ପହଲଗାମ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି

 କନ୍ଧମାଳ : ଫୁଲବାଣୀ ସହର ମୁଖ୍ୟ ବଜାର ବୟନିକାଠାରେ କନ୍ଧମାଳ ବିଜେପି ପକ୍ଷରୁ ପହଲଗାମ୍ ଆକ୍ରମଣରେ ପ୍ରାଣ ହରାଇଥିବା ୨୮ ଭାରତୀୟ ନାଗରିକଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ଆତ୍ମାର ସଦ୍ଗତି ପାଇଁ ଶୋକସଭା କରାଯାଇଛି । ଏହି ସଭା ବିଧାୟକ ଉମାକାନ୍ତ ମଲ୍ଲିକଙ୍କ ନେତୃତ୍ୱରେ ହୋଇଥିବା ବେଳେ, ଶହେରୁ ଊଦ୍ଧ୍ୱର୍ ବିଜେପି କର୍ମୀ ଏଥିରେ ଯୋଗଦେଇଥିଲେ । ସଭାରେ ଜିଲ୍ଲାର ବିଜେପି କର୍ମୀ ସଞ୍ଜିତ୍ ମଣ୍ଡଳ, ଭଗବାନ ମହାନ୍ତି, ପରେଶ ଭାଇ, ଅଜିତ ପଟ୍ଟନାୟକ, ନଗର ସଭାପତି ଜଗନ୍ନାଥ ସାହୁ, ବରିଷ୍ଠ ଆଇନଜୀବୀ ଓ କାଉନସିଲର ରମେଶ ମହାନ୍ତି, ଫୁଲବାଣୀ ପୌରପରିଷଦ ପୂର୍ବତନ ଉପାଧ୍ୟକ୍ଷ ଅନିତା ସାହୁ, ଲିଙ୍ଗରାଜ ଦଳ ବେହେରା ଓ ଅନ୍ୟାନ୍ୟ ବିଜେପି କର୍ମୀ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଦେବା ସହ ଶୋକସଭା ମଧ୍ୟ କରିଥିଲେ । ସ୍ଥାନୀୟ ବିଧାୟକ ଉମାକାନ୍ତ ମଲ୍ଲିକ ଆକ୍ରମଣକୁ କଡା ନିନ୍ଦା କରିଥିଲେ ।
ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଚିକିତ୍ସାଳୟ କ୍ୟାମ୍ପସରେ ପହଲଗାମ ଆତଙ୍କବାଦୀ ଆକ୍ରମଣର ମୃତକଙ୍କୁ ଦୀପ ପ୍ରଜ୍ୱଳନ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି  । ଏଥିରେ ବହୁସଂଖ୍ୟାରେ ଜନସାଧାରଣ, ସାମାଜିକ କାର୍ଯ୍ୟକର୍ତ୍ତା ଓ ସହଯୋଗ ଫାଉଣ୍ଡେସନର ସଦସ୍ୟମାନେ ଯୋଗ ଦେଇଥିଲେ  । ଫାଉଣ୍ଡେସନର ବିଭିନ୍ନ ସଦସ୍ୟମାନେ ଦୀପ ପ୍ରଜ୍ୱଳନ କରିବା ସହ ଅନ୍ଧକାର ଯେତେ ଭୟଙ୍କର ହେଉ, ଆଲୋକ ସଦା ସର୍ବଦା ବିଜୟୀ ହୋଇଥାଏ । ଆତଙ୍କବାଦ ମାନବତାକୁ କମ୍ପାଇପାରିବ, କିନ୍ତୁ ସଂଘଟିତ ଆତ୍ମାକୁ ଭାଙ୍ଗିପାରିବ ନାହିଁ ବୋଲି କହିଥିଲେ  । ଏହି ଅବସରରେ ଆତଙ୍କ ପ୍ରଭାବିତ ପରିବାରଙ୍କ ପ୍ରତି ଶ୍ରଦ୍ଧା ଓ ସହାନୁଭୂତି ବ୍ୟକ୍ତ କରାଯାଇଥିଲା  ।