ପହଲଗାମ୍ ଆତଙ୍କୀ ଆକ୍ରମଣ ଘଟଣା : ମାଷ୍ଟର ମାଇଣ୍ଡ ହାସିମ୍ ମୁଷା
ାା ଏଜେନ୍ସି ।ା ଶ୍ରୀନଗର : ପହଲଗାମର ଆତଙ୍କବାଦୀମାନେ ପାକିସ୍ତାନରେ ଇଲାଇଟ୍ କମାଣ୍ଡୋ ପ୍ରଶିକ୍ଷଣ ନେଇଥିଲେ । ହାସିମ୍ ମୁଷା ଥିଲା ଏମାନଙ୍କର ମାଷ୍ଟର ମାଇଣ୍ଡ । ସେ ପାକିସ୍ତାନରେ ପାରା କମାଣ୍ଡୋ ଭାବେ ପ୍ରଶିକ୍ଷଣ ନେଇଥିଲା । ପ୍ରାରମ୍ଭିକ ଅନୁସନ୍ଧାନରୁ ଏହି ତଥ୍ୟ ମିଳିଛି ।
ପୂର୍ବରୁ ମୁଷା ପାକ୍ ସେନାରେ କାମ କରୁଥିଲା । କାଠୁଆ ଓ ଶାମ୍ବା ସେକ୍ଟର ଦେଇ ସେ ଭାରତକୁ ଚାଲି ଆସିଥିଲା । ଏହା ପରେ ସେ ରାଜୈାରୀ ପୁଞ୍ଚର ଡେରା କି ଗଲି ଅଞ୍ଚଳରେ ସକ୍ରିୟ ହୋଇଥିଲା । ଲସ୍କର-ଇ-ତୋଏବା ସହଯୋଗରେ ସେ ଅନେକ ବାର ସୁରକ୍ଷା କର୍ମୀଙ୍କ ଉପରେ ଆକ୍ରମଣ କରିଥିଲା । ପାକିସ୍ତାନରେ ସେ ପାରା-କମାଣ୍ଡୋ ଟ୍ରେନିଂ ନେଇଥିଲା । ପାର୍ବତ୍ୟାଞ୍ଚଳରେ କିଭଳି ଲୁଚିହେବ ଓ ଗରିଲା ଆକ୍ରମଣର କୌଶଳ ଆଦି ଶିଖିଥିଲା । ସୁଚିନ୍ତିତ ରଣନୀତି କରି ପହଲଗାମରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ଉଭୟ ପ୍ରବେଶ ପଥ ଓ ପ୍ରସ୍ଥାନ ପଥରେ ସେମାନେ ଜଗି ରହିଥିଲେ । ଯାହାଫଳରେ ପର୍ଯ୍ୟଟକମାନେ ଖସି ଯାଇପାରିବେ ନାହିଁ । ପ୍ରବେଶ ପଥରୁ ୨ ଓ ପ୍ରସ୍ଥାନ ପଟରୁ ଜଣେ ଆତଙ୍କବାଦୀ ଆସିଥିଲେ । ପ୍ରଥମେ ପ୍ରସ୍ଥାନ ପଥ ଆଡୁ ହିଁ ଗୁଳି ମାଡ଼ ହୋଇଥିଲା । ପ୍ରତ୍ୟକ୍ଷଦର୍ଶୀ ଓ ଆକ୍ରମଣରୁ ବର୍ତ୍ତି ଯାଇଥିବା ପର୍ଯ୍ୟଟକଙ୍କ ବୟାନରୁ ଏହା ସ୍ପଷ୍ଟ ହୋଇଛି ।
ଏନଆଇଏ ଏବେ ଆତଙ୍କବାଦୀ ଆକ୍ରମଣର ଛାନଭିନ୍ କରୁଛି । ତଦନ୍ତରୁ ଅନେକ ବାସ୍ତବ କଥା ସାମ୍ନାକୁ ଆସିବାରେ ଲାଗିଛି । ମିଳିଥିବା ସୂଚନା ଅନୁଯାୟୀ, ଦୁଇ ଜଣ ପ୍ରବେଶ ଗେଟ୍ରେ ଓ ଜଣେ ପ୍ରସ୍ଥାନ ଗେଟରେ ଆସିଥିବାବେଳେ ଚତୁର୍ଥ ଆତଙ୍କବାଦୀ ଜଣଙ୍କ ଜଙ୍ଗଲ ଭିତରେ ଲୁଚି ରହିଥିଲା । ଯିଏକି ସେମାନଙ୍କୁ ସହଯୋଗ କରୁଥିଲା । ତିନି ଆତଙ୍କବାଦୀ ପର୍ଯ୍ୟଟକଙ୍କ ଉପରେ ଗୁଳି ଚଳାଇଥିଲେ । ସେମାନଙ୍କ ମଧ୍ୟରୁ ୨ ଜଣ ମିଲିଟାରୀ ପୋଷାକରେ ଥିବାବେଳେ ଅନ୍ୟ ଜଣଙ୍କ କାଶ୍ମୀରର ପାରମ୍ପରିକ ପୋଷାକ ପରିଧାନ କରିଥିଲେ । ପ୍ରବେଶ ପଥରେ ଆତଙ୍କବାଦୀମାନେ ଠିଆହୋଇ ମହିଳାମାନଙ୍କୁ ଅଲଗା କରିଦେଇଥିଲେ । କିନ୍ତୁ ଲୋକମାନେ ରାଜି ହୋଇନଥିଲେ । ତା’ପରେ ସେମାନେ କହିଥିଲେ ହିନ୍ଦୁ ଓ ମୁସଲମାନ ଅଲଗା ହୋଇଯାଅ । କିନ୍ତୁ ପର୍ଯ୍ୟଟକମାନେ ରାଜି ହୋଇନଥିଲେ । ଗୁଳି ଚଳାଇବା ପୂର୍ବରୁ ସେମାନେ କଲମା ପଢ଼ିବାକୁ କହିଥିଲେ । ପ୍ରଥମେ ସେମାନେ ନାଭି ଅଫିସର ବିନୟ ନାରୱଲଙ୍କୁ ଗୁଳି କରିଥିଲେ । ଚା’ ଷ୍ଟଲ ଓ ଭେଲପୁରୀ ଷ୍ଟଲ ନିକଟରେ ବହୁ ଲୋକ ଠିଆ ହୋଇଥିବାରୁ ସେଠାରେ ଅଧିକ ଲୋକଙ୍କର ମୃତୁ୍ୟ ହୋଇଥିଲା । ଆକ୍ରମଣ କରିବା ପରେ ଆତଙ୍କବାଦୀମାନେ କାନ୍ଥ ଡେଇଁ ପାର୍କର ବାମପଟ ଆଡ଼େ ପଳାଇଥିଲେ । ପ୍ରତ୍ୟକ୍ଷଦର୍ଶୀମାନେ ଏଭଳି ବୟାନ ଦେଇଛନ୍ତି । ସେହିପରି ଆତଙ୍କୀ ଆକ୍ରମଣ ସ୍ଥଳୀରେ ଏନଆଇଏ ଟିମର ୬ ଜଣ ଅଧିକାରୀ ତଦନ୍ତ କରିଛନ୍ତି । ସେମାନଙ୍କ ମଧ୍ୟରେ ୨ ଜଣ ଫୋରେନସିକ୍ ବିଶେଷଜ୍ଞ ମଧ୍ୟ ରହିଛନ୍ତି । ଅପରପକ୍ଷରେ ବାଇସରନ୍ ପାର୍କରେ ପ୍ରାୟ ୪୫ ଜଣ ଦୋକାନ କରିଥିବାବେଳେ ପୋନି ଚଳାଉଛନ୍ତି । ସେମାନଙ୍କୁ ମଧ୍ୟ ଜେରା କରାଯିବ । ସେହିପରି ଜିପ ଲାଇନ୍ ଅପରେଟରଙ୍କୁ ବି ଜେରା କରାଯାଇଛି । ଆତଙ୍କବାଦୀମାନେ ମୋବାଇଲ୍ ପେଡ଼ ଆପ୍ଲିକେସନ୍ ଜରିଆରେ ପାକିସ୍ତାନରେ ଥିବା ଆତଙ୍କବାଦୀଙ୍କ ସହ କଥା ହେଉଥିବା ଅନୁମାନ କରାଯାଉଛି । ଦକ୍ଷିଣ କାଶ୍ମୀରରେ ସୁରକ୍ଷା କର୍ମୀମାନେ ସର୍ଚ୍ଚ ଅପରେସନ୍ କରୁଛନ୍ତି ।