ଦ୍ୱୈତ-ନଗରୀରେ ବର୍ଷା, ଆଜିଠୁ ପୁଣି ବଢିବ ତାତି

ଦ୍ୱୈତ-ନଗରୀରେ ବର୍ଷା,  ଆଜିଠୁ ପୁଣି ବଢିବ ତାତି

 ଭୁବନେଶ୍ୱର: କିଛି ଦିନ ହେଲା ରାଜ୍ୟରେ ପାଗରେ ପରିବର୍ତ୍ତନ ଘଟିଛି । ବର୍ଷା ନହେଲେ ବି ଅନେକ ସ୍ଥାନରେ ପାଗ କୋହଲା ରହିଛି । ଫଳରେ ତାପମାତ୍ରା କମିଛି । ଲୋକେ ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇଛନ୍ତି । ଆଜି ପୂରା ରାଜ୍ୟରେ ମେଘୁଆ ପାଗ ରହିଛି । ଅନେକ ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହୋଇଛି ।
 ଦ୍ୱୈତ-ନଗରୀରେ ବି ବିଜୁଳି ଘଡ଼ଘଡ଼ି ସାଙ୍ଗକୁ ଝିପିଝିପି ବର୍ଷା ଲାଗି ରହିଛି । ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ୧୦ ଜିଲ୍ଲାରେ କୋହଲା ପାଗ ସାଙ୍ଗକୁ ହାଲୁକା ବର୍ଷା ସହ ୧୪ ଜିଲ୍ଲାରେ ଘଡ଼ଘଡ଼ି ସହ ମଧ୍ୟମଧରଣର ବର୍ଷା ହୋଇଛି । ତେବେ ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଆସନ୍ତାକାଲିଠାରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ତାପମାତ୍ରା ବଢିବ । ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ତା' ଏକ୍ସରେ ଲେଖିଛି ଯେ ଆସନ୍ତାକାଲିଠାରୁ ୪ ଦିନ ଯାଏ ଦିନର ତାପମାତ୍ରା ୬ରୁ ୮ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ।

ଆସନ୍ତାକାଲି ପାରଳାଖେମୁଣ୍ଡିରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୯ ଡିଗ୍ରୀ ସେଲ୍ସିୟସ ରହିପାରେ ବୋଲି ଆକଳନ କରାଯାଇଥିବା ବେଳେ ମାଲକାନଗିରିରେ ୩୭, ରାୟଗଡ଼ାରେ ୩୬, କୋରାପୁଟରେ ୩୩, ଭବାନୀପାଟଣାରେ ୩୩, ନୂଆପଡ଼ାରେ ୩୩, ବଲାଙ୍ଗୀରରେ ୩୩, ଟିଟିଲାଗଡ଼ରେ ୩୪, ବୌଦ୍ଧରେ ୩୪, ସୁନ୍ଦରଗଡ଼ରେ ୩୩, ଝାରସୁଗୁଡ଼ାରେ ୩୩, ଅନୁଗୁଳରେ ୩୩, ଭୁବନେଶ୍ୱରରେ ୩୪ ଓ କଟକରେ ୩୩ ଡିଗ୍ରୀ ରହିପାରେ । ରାୟଗଡ଼ା, ପାରଳେଖେମୁଣ୍ଡି ଓ ମାଲକାନଗିରିକୁ ଛାଡ଼ି ଦେଲେ ଅନ୍ୟ କୌଣସି ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ଛୁଇଁ ନପାରେ । ଅନ୍ୟପକ୍ଷରେ ୧୩ ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ବା ତା' ଉପରେ ରହିପାରେ । ୧୪ ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନର ତାପମାତ୍ରା ଆହୁରି ବଢିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ସେଦିନ ରାଜ୍ୟର ୮ଟି ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ବା ତା'ଠାରୁ ଅଧିକ ରହିପାରେ । ପାରଳାଖେମୁଣ୍ଡି ଓ ଟିଟିଲାଗଡ଼ରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୧ ଡିଗ୍ରୀ ଛୁଇଁ ପାରେ ବୋଲି ପୂର୍ବାନୁମାନ କରାଯାଇଥିବା ବେଳେ ବଲାଙ୍ଗିର, ଭବାନୀପାଟଣା, ବୌଦ୍ଧ, ସମ୍ବଲପୁର, ଝାରସୁଗୁଡ଼ା ଓ ମାଲକାନଗିରିର ତାପମାତ୍ରା ୪୦ ଡିଗ୍ରୀ ଛୁଇଁପାରେ । ୧୫ ତାରିଖରେ ପ୍ରାୟ ୧୬ଟି ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ବା ତା' ଉପରେ ରହିପାରେ । ସେଦିନ ପାରଳାଖେମୁଣ୍ଡି ଓ ଟିଟିଲାଗଡ଼ରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୨ ଡିଗ୍ରୀ ଛୁଇଁପାରେ । ୧୬ ତାରିଖରେ ରାଜ୍ୟର ୨୫ରୁ ଅଧିକ ସ୍ଥାନରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ବା ତା' ଉପରେ ରହିପାରେ । ଟିଟିଲାଗଡ଼, ଭବାନୀପାଟଣା, ବଲାଙ୍ଗୀର ଓ ବୌଦ୍ଧରେ ତାପମାତ୍ରା ୪୩ ଡିଗ୍ରୀ ରହିପାରେ ବୋଲି ପୂର୍ବାନୁମାନ କରାଯାଇଥିବା ବେଳେ ମାଲକାନଗିରି, ପାରଳାଖେମୁଣ୍ଡି, ସମ୍ବଲପୁର ଓ ସୁନ୍ଦରଗଡ଼ରେ ତାପମାତ୍ରା ୪୨ ଡିଗ୍ରୀ ଏବଂ ରାୟଗଡ଼ା, ସୋନପୁର ଓ ଅନୁଗୁଳରେ ୪୧ ଡିଗ୍ରୀ ରହିପାରେ ।