ଓଡିଆଙ୍କ ଜୀବନ ଧନ ପଖାଳ କଂସାରେ ମନ

ଭୁବନେଶ୍ୱର : ଓଡ଼ିଆ ଲୋକଙ୍କ ସହ ପଖାଳର ସମ୍ପର୍କ ବହୁ ପୁରୁଣା। ତେଣୁ ଓଡ଼ିଆ ସଂସ୍କୃତିରେ ପଖାଳର ଗୁରୁତ୍ୱକୁ ଆହୁରି ବଢ଼ାଇବା ପାଇଁ ମାର୍ଚ୍ଚ ୨୦କୁ ପଖାଳ ଦିବସ ରୂପେ ପ୍ରତିବର୍ଷ ପାଳନ କରାଯାଉଛି।
ଘର ହାଣ୍ଡିଶାଳର ଶୋଭା ବଢ଼ାଉଥିବା ପଖାଳ ମୋହରେ କେବଳ ମଣିଷ ପଡ଼ିନାହାନ୍ତି, ସ୍ବୟଂ ପ୍ରଭୁ ଶ୍ରୀଜଗନ୍ନାଥ ବି ପଖାଳ ମୋହରେ ପଡ଼ନ୍ତି । ଜଗନ୍ନାଥଙ୍କ ଛପନ ଭୋଗ ମଧ୍ୟରେ ପାଖଳର ସ୍ଥାନ ସର୍ବଦା ସ୍ବତନ୍ତ୍ର ରହିଛି। ବର୍ତ୍ତମାନର ଫାଷ୍ଟଫୁଡ୍ ଯୁଗରେ ବି ଏହାର ଆଦର କମିନାହିଁ। ସହରର ଚାକଚକ୍ୟ ସହ ଦେଶୀ, ବିଦେଶୀ ଖାଦ୍ୟ ଭିତରେ ରାଜଧାନୀବାସୀ ପଖାଳକୁ ବେଶ୍ ଖୋଜୁଛନ୍ତି। ବିଶେଷକରି ଏବେ ପ୍ରବଳ ଖରା ହେଉଥିବାରୁ ଲୋକଙ୍କର ପ୍ରଥମ ପସନ୍ଦ ପଖାଳ ପାଲଟିଛି। ସହରର ଛୋଟଠାରୁ ବଡ଼ ବଡ଼ ହୋଟେଲରେ ପଖାଳର କ୍ରେଜ୍ ରହିଛି। ବର୍ତ୍ତମାନ ସମୟରେ ପଖାଳର ଅଧିକ ଡିମାଣ୍ଡ ରହୁଥିବାରୁ ଲୋକଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ଦହି ପଖାଳ, ସଜ ପଖାଳ, ଛୁଙ୍କ ପଖାଳ, ଖଟା ପଖାଳ ଏବଂ ପରିବା ପଖାଳ ପରି ଅନେକ କିସମର ପଖାଳ ଉପଲବ୍ଧ ହେଉଛି। ଦହି ଛୁଙ୍କଦିଆ ପଖାଳର କ୍ରେଜ୍ ସବୁଠି ଅଧିକ ରହିଥିବା ଦେଖାଯାଉଛି। ଦହି ପଖାଳ ସହ ସୋରିଷ, ଶୁଖିଲା ଲଙ୍କା, ଭୃସଙ୍ଗପତ୍ର ସହ ସଙ୍ଗକୁ ଶାଗ ଭଜା,ବାଇଗଣ ଭର୍ତ୍ତା, ଛତୁ ଭଜା, ବଡ଼ିଚୂରା ଓ ଭଜା ଖାଇବାର ମଜା। ବାସୀ ପଖାଳ ଗଣ୍ଡେ ପେଟରେ ପଡିଗଲେ ଯେମିତି ଆତ୍ମତୃପ୍ତି ହୋଇଯାଏ । ଓଡିଆମାନଙ୍କର ପଖାଳ ପ୍ରତି ରହିଥିବା ଆଗ୍ରହ ଏହି ଦିବସର ମହତକୁ ବଢାଇ ଦେଲା । ଯାହା ଫଳରେ ୨୦୧୫ ମସିହା ମାର୍ଚ୍ଚ ମାସରେ ଏହି ପଖାଳ ଦିବସ ଟୁଇଟରରେ ଟ୍ରେଣ୍ଡ କରିଥିଲା । ଏହାକୁ ଓଡିଶା ବାହାରେ ପଖାଳ ପ୍ରିୟ ବ୍ୟକ୍ତିମାନେ ଦେଖିବା ପରେ ସେମାନେ ମଧ୍ୟ ପଖାଳ ଦିବସକୁ ଆନନ୍ଦ ସହ ପାଳନ ଆରମ୍ଭ କଲେ । ଏପରିକି ଦେଶ ବାହାରେ ମଧ୍ୟ ପଖାଳପ୍ରିୟମାନେ ଏହି ଦିନ ପଖାଳ ଖାଇ ଦିବସକୁ ପାଳନ କଲେ ।