୨ ଭାଇଙ୍କୁ ମାରିଦେଲେ
ବ୍ରହ୍ମପୁର: ପୁଣି ଗଞ୍ଜାମ ଅଶାନ୍ତ ହୋଇପଡ଼ିଛି । ଦୁଇ ଭାଇଙ୍କୁ ମାରି ଜଙ୍ଗଲରେ ଦୁର୍ବୃତ୍ତମାନେ ଜାଳି ଦେଇଛନ୍ତି । ବେଗୁନିଆପଡ଼ା ଥାନା ଶାଳବଣ ଗାଁ ଜଙ୍ଗଲରେ ଦୁଇ ଭାଇଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ ହୋଇଛି । ବେଗୁନିଆପଡ଼ା ଥାନା ଅଞ୍ଚଳରେ ଘଟିଥିବା ଏହି ହତ୍ୟାକାଣ୍ଡ ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ହତ୍ୟାର ଶିକାର ହୋଇଛନ୍ତି ସୁମଣ୍ଡଳ ଗ୍ରାମର ସଞ୍ଜୟ ବାରିକ ଏବଂ ଅଜୟ ବାରିକ । ମିଳିଥିବା ସୂଚନାନୁଯାୟୀ, ଆଜି ସକାଳେ ସ୍ଥାନୀୟ ଲୋକମାନେ ଜଙ୍ଗଲରେ ୨ଟି ମୃତଦେହ ପଡ଼ିଥିବା ଦେଖିଥିଲେ । ତୁରନ୍ତ ଲୋକମାନେ ସ୍ଥାନୀୟ ପୁଲିସକୁ ଖବର ଦେଇଥିଲେ । ଲୋକଙ୍କ ଠାରୁ ସୂଚନା ପାଇବା ପରେ ବେଗୁନିଆପଡ଼ା ପୁଲିସ୍ ଓ ପୁରୁଷୋତ୍ତମପୁର ଏସଡ଼ିପିଓ ଘଟଣା ସ୍ଥଳରେ ପହଁଚି ଛାନଭିନ ଆରମ୍ଭ କରିଛନ୍ତି । ଦୁଇ ଭାଇଙ୍କ ନାମରେ ବିଭିନ୍ନ ଥାନାରେ ଅନେକ ଅପରାଧିକ ମାମଲା ରହିଛି । ପୂର୍ବ ଶତ୍ରୁତାରୁ ଏହି ହତ୍ୟା କାଣ୍ଡ ଘଟିଛି ବୋଲି ସନେ୍ଦହ କରାଯାଉଛି । ଦୁଇ ଭାଇଙ୍କ ମୁହଁକୁ ପୋଡ଼ି ଦିଆଯାଇଥିବାବେଳେ ସ୍ଥାନୀୟ ଅଞ୍ଚଳରେ ଏହାକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି । ପୁଲିସ୍ ଏନେଇ ପ୍ରାରମ୍ଭିକ ତଦନ୍ତ ଆରମ୍ଭ କରିଥିବାବେଳେ ତଦନ୍ତ ପରେ ହିଁ ହତ୍ୟାକାଣ୍ଡର ପ୍ରକୃତ କାରଣ ଓ ଏହା ପଛରେ ଥିବା ଦୁର୍ବୃତ୍ତଙ୍କ ସମ୍ପର୍କରେ ସୂଚନା ମିଳିପାରିବ ।