ନଗରପାଳଙ୍କୁ ଭେଟିଲେ ଉଠାଦୋକାନୀ

 ତାଳଚେର: ତାଳଚେରରେ ବ୍ୟବସାୟର ମୁଖ୍ୟ ପେଣ୍ଠସ୍ଥଳୀ କୁହାଯାଉଥିବା ହାଟତୋଟା ଠାରେ ଏଣେତେଣେ ଠେଲା ଓ ଅସ୍ଥାୟୀ ଭାବେ ଦୋକାନ ଖୋଲି ବେପାର ବଣିଜ କରୁଥିବା ଲୋକଙ୍କୁ ନଗରପାଳ ପବିତ୍ର ଭୁତିଆ ଗତ କିଛି ବର୍ଷ ତଳେ ପ୍ରଜାମଣ୍ଡଳ ଭବନ ପରିସରରେ ଥିବା ଖୋଲା ଜାଗାରେ ବେପାର କରିବାକୁ ଅନୁମତି ପ୍ରଦାନ କରିଥିଲେ । ତେବେ ପ୍ରଜାମଣ୍ଡଳ ପରିସରରେ ଏବେ ନୂତନ କଲ୍ୟାଣ ମଣ୍ଡପ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଉଥିବା କାରଣରୁ ସେଠାରେ ସେମାନଙ୍କୁ ଆଉ ବେପାର ବଣିଜ କରିବା ପାଇଁ ଅନୁମତି ମିଳୁନାହିଁ । ଏଥିସହିତ ସଂପୃକ୍ତ ଠିକାଦାର ସେମାନଙ୍କୁ ଭିତରକୁ ପ୍ରବେଶ କରିବାକୁ ବାରଣ କରିବା ପରେ ଏହି କ୍ଷୁଦ୍ର ବ୍ୟବସାୟୀମାନେ ନିଜର ଜୀବିକା ହରାଇ ବସିଛନ୍ତି ।  ସୂଚନାଯୋଗ୍ୟ ଯେ, ଏହି ଉଠା ଦୋକାନୀମାନେ ବିଭିନ୍ନ ପ୍ରକାରର ଫାଷ୍ଟ ଫୁଡ, ଗୁପଚୁପ, ଚାଟ, ବିରିୟାନି, ମୋମୋ ଇତ୍ୟାଦି ପ୍ରସ୍ତୁତ କରି ବିକ୍ରି କରୁଥିବା ବେଳେ ସେମାନଙ୍କ ପାଇଁ ଏବେ ନୂଆ ସ୍ଥାନ ଖୋଜିବାରେ ସମସ୍ୟା ଉପୁଜିଛି । ତେଣୁ ନଗରପାଳ ଶ୍ରୀ ଭୁତିଆଙ୍କୁ ଆସି ସେମାନେ ଭେଟିବା ସହ ସେମାନଙ୍କର ଆପତ୍ତି ଅଭିଯୋଗ ଜଣାଇଥିଲେ । ତେବେ ନଗରପାଳ ସେମାନଙ୍କୁ ତାଙ୍କ ପେଟପାଟଣା କଥା ଯୋଗୁଁ ପୂର୍ବପରି ସେମାନେ ସେହି ଅଞ୍ଚଳରେ ଥିବା ଖୋଲା ସ୍ଥାନ ମାନଙ୍କରେ ଠେଲା ଓ ଅସ୍ଥାୟୀ ଦୋକାନ ଖୋଲିବାକୁ ପରାମର୍ଶ ଦେଇଥିଲେ ।