୧୪୯ ଏନ୍ଏଚ୍ ପ୍ରଶସ୍ତ କରାଯାଉ

ତାଳଚେର: ହେଉନି ତାଳଚେର ୧୪୯ ନମ୍ବର ଜାତୀୟ ରାଜପଥର ପ୍ରଶସ୍ତିକରଣ କାର୍ଯ୍ୟ । ଫଳରେ ତାଳବେଡ଼ା ଠାରୁ ଆରମ୍ଭ କରି ବହ୍ଲର ପର୍ଯ୍ୟନ୍ତ ଅହରହ ଟ୍ରାଫିକ୍ ଜାମ ସହିତ ଧୂଳିଧୂଅାଁରେ ନିଷ୍ପେଷିତ ହେଉଛନ୍ତି ଅଞ୍ଚଳବାସୀ । ଏହି ଧୂଳିଧୂଅାଁ ନାକ, କାନ, ପାଟିରେ ପଶି ମାରାତ୍ମକ ରୋଗର ଶିକାର ହେଉଥିବା ସହିତ ଏହି ଜାତୀୟ ରାଜପଥରେ ଦୈନନ୍ଦିନ ଛୋଟ ବଡ ଦୁର୍ଘଟଣାମାନ ଘଟୁଥିବା ନଜର ରହିଛି । ତାଳଚେରରୁ ଉଭୟ ସରକାର କୋଟିକୋଟି ଟଙ୍କା ରାଜସ୍ୱ ନେଉଥିଲେ ମଧ୍ୟ ଏହି ୧୪୯ନମ୍ବର ଜାତୀୟ ରାଜପଥର ଦୂରବସ୍ଥା  କିପରି ଭାବେ ସରକାରଙ୍କୁ ଦେଖାଯାଉନାହିଁ ତାହା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି । 
ଆଜିର ତାଳଚେର ପୂର୍ବ ତାଳଚେର ଠାରୁ ଭିନ୍ନ । ଯେତେବେଳେ କୋଇଲା ନଗରୀ ସହରରେ ପରିଣତ ହେଲା, ତାଳଚେର ତା’ର ଅସ୍ଥିତ୍ୱ ଧିରେ ଧିରେ ହରାଇବାକୁ ବସିଲା ଏବଂ ସବୁ କିଛି ଲୀନ ହେଲା ଖଣିଖାଦାନରେ । ତାଳଚେର ଅଞ୍ଚଳବାସୀ ନିଜର ପୂର୍ବପୁରୁଷର ପୌତୃକ ସମ୍ପତି ଦେଶର ବିକାଶ ଦିଗରେ ଉତ୍ସର୍ଗ କଲେ କିନ୍ତୁ; ପାଇଲେ କ’ଣ ଧୂଳିଧୂଅାଁ, ପ୍ରଦୁ୍ୟଷିତ ବାୟୁମଣ୍ଡଳ, ଅପରିଷ୍କାର ଜଳ, ସ୍ୱଚ୍ଛତାବିହୀନ ପରିବେଶ, କୋଇଲା ଗୁଣ୍ଡ ଓ ମାରାତ୍ମକ ରୋଗ । ଧୂଳିଧୂଅାଁ ଯୋଗୁଁ ସ୍ୱାସ୍ଥ୍ୟବସ୍ଥା ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ଏହି କାରଣରୁ ନାକ, କାନ, ଆଖି, ପାଟିରେ ଧୂଳି ପ୍ରବେଶ କରିବା ଦ୍ୱାରା ଏଠିକାର ଅଞ୍ଚଳବାସୀ ବିଭିନ୍ନ ରୋଗର ଶୀକାର ହେଉଛନ୍ତିି ଯଥା କିଡ୍ନୀ, କ୍ୟାନସର୍, ଫୁସଫୁସ୍ ରୋଗ, ଯକ୍ଷ୍ମା, ଗ୍ୟାଷ୍ଟିକ୍, ଲଙ୍ଗର୍ସ, ହାର୍ଟ, ଶ୍ୱାସ ଇତ୍ୟାଦି । କୋଇଲା ଉତ୍ତୋଳନ ହେବା ଫଳରେ ତାଳଚେର ସହରର ଆଖପାଖ ଅଞ୍ଚଳରେ ଶିଳ୍ପକାରଖାନାମାନ ଗଢ଼ି ଉଠିଲା । କମ୍ପାନୀ ଗୁଡ଼ିକୁ କୋଇଲା ରପ୍ତାନୀ ନିମନ୍ତେ ଯାନବାହାନ ମଧ୍ୟ ବଢ଼ିବାରେ ଲାଗିଲା । ଏସବୁ କାରଣକୁ ନେଇ ତାଳଚେର ଆଜି ତା’ନିଜସ୍ୱ ପରିଚୟକୁ ହଜାଇ ଦେଇଛି । ଏପରି ସ୍ଥଳେ ୧୪୯ନମ୍ବର ଜାତୀୟ ରାଜପଥର ଉଭୟ ପାଶ୍ୱର୍ରେ ରହିଥିବା ସ୍କୁଲ, କଲେଜ, ବସଷ୍ଟାଣ୍ଡ, ବସବାସ କରୁଥିବା ବସ୍ତିବାସିନ୍ଦାର ଜନସାଧାରଣମାନେ ଅହରହ ଧୂଳିଧୂଅାଁରେ ଘାଣ୍ଟି ହୋଇ ଅଣନିଶ୍ୱାସୀ ହୋଇପଡୁଛନ୍ତି । ତେବେ କେନ୍ଦ୍ର ତଥା ରାଜ୍ୟରେ ବର୍ତ୍ତମାନ ଡବଲ ଇଞ୍ଜିନ ସରକାର ଚାଲୁଥିବା ବେଳେ ତାଳଚେରର ଏହି ମୁଖ୍ୟ ୧୪୯ନମ୍ବର ଜାତୀୟ ରାଜପଥକୁ ଯଥାଶୀଘ୍ର ୪ଥାକିଆ ରାସ୍ତା ନିର୍ମାଣ କରାଯାଇ ଜନସାଧାରଣଙ୍କୁ ଏହି ସମସ୍ୟାରୁ ଉଦ୍ଧାର କରିବାକୁ ଅଞ୍ଚଳବାସୀ ଆକୁଳ ନିବେଦନ କରିଛନ୍ତି ।