ସାଲେପୁର ଟିକେଟ ଅପେକ୍ଷାରେ ପ୍ରକାଶ

ସାଲେପୁର ଟିକେଟ ଅପେକ୍ଷାରେ ପ୍ରକାଶ

ଭୁବନେଶ୍ୱର : ସକାଳେ ଶଙ୍ଖ ଫୁଙ୍କି ସଂଧ୍ୟାରେ ବିଜେଡ଼ି ଟିକେଟ ନେବାରେ ସଫଳ ହୋଇଛନ୍ତି ଭୃଗୁ ବକ୍ସିପାତ୍ର ଓ ପରିଣୀତା ମିଶ୍ର  । ଭୃଗୁଙ୍କୁ ଦଳ ବ୍ରହ୍ମପୁରରୁ ଲୋକସଭା ଟିକେଟ ଦେଇଥିବାବେଳେ ପରିଣୀତାଙ୍କୁ ବରଗଡ଼ ଲୋକସଭା ଟିକେଟ ମିଳିଛି  ।  
ଅପରପକ୍ଷରେ ସାଲେପୁରର ପୂର୍ବତନ ବିଧାୟକ ତଥା ବିଜେପି ନେତା ପ୍ରକାଶ ବେହେରା ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି  । ଆଜି ସାଲେପୁର ଟିକେଟ ଘୋଷଣା ହୋଇନଥିବାରୁ ତାଙ୍କୁ ବିଜେଡି ଡିକେଟ ଦେଇପାରେ ବୋଲି ଚର୍ଚ୍ଚା ହେଉଛି  ।
ଶଙ୍ଖଭବନରେ ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଓ ଡକ୍ଟର ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ଭୃଗୁ ବିଜେଡ଼ିରେ ଯୋଗ ଦେଇଥିଲେ  । ନବୀନବାବୁଙ୍କ ନେତୃତ୍ୱରେ ସେ ଗୁଣ୍ଡୁଚିମୂଷା ଭଳି କାମ କରିବେ ବୋଲି କହିଛନ୍ତି  । 
ସେହିପରି ବରଗଡ଼ ଜିଲ୍ଲା ଉପସଭାପତି ସୁଶାନ୍ତ ମିଶ୍ର ଓ ସମାଜସେବୀ ପରିଣୀତା ମିଶ୍ର ଆଜି ଶଙ୍ଖ ଫୁଙ୍କିଥିଲେ  । ଏହି ଅବସରରେ ଭଟଲି ବିଧାୟକ ସୁଶାନ୍ତ ସିଂ, ଝାରସୁଗୁଡ଼ା ବିଧାୟିକା ଦୀପାଳି ଦାସ, ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର ସେମାନଙ୍କୁ ଦଳରେ ସାମିଲ କରିଥିଲେ  । ବରଗଡ଼ର ବିକାଶ କାର୍ଯ୍ୟକୁ ସେମାନେ ପ୍ରଶଂସା କରିବା ସହ ନୂଆ ଓଡ଼ିଶା ଗଠନ ଦିଗରେ ମୁଖ୍ୟମନ୍ତ୍ରୀ ଯାହା ଦାୟିତ୍ୱ ଦେବେ ତାହା କରିବୁ ବୋଲି କହିଥିଲେ  ।