଥା କହିଥିଲେ। ତାଙ୍କୁ କ'ଣ ଶିକ୍ଷା ଦିଆଯିବା ଉଚିତ୍ ନୁହେଁ?"

ସୂଚନାଯୋଗ୍ୟ ଯେ, ବେଙ୍ଗାଲୁରୁ ଫିଲ୍ମ ଫେଷ୍ଟିଭାଲରେ କମ ଉପସ୍ଥିତି ପାଇଁ କର୍ଣ୍ଣାଟକରେ ଶାସନ ଦାୟିତ୍ୱରେ ଥିବା କଂଗ୍ରେସ, କର୍ଣ୍ଣାଟକର ଫିଲ୍ମ ଶିଳ୍ପ ଉପରେ ବିରକ୍ତି ପ୍ରକାଶ କରିଥିଲା । ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଥିବା ଡିକେ ଶିବକୁମାର ଶନିବାର ଦିନ ଫିଲ୍ମ ଶିଳ୍ପକୁ ଚେତାବନୀ ଦେଇଥିଲେ । ଯାହା ପରେ ପରେ, ରଶ୍ମିକାଙ୍କୁ ନେଇ ଏହି ବିବାଦ ଆରମ୍ଭ ହେବା ସହିତ କର୍ଣ୍ଣାଟକ ରାଜନୀତି ସରଗରମ ହୋଇଛି ।