ବିଶ୍ୱଭୂଷଣଙ୍କୁ କଂଗ୍ରେସ ଟିକେଟ୍
odisha politics, odisha congress

ଭୁବନେଶ୍ୱର : କାକଟପୁର ବିଧାନସଭା ଆସନ ପାଇଁ କଂଗ୍ରେସ ଟିକେଟ ଘୋଷଣା କରିଛି । ବିଶ୍ୱଭୂଷଣ ଦାସଙ୍କୁ ଦଳ ସେଠାରୁ ପ୍ରାର୍ଥୀ କରିଛି । ପୂର୍ବରୁ ସେ ବିଜେପି ଟିକେଟ ଆଶାରେ କଂଗ୍ରେସ ଛାଡ଼ି ଦେଇଥିଲେ । ତେବେ ବିଜେପି ବାଇଧର ମଲ୍ଳିକଙ୍କ ଉପରେ ଭରସା କରିବାରୁ ବିଶ୍ୱଭୂଷଣ ପୁଣିଥରେ ଘରବାହୁଡ଼ା କରିଥିଲେ । ଏନେଇ ସେ ଦଳ ଓ କର୍ମୀଙ୍କୁ ମଧ୍ୟ କ୍ଷମା ମାଗିଥିଲେ । ଗତ ୨୦୧୯ ନିର୍ବାଚନରେ ସେ କଂଗ୍ରେସ ଟିକେଟରୁ ଲଢ଼ି ପ୍ରାୟ ୫୦ ହଜାର ଭୋଟ୍ ପାଇଥିଲେ ।
ସେପଟେ କାକଟପୁରର ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ ଆଜି ବିଜୁ ଜନତା ଦଳ ଛାଡ଼ିଛନ୍ତି । ଏଥର ବିଜେଡ଼ି ପୁଣି ତୁଷାରକାନ୍ତ ବେହେରାଙ୍କୁ ପ୍ରାର୍ଥୀ କରିବାରୁ ଗତ କିଛିଦିନ ଧରି ସେ ଅସନ୍ତୋଷ ବ୍ୟକ୍ତ କରୁଥିଲେ । ଏପରିକି ତାଙ୍କ ସମର୍ଥକମାନେ ତୁଷାରଙ୍କ ଟିକେଟ କାଟି ସୁରଙ୍କୁ ଟିକେଟ ଦେବାକୁ ଦାବି କରିଆସୁଥିଲେ ।
ଅପରପକ୍ଷରେ ବିଜେଡ଼ି ଟିକେଟ ନମିଳିବା ପରେ ସେ ବିଜେପି ସହ ଯୋଗସୂତ୍ରରେ ରହିଥିବା ଚର୍ଚ୍ଚା ହେଉଛି । ବିଜେପି ସେଠାରୁ ବାଇଧର ମଲ୍ଲିକଙ୍କ ନାଁ ଘୋଷଣା କରିଥିଲେବି ସୁରଙ୍କୁ ପ୍ରାର୍ଥୀ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ଦିନେ ଦୁଇଦିନ ମଧ୍ୟରେ ଏନେଇ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିଯିବ । ସୁରେନ୍ଦ୍ରଙ୍କ ସହ ବହୁ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ଓ ବ୍ଳକ ଅଧ୍ୟକ୍ଷ ମଧ୍ୟ ଦଳ ଛାଡ଼ିପାରନ୍ତି ବୋଲି କୁହାଯାଉଛି ।