ପୁରୀରେ ଅଘଟଣ : ବୋରୱେଲରେ ପଡ଼ି ଦେଢ଼ ବର୍ଷର ଶିଶୁ କନ୍ୟା ମୃତ
ପୁରୀ : ଖେଳୁଥିବା ବେଳେ ବୋରୱେଲରେ ପଡ଼ି ଗଲା ଦେଢ଼ ବର୍ଷର ଶିଶୁ କନ୍ୟାର ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ । ମୃତ ଶିଶୁକନ୍ୟା ନରେନ୍ଦ୍ର କୋଣ ମଙ୍ଗଳା ସାହିର ଅଜୟ ନାୟକଙ୍କ ଝିଅ । ଶିଶୁକନ୍ୟାକୁ ତୁରନ୍ତ ଉଦ୍ଧାର କରି ଚିକିତ୍ସା ପାଇଁ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ସୂଚନା ଅନୁଯାୟୀ, ଶିଶୁକନ୍ୟାଟି ମାମୁଁ ଘର ରାୟବାହାଦୁର ଲେନ୍କୁ ବୁଲିବାକୁ ଆସିଥିଲେ । ଖେଳିବା ସମୟରେ ମେଡିକାଲ କୋଠା କାମ ପାଇଁ ଖୋଳା ଯାଇଥିବା ବୋରୱେଲ୍ରେ ପଡ଼ି ଯାଇଥିଲେ । ଉପସ୍ଥିତ ଥିବା ଲୋକମାନେ ଶିଶୁକନ୍ୟାକୁ ଉଦ୍ଧାର କରି ଚିକିତ୍ସା ପାଇଁ ପୁରୀ ହସ୍ପିଟାଲକୁ ଆଣିଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଶିଶୁକନ୍ୟାର ମାମୁଁଙ୍କ ଅଭିଯୋଗ ଅନୁଯାୟୀ, ମେଡିକାଲ କୋଠା ନିର୍ମାଣ କରୁଥିବା ଶ୍ରମିକମାନଙ୍କୁ ସେ ବାରମ୍ବାର ବୋରୱେଲ ପୋତିବା ପାଇଁ କହିଥିଲେ । କିନ୍ତୁ ଦାୟିତ୍ୱରେ ଥିବା ବ୍ୟକ୍ତିମାନେ କୌଣସି ପଦକ୍ଷେପ ନେଇନଥିବାରୁ ଆଜି ତାଙ୍କ ଦେଢ ବର୍ଷର ଶିଶୁକନ୍ୟାର ପ୍ରାଣ ଚାଲି ଯାଇଛି ବୋଲି ଅଭିଯୋଗ ହୋଇଛି । ଖବରପାଇ, କୁମ୍ଭାରପଡ଼ା ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।