‘ପହେଲଗାମ ପାଇଁ ରକ୍ତ ଗରମ’

 ନୂଆଦିଲ୍ଲୀ :  ପହେଲଗାମ ଆତଙ୍କୀ ଆକ୍ରମଣ ଘଟଣାକୁ ନେଇ ସାରା ଦେଶ ଦୁଃଖି  । ଆତଙ୍କୀ ଆକ୍ରମଣର ଛବି ଦେଖି ସବୁ ଭାରତୀୟଙ୍କ ରକ୍ତ ଗରମ ହୋଇଯାଇଛି  । କାଶ୍ମୀରରେ ଶାନ୍ତି ଫେରୁଛି  । ନିର୍ମାଣ କାର୍ଯ୍ୟ ବି ଦ୍ରୁତ ଗତିରେ ଆଗେଇ ଚାଲିଛି  । ସାରା ବିଶ୍ୱ ଏବେ ଭାରତକୁ ସମର୍ଥନ କରୁଛି  । ମନ୍ କୀ ବାତ ଅବସରରେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ।
ମୋଦି କହିଥିଲେ ଯେ, କାଶ୍ମୀରରେ ଶାନ୍ତି ଫେରିଆସୁଥିବା ସମୟରେ ସ୍କୁଲ କଲେଜମାନଙ୍କରେ ଗୋଟିଏ ଉସôାହ ଥିଲା । ନିର୍ମାଣ କାର୍ଯ୍ୟରେ ଅଭୂତପୂର୍ବ ଗତିଶୀଳତା ଆସିଥିଲା । ଗଣତନ୍ତ୍ର ଦୃଢ଼ୀଭୂତ ହେଉଥିଲା । ପର୍ଯ୍ୟଟକମାନଙ୍କ ସଂଖ୍ୟାରେ ବୃଦ୍ଧି ହେଉଥିଲା । ଯୁବବର୍ଗଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି ହୋଇଚାଲିଥିଲା । ଏହି ସମୟରେ ଦେଶର ଶତ୍ରୁ, ଜାମ୍ମୁ-କାଶ୍ମୀରର ଶତ୍ରୁମାନଙ୍କ ପକ୍ଷରେ ଏହା ଅସହ୍ୟ ହେଲା । ଆତଙ୍କବାଦୀ ଓ ଆତଙ୍କକୁ ପ୍ରଶ୍ରୟ ଦେଉଥିବା ଶକ୍ତିମାନେ ଚାହାଁନ୍ତି ଯେ, କାଶ୍ମୀର ପୁଣିଥରେ ଧ୍ୱଂସ ହେଇଯାଉ । ତେଣୁ ସେମାନେ ଏତେ ବଡ ଷଡଯନ୍ତ୍ର ଘଟାଇଲେ । ଆତଙ୍କବାଦ ବିରୁଦ୍ଧରେ ଏହି ଯୁଦ୍ଧରେ ଦେଶର ଏକତା, ୧୪୦ କୋଟି ଭାରତୀୟଙ୍କ ଏକଜୁଟପଣିଆ ଆମର ସବୁଠାରୁ ବଡ଼ ଶକ୍ତି । ଆମ ଭାରତୀୟମାନଙ୍କ ମଧ୍ୟରେ ଯେଉଁ ଆକ୍ରୋଶ ଭାବ ରହିଛି, ସାରା ବିଶ୍ୱରେ ସେହି ଆକ୍ରୋଶ ରହିଛି । ବିଶ୍ୱର ଅନେକ ନେତା ମତେ ଫୋନ୍ କରିଛନ୍ତି, ଚିଠି ଲେଖିଛନ୍ତି, ବାର୍ତ୍ତା ପଠେଇଛନ୍ତି । ଏହି ଜଘନ୍ୟ ଢଙ୍ଗରେ କରାଯାଇଥିବା ଆତଙ୍କବାଦୀ ଆକ୍ରମଣକୁ ସମସ୍ତେ ଘୋର ନିନ୍ଦା କରିଛନ୍ତି । ସମଗ୍ର ବିଶ୍ୱ, ଆତଙ୍କବାଦ ବିରୁଦ୍ଧରେ, ଆମ ସଂଗ୍ରାମରେ, ୧୪୦ କୋଟି ଭାରତୀୟଙ୍କ  ସାଥିରେ ରହିଛି । ପୀଡିତ ପରିବାରମାନଙ୍କୁ ମୁଁ ପୁଣିଥରେ ଭରସା ଦେଉଛି ଯେ, ସେମାନେ ନ୍ୟାୟ ପାଇବେ, ସେମାନଙ୍କୁ ନିଶ୍ଚୟ ନ୍ୟାୟ ମିଳିବ । ଅନ୍ୟଏକ ବାର୍ତ୍ତାରେ ଦେଶର ମହାନ ବୈଜ୍ଞାନିକ ଡ. କେ. କସ୍ତୁରୀରଙ୍ଗନଙ୍କ ପରଲୋକକୁ ନେଇ ଦୁଃଖପ୍ରକାଶ କରିଥିଲେ । ତାଙ୍କ ନେତୃତ୍ୱରେ ଇସ୍ରୋକୁ ଗୋଟିଏ ନୂତନ ପରିଚୟ ମିଳିଲା । ତାଙ୍କ ମାର୍ଗଦର୍ଶନରେ ମହାକାଶ କାର୍ଯ୍ୟକ୍ରମରେ ଯାହା ଉନ୍ନତି ହେଲା, ତାହାଦ୍ୱାରା ଭାରତର ପ୍ରଚେଷ୍ଟାକୁ ବିଶ୍ୱସ୍ତରରେ ମାନ୍ୟତାପ୍ରାପ୍ତ ହେଲା ବୋଲି କହିଥିଲେ । ସେହିପରି ଭାରତ ପକ୍ଷରୁ ପ୍ରେରଣ କରାଯାଇଥିବା ପ୍ରଥମ କୃତ୍ରିମ ଉପଗ୍ରହ ଆର୍ଯ୍ୟଭଟ୍ଟ ବିଷୟରେ ଟିପ୍ପଣୀ ଦେଇ ଏହାକୁ ୫୦ ବର୍ଷ ପୂରିଥିବା ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ମହାକାଶରେ ଭାରତର ସ୍ୱପ୍ନର ଏହି ଯାତ୍ରା ଦିନେ ଆମ ସାହସ ଯୋଗୁଁ ହିଁ ଆରମ୍ଭ ହୋଇଥିଲା ବୋଲି କହିଥିଲେ । ଭାରତ ଆଜି ଏକ ବିଶ୍ୱ ମହାକାଶ ଶକ୍ତିରେ ପରିଣତ ହୋଇସାରିଛି । ୧୦୪ଟି ଉପଗ୍ରହକୁ ଏକସଙ୍ଗେ ପ୍ରେରଣ କରି ଆମେ ରେକର୍ଡ ସୃଷ୍ଟି କରିଛୁ ବୋଲି କହିଥିଲେ । ସେହିପରି ଦେଶରେ ଜାରି ରହିଥିବା ୩୨୫ରୁ ଅଧିକ ସ୍ପେଶ୍ ଷ୍ଟାର୍ଟଅପ୍, ମିଅାଁମାର୍ ଭୂକମ୍ପରେ ଭାରତର ସହଯୋଗ, ଇଥିଓପିଆର ଜନ୍ମଗତ ହୃଦରୋଗ, ଗୁଜରାଟର ଅହମ୍ମଦାବାଦରେ ଲଗାଯାଇଥିବା ୭୦ ଲକ୍ଷ ଗଛ, କିନୌର୍ରେ କେସର ଉତ୍ପାଦନ ସମେତ ଦେଶର ପୂର୍ବ ଇତିହାସ ସମ୍ପର୍କରେ ଆଲୋକପାତ କରିଥିଲେ ।